ହାମ୍ବନ୍ଟୋଟା : ଶୁକ୍ରବାରଠାରୁ ଏଠାରେ ଘରୋଇ ଶ୍ରୀଲଙ୍କା ବିପକ୍ଷରେ ଆଫଗାନିସ୍ତାନର ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେଉଛି । ତେବେ ଏହି ସିରିଜ୍ର ପ୍ରଥମ ମ୍ୟାଚ୍ରେ ଭ୍ରମଣକାରୀ ଦଳର ତାରକା ଅଲ୍ରାଉଣ୍ଡର୍ ରଶିଦ୍ ଖାନ୍ ଖେଳିପାରିବେ ନାହିଁ । ଏନେଇ ଗୁରୁବାର ଦଳର ଅଧିନାୟକ ହଶମତ୍ଉଲ୍ଲା ଶାହିଦୀ ସୂଚନା ଦେଇଛନ୍ତି । ୨୪ ବର୍ଷୀୟ ରଶିଦ୍ ଆଫଗାନିସ୍ତାନ ପକ୍ଷରୁ ଦିନିକିଆରେ ସର୍ବାଧିକ ୧୬୩ଟି ୱିକେଟ୍ ନେଇପାରିଛନ୍ତି ।
ତାଙ୍କ ଅନୁପସ୍ଥିତି ଦଳ ପାଇଁ ସବୁଠାରୁ ବଡ଼ କ୍ଷତି ବୋଲି ଶାହିଦୀ କହିଛନ୍ତି । କିନ୍ତୁ ତାଙ୍କ ସ୍ଥାନରେ ଜଣେ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିବ ଓ ଏହାଦ୍ୱାରା ଶ୍ରୀଲଙ୍କା ପରି ଏକ ଶକ୍ତିଶାଳୀ ଦଳ ବିପକ୍ଷରେ ଉକ୍ତ ଖେଳାଳି ଜଣକ ନିଜର ପ୍ରତିଭାକୁ ଅଧିକ ଶାଣିତ କରିପାରିବେ ବୋଲି ଶାହିଦୀ କହିଛନ୍ତି ।
ଆସନ୍ତା ୭ରେ ଶେଷ ହେବାକୁ ଥିବା ଏହି ସିିରିଜ୍ର ୩ଟିଯାକ ମ୍ୟାଚ୍ ଏଠାରେ ଖେଳାଯିବ । ଏହି ସିରିଜ୍ ମାଧ୍ୟମରେ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଭାରତରେ ଖେଳାଯିବାକୁ ଥିବା ଦିନିକିଆ ବିଶ୍ୱକପ୍ ପାଇଁ ଆଫଗାନିସ୍ତାନ ପ୍ରସ୍ତୁତି କରିବା ଲକ୍ଷ୍ୟରେ ରହିଛି ।