28.1 C
Bhubaneswar
Saturday, September 28, 2024
Homeଦେଶ ବିଦେଶଅମରନାଥ ଯାତ୍ରା ପାଇଁ ପଞ୍ଜୀକରଣ ଆରମ୍ଭ

ଅମରନାଥ ଯାତ୍ରା ପାଇଁ ପଞ୍ଜୀକରଣ ଆରମ୍ଭ

ନୂଆଦିଲ୍ଲୀ: ଜୁଲାଇ ୧ରୁ ପ୍ରସିଦ୍ଧ ଅମରନାଥ ଯାତ୍ରା ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ସୋମବାରଠାରୁ ଶ୍ରଦ୍ଧାଳୁଙ୍କ ନାମ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଉଭୟ ଅନ୍‌ଲାଇନ ଓ ଅଫ୍‌ଲାଇନରେ ନାମ ପଞ୍ଜୀକରଣ କରାଯାଉଛି । ଦେଶର ୩୧୬ଟି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଶାଖା ସମେତ ଜମ୍ମୁ-କଶ୍ମୀର ବ୍ୟାଙ୍କର ୯୦, ୟେସ୍ ବ୍ୟାଙ୍କ୍‌ର ୩୭ ଏବଂ ଷ୍ଟେଟ୍ ବ୍ୟାଙ୍କ୍‌ର ୯୯ ଶାଖାରେ ଅଫ୍‌ଲାଇନ ପଞ୍ଜୀକରଣ ବ୍ୟବସ୍ଥା କରାଯାଇଛି ।

ଏବର୍ଷ ନାମ ପଞ୍ଜୀକରଣ ପ୍ରକ୍ରିୟାରେ ଆଧାର କାର୍ଡକୁ ସାମିଲ କରାଯାଇଥିବାବେଳେ ଶ୍ରଦ୍ଧାଳୁଙ୍କ ଅଙ୍ଗୁଳିଛାପକୁ ସ୍କାନର ସାହାଯ୍ୟରେ ରେକର୍ଡ କରାଯିବ । ସରକାରୀ ଗାଇଡ୍‌ଲାଇନ ଅନୁଯାୟୀ ଅମରନାଥ ଯାତ୍ରା ପାଇଁ ୧୩ରୁ ୭୦ ବର୍ଷ ବୟସ୍କ ଶ୍ରଦ୍ଧାଳୁ ନାମ ପଞ୍ଜୀକରଣ କରିପାରିବେ । ତେବେ ସବୁ ଶ୍ରଦ୍ଧାଳୁଙ୍କ ପାଇଁ ଡାକ୍ତରୀ ସାର୍ଟିଫିକେଟକୁ ବାଧ୍ୟତାମୂଳକ କରାଯାଇଛି । ଜୁଲାଇ ୧ରୁ ଆରମ୍ଭ ହେଉଥିବା ଏହି ଯାତ୍ରା ୬୨ ଦିନ ଚାଲିବାପରେ ଅଗଷ୍ଟ ୩୧ରେ ଶେଷ ହେବ । ତେବେ ଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ସୁବିଧା ଅସୁବିଧାକୁ ଗୁରୁତ୍ୱ ଦିଆଯିବ ବୋଲି ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି ।

ଶ୍ରଦ୍ଧାଳୁମାନେ ଦୁଇଟି ରାସ୍ତା ଯଥା ପେହେଲଗାଓଁ ଓ ବାଲଥତାଲ ଦେଇ ଅମରନାଥ ଗୁମ୍ଫା ପର୍ଯ୍ୟନ୍ତ ଯାତ୍ରା କରିପାରିବେ । ଶ୍ରଦ୍ଧାଳୁମାନେ କଷ୍ଟ ସ୍ୱୀକାର କରି ଅମରନାଥ ଗୁମ୍ଫାରେ ପ୍ରାକୃତିକ ଉପାୟରେ ସୃଷ୍ଟ ବରଫ ଲିଙ୍ଗ ଦର୍ଶନ କରିଥାନ୍ତି । ଆତଙ୍କବାଦୀ ଆକ୍ରମଣ ଆଶଙ୍କା ଥିବାରୁ ଉଭୟପଥରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି କେନ୍ଦ୍ର ସରକାର କହିଛନ୍ତି । ଯାତ୍ରାପଥରେ ଶ୍ରଦ୍ଧାଳୁଙ୍କ ରହଣୀ, ଖାଦ୍ୟପେୟ ଏବଂ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ବନ୍ଦୋବସ୍ତ କରାଯାଇଛି । ଯାତ୍ରାପଥରେ ଟେଲିକମ୍ ସୁବିଧା ଯୋଗାଇଦେବାକୁ ବ୍ୟବସ୍ଥା କରାଯାଉଛି । ଶ୍ରୀନଗରରୁ ୧୪୧ କିମି ଏବଂ ଅନନ୍ତନାଗ ଜିଲ୍ଲା ମୁଖ୍ୟାଳୟରୁ ୧୬୮ କିମି ଦୂରରେ ତଥା ସମୁଦ୍ର ପତନଠାରୁ ପ୍ରାୟ ୧୩ ହଜାର ଫୁଟ ଉଚ୍ଚତାରେ ଏହି ପବିତ୍ର ଅମରନାଥ ଗୁମ୍ଫା ଅବସ୍ଥିତ ।

ବାଲତାଲ ରୁଟ୍‌ରେ ମାତ୍ର ୧୬ କିମି ଯାତ୍ରା କରିବାକୁ ପଡୁଥିଲେ ସୁଦ୍ଧା ଏହା ଅତ୍ୟନ୍ତ ଦୁର୍ଗମ ଏବଂ କଷ୍ଟସାଧ୍ୟ । ଅପରପକ୍ଷରେ ଅଧିକାଂଶ ଭକ୍ତ ପେହେଲଗାଓଁ ରୁଟ୍‌ରେ ୪୨ କିମି ଯାତ୍ରା କରିବାକୁ ଅଧିକ ପସନ୍ଦ କରିଥାନ୍ତି । ୧୯୯୦ ପୂର୍ବରୁ କେବଳ ସାଧୁମାନେ ଅମରନାଥ ଯାତ୍ରା କରୁଥିଲେ । ୧୯୯୫ରୁ ସାଧାରଣ ଭକ୍ତଙ୍କ ପାଇଁ ୨୦ ଦିନିଆ ଯାତ୍ରା ଆରମ୍ଭ କରାଯାଇଥିଲା । ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ଏହା ଦୁଇମାସ ଧରି ଆୟୋଜିତ ହୋଇଥିଲା । ପରବର୍ତ୍ତୀ ସମୟରେ ଏହି ଯାତ୍ରାକୁ ୪୦-୪୫ ଦିନରେ ସୀମିତ ରଖାଯାଇଥିଲା । ତେବେ ୨୦୧୧ରେ ନିର୍ଦ୍ଧାରିତ ସମୟର ଦଶ ଦିନ ପୂର୍ବରୁ ବରଫ ଲିଙ୍ଗ ତରଳିଯିବାରୁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking