19.1 C
Bhubaneswar
Friday, November 22, 2024
Homeଦେଶ ବିଦେଶଏହି ରାଜ୍ୟରେ ଲିଭ-ଇନ୍ ରିଲେସନସିପ ପାଇଁ ପଞ୍ଜୀକରଣ, ବହୁବିବାହ ସମ୍ପୂର୍ଣ୍ଣ ନିଷେଧ

ଏହି ରାଜ୍ୟରେ ଲିଭ-ଇନ୍ ରିଲେସନସିପ ପାଇଁ ପଞ୍ଜୀକରଣ, ବହୁବିବାହ ସମ୍ପୂର୍ଣ୍ଣ ନିଷେଧ

ଡେରାଡୁନ: ଦେଶର ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡ, ଆଜି ବିଧାନସଭାରେ ‘ଏକକ ନାଗରିକ ସଂହିତା’ ବା ‘ୟୁନିଫର୍ମ ସିଭିଲ କୋଡ’ ବିଲ୍‌? ଆଗତ କରିଛି । ସର୍ବୋଚ୍ଚକୋର୍ଟର ପୂର୍ବତନ ବିଚାରପତି ରଞ୍ଜନା ପ୍ରକାଶ ଦେଶାଇଙ୍କ ନେତୃତ୍ୱାଧୀନ କମିଟିର ଡ୍ରାଫ୍ଟ ରିପୋର୍ଟକୁ ଧାମି କ୍ୟାବିନେଟ ଅନୁମୋଦନ କରିଥିଲା । ଆଜି ଏହାକୁ ବିଲ ଭାବେ ଧାମି ସରକାର ଗୃହରେ ଆଗତ କରିଛନ୍ତି । ଏହି ଅଧିନିୟମ କେବଳ ସବୁ ବର୍ଗ ପାଇଁ ବର୍ତ୍ତମାନ ସମୟର ଆବଶ୍ୟକତା ନୁହେଁ ବରଂ ମୋଦି ସରକାରର ‘ସବକା ସାଥ-ସବକା ବିଶ୍ୱାସ’ ଓ ‘ଏକ ଭାରତ-ଶ୍ରେଷ୍ଠ ଭାରତ’ ଭିଜନର ଏକ ବଡ ଦିଗ ବୋଲି ମୁଖ୍ୟମନ୍ତ୍ରୀ ଧାମି କହିଛନ୍ତି । ଅପରାହ୍ନରେ ବିଲ ଆଗତ ହେବା ପରେ ଏହା ଉପରେ ଗୃହରେ ଚର୍ଚ୍ଚା ଜାରି ରହିଛି । ଏହି ବିଲରେ ରାଜ୍ୟରେ ବସବାସ କରୁଥିବା ସବୁ ଧର୍ମାବଲମ୍ବୀଙ୍କ ପାଇଁ ବିବାହ, ବିବାହ ବିଚ୍ଛେଦ, ମାଲିକାନା ସ୍ୱତ୍ୱ ଓ ଲିଭ-ଇନ ରିଲେସନସିପ ପରି କ୍ଷେତ୍ର ସମ୍ପର୍କରେ ସ୍ପଷ୍ଟ ପରିଭାଷା ଓ ନୂତନ ନିୟମ ରହିଛି । କୌଣସି ପ୍ରକାୟ ଧର୍ମୀୟ ନିୟମ ଅନୁସାରେ, ବିବାହ କିମ୍ବା ଛାଡପତ୍ର ହୋଇପାରିବ ନାହିଁ । ଏହି ସବୁ ମାମଲାରେ ନ୍ୟାୟିକ ବ୍ୟବସ୍ଥା ହିଁ ନିର୍ଣ୍ଣାୟକ ହେବ ।

