ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର, କଟକ ଓ ପୁରୀବାସୀ ନିର୍ଭର କରୁଥିବା ରାଜ୍ୟର ୩ଟି କେନାଲର ଜଳ ଏବେ ବିଷାକ୍ତ । ଏପରିକି ଗାଧେଇବା ପାଇଁ ବି ଏସବୁ କେନାଲର ଜଳ ଉପଯୁକ୍ତ ନୁହେଁ । ଏହି କେନାଲଗୁଡ଼ିକର ଜଳ ଏତେ ପରିମାଣରେ ପ୍ରଦୂଷିତ ଯେ ଏଥିରେ ଗାଧେଇବା ତ ଦୂରର କଥା ବିଶୋଧନ କରି ମଧ୍ୟ ଏହାର ପାଣିକୁ ପାନୀୟ ଜଳ ଭାବେ ଉପଯୋଗ କରିହେବ ନାହିଁ । କେବଳ ଜଳସେଚନ ପାଇଁ ଛାଡ଼ି ଦେଲେ ଏହି କେନାଲଗୁଡ଼ିକର ଜଳ ସାଧାରଣ ଲୋକଙ୍କ ଉପଯୋଗ ନିମନ୍ତେ ପ୍ରଯୁଜ୍ୟ ନୁହେଁ । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏଭଳି କିଛି ତଥ୍ୟଭିତ୍ତିକ ରିପୋର୍ଟ ଗତ ୪ଦିନ ତଳେ ରାଜ୍ୟ ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ତଥା ଉନ୍ନୟନ କମିଶନରଙ୍କୁ ପ୍ରଦାନ କରି ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଦସ୍ୟ ସଚିବ କହିଛନ୍ତି ଯେ ବୋର୍ଡ ଦ୍ୱାରା ନିୟମିତ ଭାବେ କେନାଲ ଜଳଗୁଡ଼ିକର ଗୁଣାତ୍ମ୍କ ମାନର ପରୀକ୍ଷା ନିରୀକ୍ଷା କରାଯାଇଥାଏ । ୨୦୨୨ ମସିହାରେ କେନାଲଗୁଡ଼ିକରେ ଛଡ଼ାଯାଇଥିବା ଜଳର ଗୁଣାତ୍ମ୍କ ମାନ ଓ ବିଭିନ୍ନ ଉପଯୋଗ ନିମନ୍ତେ ଏହା ପ୍ରଯୁଜ୍ୟ କି ନୁହେଁ ତାହା ଆକଳନ କରାଯାଇଥିଲା । କଟକ ସହରର ବିଭିନ୍ନ ବର୍ଗର ଲୋକେ ତାଳଦଣ୍ଡା କେନାଲ ଉପରେ ନିର୍ଭର କରିଥାନ୍ତି ।
ଏହି କେନାଲ ପାରାଦୀପ ପର୍ଯ୍ୟନ୍ତ ଲମ୍ବିଛି । ତେବେ ତାଳଦଣ୍ଡା କେନାଲର ଜଳକୁ କଟକର ଯୋବ୍ରା, ରାଣୀହାଟ, ଛତ୍ରବଜାର, ନୂଆବଜାର, ବିରିବାଟୀ ଓ ଅଠରବାଙ୍କି ସମେତ ପୁରୀ କେନାଲର ହଂସପାଳ, ଜଗନ୍ନାଥପୁର ଓ ଚନ୍ଦନପୁରଠାରେ ଜଳର ନମୂନା ସଂଗ୍ରହ କରାଯାଇ ପରୀକ୍ଷାନିରୀକ୍ଷା