କଣାସ: ପୁରୀ ଜିଲ୍ଲା କଣାସ ବ୍ଲକ ଗୋପିନାଥପୁର ପଞ୍ଚାୟତ ଅନ୍ତର୍ଗତ ପାଇକମରା ଗ୍ରାମରେ ଆଜି ଗୋଟିଏ ପରିବାର ୯ଜଣ ସଦସ୍ୟ ବାସୀଖାଦ୍ୟ ଖାଇ ଅସୁସ୍ଥ ହୋଇପଡ଼ିଛନ୍ତି । ସେମାନଙ୍କୁ କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ପ୍ରକାଶ ଯେ କୁମାରୀ ସାହୁଙ୍କ ପରିବାରର କୁଳମଣି ସାହୁ(୩୫), ଚନ୍ଦନ ସାହୁ(୩୦), ଦଲିଆ ସାହୁ(୨୪), ଲକି ସାହୁ(୭), ରକି ସାହୁ(୮), ଖାନ୍ ସାହୁ(୧୩), ରାଜା ସାହୁ(୫), ଅଭୟ ସାହୁ(୧୨), ଲକ୍ଷ୍ମୀନାରୟଣ ସାହୁ(୩୨) ଆଜି ଦିନ ୧ଟା ସମୟରେ ଖାଦ୍ୟ ଖାଇବାପରେ ସେମାନଙ୍କ ପେଟ ଯନ୍ତ୍ରଣା ହେବା ସହିତ ଝାଡ଼ାବାନ୍ତି ହୋଇଥିଲା । ପରେ ସେମାନେ ଅଚେତ ହୋଇପଡ଼ିବାରୁ ଗ୍ରାମବାସୀ ତୁରନ୍ତ ସେମାନଙ୍କୁ କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ତେବେ ବୁଧୁବାର ଅଁଳାଅନବମୀ ହୋଇଥିବାରୁ ଅଁଳାବୃକ୍ଷ ମୂଳରେ ରନ୍ଧାଯାଇଥିବା ଅରୁଆ ଭାତ, ଡାଲମା, ତରକାରୀ ବଳକା ଥିବାରୁ ଆଜି ସେହି ବାସୀଖାଦ୍ୟକୁ ଏମାନେ ଖାଇଥିଲେ । ପରେ କେତେଜଣ ଚିଙ୍ଗୁଡ଼ିମାଛ ଭଜା ଖାଇଥିଲେ । ଯେଉଁ ୬ଜଣ ଚିଙ୍ଗୁଡିମାଛ ଖାଇଥିଲେ ସେମାନେ ଅଚେତ ଅବସ୍ଥାରେ ଥିବାବେଳେ ଯେଉଁମାନେ ଚିଙ୍ଗୁଡି ଖାଇନଥିଲେ ସେମାନଙ୍କର ଚେତାଥିବା ଜଣାପଡ଼ିଛି ।