ସେହିପରି ସବୁଠାରୁ ଅଧିକ ଚର୍ଚ୍ଚାରେ ଲିଭ-ଇନ ରିଲେସନସିପ ବା ବିନା ବିବାହରେ ଏକତ୍ର ରହିବା ପ୍ରସଙ୍ଗରେ ଥିବା ନିୟମ ରହିଛି । ଏଥିପାଇଁ ଗୋପନୀୟତା ବଜାୟ ରଖିବା ଅପରାଧିକ ଶ୍ରେଣୀଭୂକ୍ତ ହେବ । କେହି ପ୍ରାପ୍ତବୟସ୍କ ଯୁବକ-ଯୁବତୀ କିମ୍ବା ପୁରୁଷ ମହିଳା ଲିଭ-ଇନରେ ରହିଲେ, ସେମାନଙ୍କୁ ପଞ୍ଜୀକରଣ କରିବାକୁ ହେବ । ଜିଲ୍ଲା ପ୍ରଶାସନ ନିକଟରେ ଏହି ପଞ୍ଜୀକରଣ କରିବାକୁ ପଡିବ । ବିନା ପଞ୍ଜୀକରଣରେ ଏକତ୍ର ରହିବାକୁ ବେଆଇନ ଓ ଅପରାଧ ଶ୍ରେଣୀଭୂକ୍ତ କରାଯାଇଛି । ଏଥିପାଇଁ ୩ ମାସ ପର୍ଯ୍ୟନ୍ତ ଉଭୟଙ୍କୁ ଜେଲ ଦଣ୍ଡ ମଧ୍ୟ ହୋଇପାରେ । ଲିଭ-ଇନ ରିଲେସନସିପ ପଞ୍ଜାକରଣ ପାଇଁ ଆବେଦନ କରିଥିବା ଉଭୟଙ୍କ ମଧ୍ୟରୁ କେହି ୧୮ ବର୍ଷରୁ କମ ହେବା ଉଚିତ ନୁହେଁ । କେହି ଜଣଙ୍କୁ ଭୟ, ପ୍ରଲୋଭିତ କିମ୍ବା ଅନ୍ୟ କୌଣସି ଉପାୟରେ ଲିଭ-ଇନରେ ରହିବା ପାଇଁ ବାଧ୍ୟ କରାଯାଉଛି କି ନାହିଁ ତାହା ମଧ୍ୟ ପଞ୍ଜୀକରଣ ପୂର୍ବରୁ ତଦନ୍ତ କରାଯିବ । ଧାରା ୩୮୦ ରେ ପ୍ରଦାନ କରାଯାଇଥିବା ସମସ୍ତ ସର୍ତ୍ତାବଳୀକୁ ଲିଭ-ଇନ ପଞ୍ଜୀକରଣ ପାଇଁ ପାଇଁ ଦାଖଲ କରାଯାଇଥିବା ଆବେଦନର ବିବରଣୀ ସଠିକ ପ୍ରମାଣ କରୁଛି କି ନାହିଁ ତାହା ମଧ୍ୟ ବିଚାରଯୋଗ୍ୟ ।

