30.1 C
Bhubaneswar
Wednesday, February 11, 2026
Homeଓଡିଶା୬ରୁ ହବିଷ୍ୟାଳୀ ବ୍ରତ ପାଇଁ ପଞ୍ଜୀକରଣ

୬ରୁ ହବିଷ୍ୟାଳୀ ବ୍ରତ ପାଇଁ ପଞ୍ଜୀକରଣ

ପୁରୀ: ଆସନ୍ତା କାର୍ତ୍ତିକ ମାସରେ ହବିଷ୍ୟାଳୀ ବ୍ରତ ବା ରାଈଦାମୋଦର ବ୍ରତ ପାଇଁ ଚଳିତ ମାସ ୬ ତାରିଖରୁ ଅନଲାଇନ ମାଧ୍ୟମରେ ପଞ୍ଜୀକରଣ ଆରମ୍ଭ ହେବ। ଏହା ଅକ୍ଟୋବର ୧୧ତାରିଖ ଅଥବା ଧାର୍ଯ୍ୟ ଲକ୍ଷ୍ୟ ପୂରଣ ପର୍ଯ୍ୟନ୍ତ ଜାରି ରହିବ ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସୂଚନା ଦେଇଛନ୍ତି। ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ଆସନ୍ତା କାର୍ତ୍ତିକ ମାସରେ ହବିଷ୍ୟାଳୀ ବ୍ରତ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସୂଚନା ଦେଇ ଜିଲ୍ଲାପାଳ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ଚଳିତ ମାସ ୧୮ ରୁ ହବିଷ୍ୟାଳୀ ବ୍ରତ ଆରମ୍ଭ ହେଉଥିବାରୁ ସମସ୍ତ ପ୍ରସ୍ତୁତିକୁ ଚୁଡାନ୍ତ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ସରକାର ଚଳିତ ବର୍ଷର ହବିଷ୍ୟାଳୀ ବ୍ରତ ପାଇଁ ଅନୁମତି ଦେବା ସହ ଆନୁସଙ୍ଗିକ ଅର୍ଥ ମଧ୍ୟ ମଞ୍ଜୁର କରିଛନ୍ତି। ଚଳିତ ବର୍ଷ ବୃନ୍ଦାବତୀ ନିବାସ, ବଗଲା, ଅକ୍ଷୟ ପାତ୍ର ଓ ମୋଚି ସାହି କଲ୍ୟାଣ ମଣ୍ଡପରେ ହବିଷ୍ୟାଳୀମାନଙ୍କୁ ରଖାଯିବ। ସେମାନଙ୍କ ରହଣି ସହ ପ୍ରାତଃରୁ ବୃନ୍ଦାବତୀ ପୂଜା, ମନ୍ଦିର ଦର୍ଶନ, ମହାପ୍ରସାଦ ସେବନ, ଭଜନ କୀର୍ତ୍ତନ ଇତ୍ୟାଦିର ବ୍ୟବସ୍ଥା କରାଯାଇଛି। ଆବେଦନକାରୀ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ହୋଇଥିବେ। ବିଧବା ବ୍ରତ ଧାରିଣୀଙ୍କୁ ଓ ନୂତନ ଆବେଦନକାରୀଙ୍କୁ ପ୍ରାଧାନ୍ୟ ଦିଆଯିବ। ଅନଲାଇନରେ ପଞ୍ଜୀକରଣ କରି ହିତାଧିକାରୀ ଭାବେ ଚୟନ ହୋଇଥିବା ମା’ମାନଙ୍କୁ ସେମାନଙ୍କ ରହଣି ସ୍ଥାନ ଓ କେତେ ତାରିଖରେ ପହଞ୍ଚିବେ ସୂଚନା ଦିଆଯିବ। ବିନା ପଞ୍ଜୀକରଣରେ ଅପ୍ରତ୍ୟାଶିତ ଭାବେ ହବିଷ୍ୟାଳୀ ଶିବିରକୁ ଆସୁଥିବା ବ୍ୟକ୍ତିଙ୍କ ଅନୁରୋଧକୁ ଗ୍ରହଣ କରାଯିବ ନାହିଁ। ଶିବିରରେ ହିତାଧିକାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଅସୁସ୍ଥ ଥିଲେ ପ୍ରବେଶ ଅନୁମତି ମିଳିବ ନାହିଁ। ଅନ୍ୟମାନଙ୍କ ମଧ୍ୟରେ ଡେପୁଟି କଲେକ୍ଟର ରାକେଶ ପଣ୍ଡା, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking