ରାଞ୍ଚି : ଝାଡ଼ଖଣ୍ଡରେ ରାସନ୍ କାର୍ଡଧାରୀଙ୍କୁ ଦୁଇଚକିଆ ଯାନ ପାଇଁ ମାସିକ ୨୫୦ ଟଙ୍କାର ଇନ୍ଧନ ସବ୍ସିଡି ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବୁଧବାର ଘୋଷଣା କରିଛନ୍ତି । ୨୦୨୨ ଜାନୁଆରୀ ୨୬ରୁ ଏହା କାର୍ଯ୍ୟକାରୀ କରାଯିବ ବୋଲି ଜଣାପଡିଛି। ଏହାଦ୍ୱାରା ରାଜ୍ୟର ୬୨ ଲକ୍ଷ ଲୋକ ଉପକୃତ ହେବେ ବୋଲି କୁହାଯାଇଛି । ବର୍ତ୍ତମାନ ଦେଶରେ ପେଟ୍ରୋଲ/ଡିଜେଲ ମୂଲ୍ୟ ଆକାଶଛୁଆଁ ହୋଇଛି । ଏଥିଯୋଗୁଁ ଗରିବ ଓ ନିମ୍ନ ମଧ୍ୟବିତ୍ତ ପରିବାର ଅଧିକ ପ୍ରଭାବିତ ହେଉଛନ୍ତି ।
ଜଣେ ଗରିବ ଲୋକ ଘରେ ବାଇକ୍ ରଖିଥିଲେ ସୁଦ୍ଧା ପେଟ୍ରୋଲ ଦରକୁ ଦେଖି ତାହାକୁ ବ୍ୟବହାର କରିପାରୁନାହିଁ । ତେଣୁ ଏହି ବର୍ଗର ଲୋକଙ୍କ ବୋଝକୁ କିଛିମାତ୍ରାରେ ହାଲୁକା କରିବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ସୋରେନ କହିଛନ୍ତି । ତେଣୁ ତାଙ୍କ ସରକାର ଲିଟର ପିଛା ୨୫ ଟଙ୍କା ହିସାବରେ ପ୍ରତ୍ୟେକ ରାସନ୍ କାର୍ଡଧାରୀଙ୍କୁ ମାସିକ ୧୦ ଲିଟର ପେଟ୍ରୋଲ ଖର୍ଚ୍ଚ (ମୋଟ ୨୫୦ ଟଙ୍କା) ଯୋଗାଇଦେବେ । ଏହି ଅର୍ଥ ସଂପୃକ୍ତ ହିତାଧିକାରୀଙ୍କ ବ୍ୟାଙ୍କ୍ଖାତାକୁ ସିଧାସଳଖ ଟ୍ରାନ୍ସଫର କରାଯିବ । ବର୍ତ୍ତମାନ ଝାଡଖଣ୍ଡରେ ପେଟ୍ରୋଲ ଲିଟର ପିଛା ୯୮.୫୨ ଟଙ୍କାରେ ବିକ୍ରି କରାଯାଉଛି ।