କରାଯାଇଥିଲା । ଏହି ପରୀକ୍ଷା ପରେ ଜଣାପଡ଼ିଛି ଯେ ଏହି କେନାଲଗୁଡ଼ିକର ଜଳରେ କୋଲିଫର୍ମ ଓ ଫିକଲ କୋଲିଫର୍ମ ପରିମାଣ ରହୁଛି ଯାହାକି ଗାଧେଇବା ଓ ପାନୀୟ ଜଳ(କୀଟାଣୁଶୋଧନ ପରେ ପାରମ୍ପରିକ ବିଶୋଧନ ପରେ ପିଇବା ଯୋଗ୍ୟ) ନିମନ୍ତେ ଶରୀରର ସହନଶୀଳତାର ପରିମାଣଠୁ ଢ଼େର ଅଧିକ । ସେହିପରି ଅଠରବାଙ୍କିଠାରେ ତାଳଦଣ୍ଡା କେନାଲ ଜଳରେ ବାୟୋକେମିକାଲ ପରିମାଣ ମଧ୍ୟ ମିଳିଛି । ତେବେ ସମସ୍ତ ସ୍ଥାନରେ ସଂଗୃହୀତ ଜଳକୁ ଚାଷ କାର୍ଯ୍ୟ ପାଇଁ ଜଳସେଚନ ନିମନ୍ତେ ଉପଯୋଗ କରିବାରେ କୌଣସି ସମସ୍ୟା ନାହିଁ ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି ।
ସେହିପରି ଦୟା ୱେଷ୍ଟ କେନାଲର ୮ଟି ସ୍ଥାନ ଯଥା- କେନ୍ଦୁପାଟଣାସ୍ଥିତ କୁଞ୍ଜବିହାରୀ କଲେଜ ନିକଟ, କେନ୍ଦୁପାଟଣା ଗାଁ, କାଳିଖମା ବ୍ରିଜ, ଭେଟପଡ଼ା, ମୁଣ୍ଡାସାହି ନିକଟ ଗଙ୍ଗୁଆ ନାଳ, ବିମଖାଲ ନିକଟ ଜଗନ୍ନାଥ ଏଭିନ୍ୟୁ, ଗ୍ୟାରେଜ ଛକ-ସାମନ୍ତରାପୁର ଓ କୋଚିଲାପୁଟଠାରେ କେନାଲ ଜଳର ନମୂନାକୁ ୨୦୨୨ ମେ’ ମାସରୁ ସଂଗ୍ରହ କରାଯାଇ ନିୟମିତ ଭାବେ ପରୀକ୍ଷାନିରୀକ୍ଷା କରାଯାଉଛି । ଦୟା ୱେଷ୍ଟ କେନାଲର ଜଳର ଅଧିକାଂଶ ସ୍ଥାନରେ ଟୋଟାଲ କୋଲିଫର୍ମ, ଫିକଲ କୋଲିଫର୍ମ, ବାୟୋକେମିକାଲ ଅକ୍ସିଜେନ୍ ଡିମାଣ୍ଡ(ବିଓଡି) ଆଦି ପ୍ରଦୂଷିତ ମାତ୍ରା ରହୁଥିବାରୁ ଏହି କେନାଲଗୁଡ଼ିକ ସାଧାରଣ ଲୋକଙ୍କ ଉପଯୋଗ କରିବା ଉଚିତ୍ ନୁହେଁ । ସୂଚନାଯୋଗ୍ୟ, ବର୍ଜ୍ୟବସ୍ତୁ ଓ ଆବର୍ଜନା ଯୋଗୁ କେନାଲ ଜଳଗୁଡ଼ିକ ପ୍ରଦୂଷିତ ହେବାରେ ଲାଗିଛି । ଆଉ କଟକ ଓ ଭୁବନେଶ୍ୱର ଭଳି ସହରର କେନାଲ କୂଳରେ ରହୁଥିବା ଗରିବ ଲୋକମାନେ ଏହା ଉପରେ ନିର୍ଭରଶୀଳ ରହି କେବଳ ରୋଗକୁ ଆମନ୍ତ୍ରଣ କରୁଥିବା ଜଣାପଡ଼ିଛି ।