ଚେନ୍ନାଇ: ତାମିଲନାଡୁରେ ଜଣେ ୨୨ ବର୍ଷିୟ ଦଳୀତ ମହିଳା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ୮ ଜଣିଆ ଏହି ଗ୍ୟାଙ୍ଗ୍ ଭିତରେ ଅଛନ୍ତି ଦୁଇଜଣ ଡିଏମକେ କାର୍ଯ୍ୟକର୍ତ୍ତା ଏବଂ ଚାରିଜଣ ନାବାଳକ । ବିରୁଧୁନଗର ଜିଲ୍ଲାରେ ଏହି ଲଜ୍ଜାଜନକ ଘଟଣା ଘଟିଛି । ପୀଡିତାଙ୍କ ଅଭିଯୋଗକୁ ଆଧାର କରି ସୋମବାର ପୋଲିସ ଏହି ୮ ଜଣଙ୍କୁ ଗିରଫ କରିବା ପରେ ଏହି ପ୍ରସଙ୍ଗ ସାମ୍ନାକୁ ଆସିଛି । ପୋଲିସ ଗିରଫ କରିଥିବା ୮ ଜଣ ଅଭିଯୁକ୍ତଙ୍କ ଭିତରେ ହରିହରନ୍, ଜୁନାଥ ଅହମ୍ମଦ, ପ୍ରବୀଣ, ମାଡାସାମି ଏବଂ ଚାରିଜଣ ନାବାଳକ ଅଛନ୍ତି ।
କିଛି ମାସ ପୂର୍ବରୁ ଡିଏମକେ କାର୍ଯ୍ୟକାରିଣୀ ନେତା ହରିହରନ୍ ବିରୁଧୁନଗରର ଜଣେ ୨୨ ବର୍ଷୀୟ ଦଳିତ ମହିଳାଙ୍କ ସହିତ ବନ୍ଧୁତା କରିଥିଲେ । ପରେ ହରିହରନ୍ ମହିଳାଙ୍କୁ ଏକ ନିର୍ଜନ ସ୍ଥାନକୁ ନେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ । ଏହା ପରେ ନେତା ଜଣକ ଏହାର ଭିଡିଓ ସୁଟିଂ କରି ନିଜ ସାଙ୍ଗମାନଙ୍କ ନିକଟକୁ ପଠାଇଥିଲେ ।
ଏହା ପରେ ହରିହରନ୍ ଏବଂ ତାଙ୍କ ବନ୍ଧୁମାନେ ପୀଡିତାଙ୍କୁ ଧମକ ଦେଇ କହିଥିଲେ ଯେ ଯଦି ସେ ସେମାନଙ୍କ ଦ୍ୱାରା ଯୌନ ସମ୍ପର୍କ ନରଖନ୍ତି ତେବେ ସେମାନେ ସୋସିଆଲ୍ ମିଡିଆରେ ଭିଡିଓ ସେୟାର କରିବେ । ସେମାନେ ଏହି ଭିଡିଓକୁ ଏକ ଅସ୍ତ୍ର ଭାବରେ ବ୍ୟବହାର କରିଥିଲେ ଏବଂ ଗତ ଦୁଇ ମାସ ମଧ୍ୟରେ ତାଙ୍କୁ ଏକାଧିକ ଥର ଯୌନ ଶୋଷଣ ଦେଇଥିଲେ । ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ସୋମବାର ଦିନ ପୋଲିସ ବଳାତ୍କାର ଅଭିଯୋଗ ଏବଂ ଏସସି / ଏସଟି (ପ୍ରିଭେନସନ୍ ଅଫ୍ ଆଟ୍ରୋସିଟିସ୍) ଅଧିନିୟମ ଅନୁଯାୟୀ ଅଭିଯୁକ୍ତକୁ ଗିରଫ କରିଛି ।