ଏହା ପରେ କୌଣସି କାରଣବଶତଃ ଯଦି ପଞ୍ଜୀକରଣର ନାକଜ ହୁଏ, ତେବେ ଏହାର ଲିଖିତ କାରଣ ମଧ୍ୟ ଜିଲ୍ଲା ପ୍ରଶାସନ ଆବେଦନକାରୀଙ୍କୁ ଉପଲବ୍ଧ କରାଇବ । ସେହିପରି ଯଦି କେହି ବିନା ପଞ୍ଜୀକରଣରେ ଏକମାସରୁ ଅଧିକ ସମୟ ଧରି ଲିଭଇନ ରିଲେସନସିପରେ ରହିଥାନ୍ତି, ତେବେ ତାଙ୍କ ବିରୋଧରେ ଅପରାଧିକ ମାମଲା ଦାଏର ହେବ । ୩ ମାସ ଜେଲ ଦଣ୍ଡ ସହ ୧୦ ହଜାର ଟଙ୍କାର ଜୋରିମାନା ମଧ୍ୟ ପ୍ରଦାନ କରିବାକୁ ପଡିବ । ସେହିପରି ପଞ୍ଜୀକରଣ ବେଳେ କୌଣସି ମିଥ୍ୟା ପ୍ରମାଣପତ୍ର କିମ୍ବା ସୂଚନା ଦେଇଥିବା ଜଣାପଡିଲେ, ପଞ୍ଜୀକରଣ ଖାରଜ କରାଯିବା ସହ କାର୍ଯ୍ୟାନୁଷ୍ଠାନ ହେବାର ବ୍ୟବସ୍ଥା ରହିଛି । ଲିଭଇନ ରିଲେସନସିପ ଅବଧି ମଧ୍ୟରେ ଜନ୍ମିତ ଶିଶୁଙ୍କୁ ବୈଧ ଭାବେ ଗ୍ରହଣ କରାଯିବ । ଏମାନଙ୍କୁ ଅନ୍ୟ ସନ୍ତାନଙ୍କ ପରି ପିତା-ମାତାଙ୍କ ପରିଚୟ ଓ ସମ୍ପତ୍ତି ଅଧିକାର ରହିବ ।

ଏହି ଅଧିନିୟମରେ ଅନ୍ୟ ଏକ ଚର୍ଚ୍ଚିତ ନିୟମ ହେଉଛି ବହୁବିବାହକୁ ସମ୍ପୂର୍ଣ୍ଣ ବେଆଇନ ଓ ନିଷେଧ ଘୋଷଣା କରାଯାଇଛି । ସମସ୍ତ ଧର୍ମ ପାଇଁ ଏକକ ବିବାହ ଓ ବିବାହ ପଞ୍ଜୀକରଣ କରିବା ମଧ୍ୟ ବାଧ୍ୟତାମୂଳକ ହେବ । ପାରମ୍ପରିକ ଭାବେ ବିବାହ ସମ୍ପନ୍ନ ହେଲେ ମଧ୍ୟ ଏହାକୁ ପଞ୍ଜୀକୃତ କରିବା ବାଧ୍ୟତାମୂଳକ କରାଯାଇଛି । ଯଦି କୌଣସି କ୍ଷେତ୍ରରେ ବିବାହ ବିଚ୍ଛେଦର ଆବଶ୍ୟକତା ପଡେ, ତେବେ ଦମ୍ପତି କୋର୍ଟର ଆଶ୍ରୟ ନେବେ । ବିବାହ ବିଚ୍ଛେଦ ପ୍ରକ୍ରିୟା ସମ୍ପୂର୍ଣ୍ଣ ଶେଷ ହୋଇଥିଲେ, ସେମାନେ ଦ୍ୱିତୀୟ ବିବାହ କରିବାରେ କୌଣସି ସମସ୍ୟା ନାହିଁ । ପୂର୍ବରୁ କିଛି ନିର୍ଦ୍ଦିଷ୍ଟ ଧର୍ମରେ ଧର୍ମୀୟ ଆଧାରରେ ଥିବା ବିବାହ ସତ୍ତ୍ୱରେ ବହୁପତ୍ନୀ ଗ୍ରହଣ କରିବାର ବ୍ୟବସ୍ଥା ଥିଲା । ବିବାହ ଓ ବିଚ୍ଛେଦ ଆଦି କ୍ଷେତ୍ରରେ ପୁରୁଷ ପ୍ରାଧାନ୍ୟତା ସାଙ୍ଗକୁ ମହିଳାଙ୍କ ସାମାଜିକ ଅଧିକାର ମଧ୍ୟ କ୍ଷୂର୍ଣ୍ଣ ହେଉଥିଲା । ଏବେ ସମସ୍ତ ନାଗରିକଙ୍କ ପାଇଁ ଏକକ ବିବାହ ଓ ତାହା ପଞ୍ଜୀକରଣ ସହ କରିବାକୁ ଏହି ନିୟମରେ ବାଧ୍ୟତାମୂଳକ ହେବାକୁ ଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking