ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି କି, ଏପର୍ଯ୍ୟନ୍ତ ବିଭିନ୍ନ ବ୍ୟାଙ୍କକୁ ୧.୮ଲକ୍ଷ କୋଟି ମୂଲ୍ୟର ୨ ହଜାର ଟଙ୍କିଆ ନୋଟ ଫେରସ୍ତ ଆସିଛି । ଏହାସହ ସେ କହିଛନ୍ତି କି ୨୦୨୩ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଯେତିକି ୨ ହଜାର ଟଙ୍କିଆ ନୋଟ୍ ସର୍କୁଲେସନରେ ଥିଲା ତାହାର ଅଧା ଏପର୍ଯ୍ୟନ୍ତ ବ୍ୟାଙ୍କକୁ ଫେରିଛି । ଏହାସହ ୮୫ ପ୍ରତିଶତ ୨୦୦୦ ଟଙ୍କିଆ ନୋଟ ସିଧା ସଳଖ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଛି ।
ଶକ୍ତିକାନ୍ତ ଦାସ ଏହା ବି କହିଛନ୍ତି କି ଏବେ ୫୦୦ ଟଙ୍କିଆ ନୋଟ ପ୍ରତ୍ୟାହାର କରିବାର କୌଣସି ଯୋଜନା ନାହିଁ । ଏହାସହ ପୁଣିଥରେ ୧୦୦୦ ଟଙ୍କିଆ ନୋଟ ପ୍ରଚଳନ କରିବାର କୌଣସି ଯୋଜନା ନଥିବା କଥା ମଧ୍ୟ ସେ କହିଛନ୍ତି ।
ସୂଚନା ଥାଉକି ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ମେ’ମାସ ୧୯ ତାରିଖରେ ୨୦୦୦ ଟଙ୍କିଆ ନୋଟ ପ୍ରତ୍ୟାହାର କରିନିଆଯିବ ବୋଲି ଘୋଷଣା କରାଯାଇଥିଲା । ଯାହା ପାଖରେ ୨୦୦୦ ଟଙ୍କିଆ ନୋଟ ରହିଛି ସେ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବିନା କୌଣସି ପରିଚୟପତ୍ରରେ ଏହାକୁ ବ୍ୟାଙ୍କରେ ବଦଳାଇ ପାରିବେ ବୋଲି ରିଜର୍ଭ ବ୍ୟାଙ୍କ କହିଥିଲେ ।