27.1 C
Bhubaneswar
Friday, September 20, 2024
Homeଦେଶ ବିଦେଶ୩୭୦ ଉପରେ ଅଗଷ୍ଟ ୨ରୁ ସୁପ୍ରିମ୍‌କୋର୍ଟରେ ନିୟମିତ ଶୁଣାଣି; ପିଟିସନ୍ ଫେରାଇନେଲେ ଶାହ ଫୈଜଲ୍ ଓ...

୩୭୦ ଉପରେ ଅଗଷ୍ଟ ୨ରୁ ସୁପ୍ରିମ୍‌କୋର୍ଟରେ ନିୟମିତ ଶୁଣାଣି; ପିଟିସନ୍ ଫେରାଇନେଲେ ଶାହ ଫୈଜଲ୍ ଓ ସେହେଲା ରଶିଦ୍‌

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ୍ କରି ହୋଇଥିବା ୨୦ରୁ ଊର୍ଦ୍ଧ୍ୱ ପିଟିସନ୍ ଉପରେ ମଙ୍ଗଳବାର ସୁପ୍ରିମ୍‌କୋର୍ଟରେ ଶୁଣାଣି ହୋଇଛି । ଅଗଷ୍ଟ ୨ରୁ ଏହା ଉପରେ ନିୟମିତ ଶୁଣାଣି କରାଯିବ ବୋଲି ସିଜେଆଇ ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି । ଏହି ଶୁଣାଣି ସୋମବାର ଏବଂ ଶୁକ୍ରବାର ବ୍ୟତୀତ ପ୍ରତ୍ୟେକ ଦିନ ସକାଳ ସାଢ଼େ ୧୦ଟାରୁ ହେବ । ଇତିମଧ୍ୟରେ ଆଇଏଏସ୍ ଅଧିକାରୀ ଶାହ ଫୈଜଲ୍ ଓ ସାମାଜିକ କର୍ମୀ ସେହେଲା ରଶିଦ୍ ଏହି ପିଟିସନ୍‌ରୁ ନିଜ ନିଜ ନାମ ପ୍ରତ୍ୟାହାର କରିନେଇଛନ୍ତି ।

କୌଣସି ପିଟିସନର୍ ନାମ ପ୍ରତ୍ୟାହାର କରିନେବେ କେନ୍ଦ୍ରର କୌଣସି ଅସୁବିଧା ନାହିଁ ବୋଲି କେନ୍ଦ୍ର ପକ୍ଷରୁ ଉପସ୍ଥିତ ସଲିସିଟର୍ ଜେନେରାଲ୍ ତୁଷାର ମେହେଟା କହିବା ପରେ କୋର୍ଟ ନାମ ପ୍ରତ୍ୟାହାର ପାଇଁ ଅନୁମତି ଦେଇଥିଲେ । ସିଜେଆଇ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଜଷ୍ଟିସ୍ ସଞ୍ଜୟ କିଶନ କୌଲ, ଜଷ୍ଟିସ୍ ସଞ୍ଜୀବ ଖାନ୍ନା, ଜଷ୍ଟିସ୍ ବିଆର୍ ଗଭଇ ଏବଂ ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ପାଞ୍ଚଜଣିଆ ବେଞ୍ଚ୍ ମାମଲାର ଶୁଣାଣି କରିବେ । ସେହିପରି ସାମାନ୍ୟ ସୁବିଧା ସଂକଳନ ପ୍ରସ୍ତୁତି ପାଇଁ କୋର୍ଟ ଆଡ୍‌ଭୋକେଟ୍ ପ୍ରଶନ୍ନା ଏବଂ କାନୁ ଅଗ୍ରୱାଲ୍‌ଙ୍କୁ ନୋଡାଲ୍ କାଉନ୍‌ସିଲ୍ ନିଯୁକ୍ତ କରିଛନ୍ତି । ଜୁଲାଇ ୨୭ ସୁଦ୍ଧା ସଂକଳନରେ ଯେକୌଣସି ଅତିରିକ୍ତ ଯୋଗ ସମ୍ପନ୍ନ କରିବାକୁ କୁହାଯାଇଛି ।

୩ ବର୍ଷ ପରେ ଧାରା ୩୭୦ ଉପରେ ସର୍ବୋଚ୍ଚ ଅଦାଲତରେ ମଙ୍ଗଳବାର ଶୁଣାଣି ହୋଇଛି । ଏହା ପୂର୍ବରୁ ୨୦୨୦ ମାର୍ଚ୍ଚରେ ୫ ଜଜ୍‌ଙ୍କ ସାମ୍ବିଧାନିକ ବେଞ୍ଚ୍ ମାମଲାର ଶୁଣାଣି କରିଥିଲେ । ତେବେ ବେଞ୍ଚ୍ ଏହାକୁ ୭ ଜଣିଆ ବୃହତ୍ ବେଞ୍ଚ୍‌କୁ ପଠାଇବାକୁ ମନା କରିଦେଇଥିଲେ । ସୁପ୍ରିମ୍‌କୋର୍ଟରେ ମଙ୍ଗଳବାର ଶୁଣାଣିର ଦିନକ ପୂର୍ବରୁ ସୋମବାର କେନ୍ଦ୍ର ସରକାର ଏହି ମାମଲାରେ ନୂଆ ଆଫିଡେଭିଟ୍ ଦାଖଲ କରିଯାଇଥିଲା । କେନ୍ଦ୍ର ପକ୍ଷରୁ ଏଥିରେ କୁହାଯାଇଛି ତିନି ଦଶକ ଧରି ଜମ୍ମୁ-କଶ୍ମୀର ଆତଙ୍କବାଦର ଶିକାର ହୋଇଆସୁଥିଲା । ଏହାର ଅନ୍ତ ଘଟାଇବା ନିମନ୍ତେ ଧାରା ୩୭୦ ଉଚ୍ଛେଦ କରିବା ଏକମାତ୍ର ରାସ୍ତା ଥିଲା । ସୂଚନାଯୋଗ୍ୟ, କେନ୍ଦ୍ର ସରକାର ୨୦୧୯ ଅଗଷ୍ଟ ୫ ତାରିଖରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିଲେ । ଏହାପରେ ଅକ୍ଟୋବର ୨୦୨୦ ଅକ୍ଟୋବରରୁ ସାମ୍ବିଧାନକ ବେଞ୍ଚ୍ ହିଁ ଏହି ମାମଲାର ଶୁଣାଣି କରିଆସୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking