ଛତ୍ରପୁର: କରୋନା ସଂକ୍ରମଣ ହ୍ରାସ ପାଇଥିବା ଯୋଗୁଁ ପ୍ରଶାସନ ଧର୍ମାନୁଷ୍ଠାନ ଖୋଲିବା କଟକଣାକୁ କୋହଳ କରିଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କେତେକ ନିର୍ଦ୍ଦେଶ ମାଧ୍ୟମରେ ଜିଲ୍ଲାର ଧର୍ମାନୁଷ୍ଠାନ ଖୋଲିବାକୁ ଅନୁମତି ଦେଇଛନ୍ତି । ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ବିଭାଗଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ଚର୍ଚ୍ଚ, ମନ୍ଦିର, ମସ୍ଜିଦ ଓ ଧର୍ମାନୁଷ୍ଠାନଗୁଡିକ କୋଭିଡ୍ କଟକଣାର ଅନୁପାଳନ କରି ଖୋଲିବାକୁ ଅନୁମତି ଦେଇଛନ୍ତି । ଧର୍ମାନୁଷ୍ଠାନ ଗୁଡିକ ଜନସାଧାରଣଙ୍କ ସକାଶେ ସକାଳ ୬ଟାରୁ ଖୋଲାଯିବ । ଧର୍ମାନୁଷ୍ଠାନ ଭିତରେ ଏକାଥରକେ ୧୦ ଜଣ ଭକ୍ତଙ୍କ ଠାରୁ ଅଧିକ ପ୍ରବେଶ କରିବେ ନାହିଁ । କଟକଣାର ଅନୁଧ୍ୟାନ କରିବେ ଧର୍ମାନୁଷ୍ଠାନ ପରିଚାଳନା କମିଟି । ଧର୍ମାନୁଷ୍ଠାନ ମଧ୍ୟକୁ ପ୍ରବେଶ କରିବା ପୂର୍ବରୁ ଭକ୍ତ ହାତକୁ ଭଲରୁପେ ସାନିଟାଇଜେସନ କରିବାକୁ ହେବ ।
ମାସ୍କ ଭଲରୁପେ ପିନ୍ଧିବେ, ସାମାଜିକ ଦୂରତା ଅନୁପାଳନ କରିବେ, ଧର୍ମାନୁଷ୍ଠାନ ଭିତରେ ଓ ବାହାରେ ଲୋକେ ମାସ୍କ ପରିଧାନ କରିବା ଜରୁରୀ। ଧର୍ମାନୁଷ୍ଠାନ କର୍ତ୍ତୃପକ୍ଷ କିମ୍ବା ପରିଚାଳନା କମିଟି ପ୍ରତ୍ୟେକ ଦିନ ଧର୍ମାନୁଷ୍ଠାନ ପରିସର ସାନିଟାଇଜ୍ କରିବେ । ଧର୍ମାନୁଷ୍ଠାନ ପ୍ରବେଶ ପଥରେ ଥର୍ମାଲ ସ୍କ୍ରିନିଂ କରିବେ । ଯେଉଁ ମାନଙ୍କଠାରେ ଜ୍ୱର, କାଶ କିମ୍ବା ଥଣ୍ଡା ଲକ୍ଷଣ ରହୁଚି, ସେମାନଙ୍କୁ ପ୍ରବେଶ ବାରଣ କରିବେ । ଧର୍ମାନୁଷ୍ଠାନ ଗୁଡିକରେ ଥିବା ପ୍ରତିମୂର୍ତ୍ତିକୁ କେହି ସ୍ପର୍ଶ କରିବେ ନାହିଁ । ପ୍ରସାଦ ବଣ୍ଟନ କିମ୍ବା ସେବନ ବାରଣ କରାଯାଇଛି ।
ମା’ ତାରାତାରିଣୀ ଦର୍ଶନକୁ ଗଲାବେଳେ ଭକ୍ତଗଣ ନିଜ ନିଜ ଯାନବାହନ ମନ୍ଦିର ପାଦ ଦେଶରେ ବ୍ୟବସ୍ଥା କରାଯାଇଥିବା ଯାନବାହନ ସ୍ଥାନରେ ରଖିବେ । ମନ୍ଦିର ନିକଟକୁ (ଉପରକୁ ) ଯାନବାହନ ନେବା ସମ୍ପୂର୍ଣ୍ଣ ମନା ହୋଇଛି । ୬୫ ବର୍ଷରୁ ଊର୍ଦ୍ଧ୍ୱ, କରୋନା ଲକ୍ଷଣ ଜନିତ ବ୍ୟକ୍ତି, ଗର୍ଭବତୀ ମହିଳା ଏବଂ ୧୦ ବର୍ଷରୁ କମ୍ ବୟସ ପିଲାଙ୍କୁ ଧର୍ମାନୁଷ୍ଠାନ ଗୁଡିକଯିବା ବାରଣ କରାଯାଇଛି । ଧର୍ମାନୁଷ୍ଠାନ ଗୁଡିକରେ ବିବାହ କାର୍ଯ୍ୟ କିମ୍ବା ମାଙ୍ଗଳିକ କାର୍ଯ୍ୟ ସକାଶେ ବର୍ତ୍ତମାନ ବାରଣ ରହିଛି । ମହାଶିବରାତ୍ରି ସମୟରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ନାହିଁ । ଦର୍ଶକ ବିହୀନ କେବଳ ୧୦ ଜଣ ବ୍ୟକ୍ତିଙ୍କ ଦ୍ୱାରା ଭଜନ ପରିବେଷଣକୁ ଅନୁମତି ରହିଛି ।