ପୁରୀ: ତିନି ରଥର ନିର୍ମାଣ କାର୍ଯ୍ୟ ଆଜି ଶେଷ ହୋଇଛି । ୩ରଥରେ ଭୋଇ ଓ ମହାରଣା ସେବକମାନଙ୍କ ଦ୍ୱାରା ପ୍ରଭା ଲଗାଯିବା କାର୍ଯ୍ୟ ସମ୍ପନ୍ନ ହୋଇଥିବା ବେଳେ ତିନି ରଥର ଦୁଆର ବେଢ଼ାରେ କନା ପଡ଼ିବା ଶେଷ ହୋଇ ଦୁଆର ବେଢ଼ାରେ ଲାଗିଥିବା ମଦର ବତାଗୁଡ଼ିକରେ ମଗରପଟି ପଡ଼ିବା ଶେଷ ହୋଇଛି । ଏଥିସହିତ ଦରଜି ସେବକମାନେ ତିନି ରଥର ବତା କନା ଗୁଡ଼ିକର ଜୋଡ଼ଣୀ କାର୍ଯ୍ୟ ଶେଷ କରି ତିନି ରଥର ସାରଥିଙ୍କ ପୋଷାକ ତିଆରି ମଧ୍ୟ ଶେଷ କରିଛନ୍ତି । ଠାକୁରଙ୍କ ବିଜେ ସମୟରେ ପଟୁଆରରେ ଆସୁଥିବା ଧଳାଛତି ଓ ଓଲାରରେ କନା ପଡ଼ିବା କାର୍ଯ୍ୟ ଦରଜି ସେବକମାନଙ୍କ ଦ୍ୱାରା କରାଯାଇଛି । ଦରଜି ସେବକମାନେ ଶ୍ରୀବିଗ୍ରହମାନଙ୍କ ପାଇଁ ୪ଟି ବିଜେ ତୁଳି ଓ ୨ଟି ସିପର ତୁଳି ପ୍ରସ୍ତୁତି କରିଛନ୍ତି । ତିନି ରଥର ବ୍ରେକଗୁଡ଼ିକରେ ଲାଗିଥିବା ରବର ମ୍ୟାଟରେ ଆବଶ୍ୟକ ମରାମତି ସହ କଣ୍ଟା ପଡ଼ିବା କାର୍ଯ୍ୟ ଶେଷ ହୋଇଛି ।