ବ୍ରହ୍ମପୁର : ନାବାଳିକା ବଳାତ୍କାର ମାମଲାର ଶୁଣାଣି କରି ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଥିବା ଦର୍ଶାଇ ଅଭିଯୁକ୍ତ ପ୍ରହଲ୍ଲାଦ ବେହେରାଙ୍କୁ ସ୍ଥାନୀୟ ଫାଷ୍ଟ ଟ୍ରାକ୍ ପୋକ୍ସୋ କୋର୍ଟ ଜଜ୍ ଗଣେଶ୍ୱର ପତି ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଦର୍ଶାଇ ୨୦ବର୍ଷ ଜେଲ ଦଣ୍ଡ ସହ ୩୦ହଜାର ଟଙ୍କା ଜରିମାନାର ଆଦେଶ ଶୁଣାଇଛନ୍ତି। ଜରିମାନା ଅନାଦେୟ ଅଧିକ ୩ମାସ ଜେଲ ଦଣ୍ଡର ନିର୍ଦ୍ଦେଶ ରହିଛି । ଏହାସହ ପୀଡିତାଙ୍କୁ ୫ଲକ୍ଷ ଟଙ୍କା ପ୍ରଦାନ ପାଇଁ ଡିଏଲଏସଙ୍କୁ ଜଜ୍ ଶ୍ରୀ ପତି ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ, ଖଲିକୋଟ ଥାନା ଅନ୍ତର୍ଗତ ଏକ ଗ୍ରାମରେ ୧୦ବର୍ଷର ନାବାଳିକା ଜଣଙ୍କ ୨୦୧୯ସେପ୍ଟମ୍ବର ୧୩ତାରିଖରେ ନିଜ ଘର ସମ୍ମୁଖରେ ଖେଳୁଥିବା ସମୟରେ ସେହି ଅଞ୍ଚଳର ବ୍ୟକ୍ତି ପ୍ରହଲ୍ଲାଦ ବେହେରା(୫୩) ନାବାଳିକାଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ଉଠାଇ ନେଇ ବଳାତ୍କାର କରିଥିଲେ । ପରେ ନାବାଳିକାଙ୍କୁ ଘଟଣା ସମ୍ପର୍କରେ କାହାରିକୁ ନ ଜଣାଇବା ପାଇଁ କହିଥିଲେ । ନାବାଳିକା ଜଣକ ଘରକୁ ଯାଇ ପରିବାର ଲୋକଙ୍କୁ କହିଥିଲେ । ଏ ନେଇ ନାବାଳିକାଙ୍କ ପରିବାର ଲୋକେ ୨୦୧୯ ସେପ୍ଟମ୍ବର ୨୪ ତାରିଖରେ ଖଲିକୋଟ ଥାନାରେ ଏତଲା ଦେଇଥିଲେ । ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ପ୍ରହଲ୍ଲାଦଙ୍କୁ ଗିରଫ କରିଥିଲେ ।
ପରେ ଏହି ମାମଲାର ତଦନ୍ତ ଅଧିକାରୀ ଏସଆଇ ଶୁଶାନ୍ତ ପ୍ରଧାନ କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲେ । ଫାଷ୍ଟଟ୍ରାକ୍ ପୋକ୍ସୋ କୋର୍ଟରେ ମାମଲାର ବିଚାରଣା ଚାଲିଥିବାବେଳେ ୧୦ଜଣ ସାକ୍ଷୀଙ୍କ ବୟାନ ରେକର୍ଡ ହୋଇଥିଲା । ଏଥିରେ ସାକ୍ଷୀମାନଙ୍କ ବୟାନକୁ ଆଧାର କରି ଜଜ୍ ପତି ଅଭିଯୁକ୍ତ ପ୍ରହଲ୍ଲାଦଙ୍କୁ ଆଜି ୨୦ବର୍ଷ ଜେଲ ଦଣ୍ଡ ସହ ୩୦ ହଜାର ଟଙ୍କା ଜରିମାନାର ଆଦେଶ ଶୁଣାଇଛନ୍ତି । ଜରିମାନା ଅନାଦେୟ ଆଉ ୩ମାସ ଜେଲ ଦଣ୍ଡର ଆଦେଶ ରହିଛି । ଏପରିକି ପୀଡିତା ନାବାଳିକାଙ୍କୁ ୫ଲକ୍ଷ ଟଙ୍କା ଦେବା ପାଇଁ ଡିଏଲଏସଙ୍କୁ ଜଜ୍ ଶ୍ରୀ ପତି ନିର୍ଦ୍ଦେଶ ଦେଇଛନ୍ତି ।