କଟକ: ଓଡ଼ିଶା ହାଇକୋର୍ଟ ବାର୍ ଆସେସିଏସନ୍ର ପରଲୋକଗତ ସଦସ୍ୟଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଫୁଲ୍ କୋର୍ଟ ରେଫରେନ୍ସ ଏଣିକି ମାସକୁ କେବଳ ଗୋଟିଏ ନିର୍ଦ୍ଦିଷ୍ଟ ଦିନ କରାଯିବାକୁ ହାଇକୋର୍ଟ ରେଜିଷ୍ଟ୍ରାର୍ ପକ୍ଷରୁ ବାର୍ ଆସୋସିଏସନ୍କୁ ଚିଠି ଲେଖି ଏ ସଂକ୍ରାନ୍ତରେ ପରାମର୍ଶ ଦିଆଯାଇଛି । ମାସକୁ ଖୁବ୍ବେଶୀରେ ଥରଟିଏ ଫୁଲକୋର୍ଟ ରେଫରେନ୍ସ କରାଯାଉ । ତାହା ମାସର ଶେଷ କାର୍ଯ୍ୟ ଦିବସ ଅଥବା ମାସର ଶେଷ ସପ୍ତାହର ଯେକୌଣସି ଦିନ (ବିଶେଷକରି ଶୁକ୍ରବାର ଅପରାହ୍ଣ ୩ଟା ପରେ) ଫୁଲ କୋର୍ଟ ରେଫେରେନ୍ସ କରାଯିବାକୁ ହାଇକୋର୍ଟ ତରଫରୁ ହାଇକୋର୍ଟ ବାର୍ ଆସୋସିଏସନ୍କୁ ପ୍ରଦତ୍ତ ଚିଠିରେ ଲେଖାଯାଇଛି ।
ଉଲ୍ଲେଖଯୋଗ୍ୟ ଯେ ବାର୍ ଆସୋସିଏସନ୍ର କୌଣସି ସଦସ୍ୟଙ୍କ ପରଲୋକ ହେଲେ ତାଙ୍କୁ ସମ୍ମାନ ଜଣାଇ ଫୁଲ କୋର୍ଟ ରେଫରେନ୍ସ କରାଯାଇଥାଏ । ସାଧାରଣ ଭାବେ ଅପରାହ୍ଣ ୨ଟା ବେଳେ ହାଇକୋର୍ଟରେ ଫୁଲ କୋର୍ଟ ରେଫରେନ୍ସ ଅନୁଷ୍ଠିତ ହୋଇ ପରେ ଦିନତମାମ ଅଦାଲତ କାର୍ଯ୍ୟ ବନ୍ଦ ରଖାଯାଇଥାଏ । ପରଲୋକଗତ ବାର୍ ସଦସ୍ୟ ଆଇନଜୀବୀଙ୍କୁ ସମ୍ମାନ ଜଣାଇବାକୁ ଏପରି ବ୍ୟବସ୍ଥା ରହିଛି । ସୁପ୍ରିମକୋର୍ଟ ଓ ହାଇକୋର୍ଟର କାର୍ଯ୍ୟରତ ଓ ଅବସରପ୍ରାପ୍ତ ବିଚାରପତିଙ୍କ ପରଲୋକ କ୍ଷେତ୍ରରେ ମଧ୍ୟ ଫୁଲ କୋର୍ଟ ରେଫରେନ୍ସ ହୋଇଥାଏ । ତେବେ ଫୁଲ କୋର୍ଟ ରେଫରେନ୍ସ ନିର୍ଦ୍ଦିଷ୍ଟ ଦିନ କରିବାକୁ ସୁପ୍ରିମକୋର୍ଟ ୨୦୨୨ ଡିସେମ୍ବର ୧୪ରେ ନିର୍ଦ୍ଦେଶ ଦେଇଛନ୍ତି । ଏହାଦ୍ୱାରା କୋର୍ଟର ସ୍ୱାଭାବିକ କାର୍ଯ୍ୟ ବାଧାପ୍ରାପ୍ତ ନକରିବା ପାଇଁ ସୁପ୍ରିମକୋର୍ଟଙ୍କ ରାୟରେ ଉଲ୍ଲେଖ ରହିଛି । ତେଣୁ ଏହାକୁ ନିର୍ଦ୍ଧାରିତ ଢଙ୍ଗରେ କାର୍ଯ୍ୟକାରୀ କରିବା ପାଇଁ ହାଇକୋର୍ଟ ପକ୍ଷରୁ ବାରକୁ ପରାମର୍ଶ ଦେଇଛି ।