19.1 C
Bhubaneswar
Sunday, November 24, 2024
Homeଅପରାଧଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲା : ୪ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ୍

ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲା : ୪ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ୍

-ପୀଡିତାଙ୍କୁ ୫ ଲକ୍ଷ ଟଙ୍କା ସହାୟତା ରାଶି ଦେବାକୁ ନିର୍ଦ୍ଦେଶ
ବ୍ରହ୍ମପୁର: ଜନୈକା ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ ଆଜି ସ୍ୱତନ୍ତ୍ର ପୋକ୍‌ସୋ କୋର୍ଟ ଜଜ୍ ଗଣେଶ୍ୱର ପତି ଶୁଣାଣି କରିଛନ୍ତି । ଉପଯୁକ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ୪ ଜଣ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି । ଅଭିଯୁକ୍ତମାନେ ହେଲେ ତାରସିଂ ଥାନା ଅନ୍ତର୍ଗତ ବୁରପଲ୍ଲୀ ଗ୍ରାମର କାଳୁ ନାୟକ(୨୮), ରବି ନାୟକ(୩୦), ଲାଣ୍ଡୁହିଲ ଗ୍ରାମର ବାବୁ ବେହେରା ଓ ତାମନଡ଼ା ଗ୍ରାମର ଗୌର ନାୟକ । ପ୍ରତ୍ୟେକ ଅଭିଯୁକ୍ତଙ୍କୁ ୩୦ ହଜାର ଟଙ୍କା ଲେଖାଏଁ ଜୋରିମାନା ଦେବାକୁ ଜଜ୍ ନିର୍ଦ୍ଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ଆଉ ୩ ମାସ ଅଧିକ ଜେଲ ଦଣ୍ଡର ଆଦେଶ ଦେଇଛନ୍ତି । ଏଥିସହ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା ସହାୟତା ରାଶି ଦେବା ପାଇଁ ଆଇନ ସେବା ପ୍ରାଧୀକରଣ(ଡିଏଲ୍‌ଏସ)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ମାମଲାର ବିଚାର ବେଳେ ମୋଟ ୧୪ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ଼ କରାଯାଇଥିଲା । ସୂଚନାଯୋଗ୍ୟ ଯେ ଗତ ୨୦୧୮ ମାର୍ଚ୍ଚ ୧୬ ତାରିଖ ଦିନ ୧୦ଟା ସମୟରେ ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳର ଜନୈକା ଯୁବତୀ ଏକ କାଜୁ ବାଡ ନିକଟକୁ ଶୌଚ ପାଇଁ ଯାଇଥିଲେ । ଏହି ସମୟରେ ଉପରୋକ୍ତ ୪ ଅଭିଯୁକ୍ତମାନେ ଯୁବତୀଙ୍କୁ ଅଟକାଇଥିଲେ । ପ୍ରଥମେ ଅଭିଯୁକ୍ତ କାଳୁ ନାୟକ ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ । ଯୁବତୀ ଜଣକ ଚିତ୍କାର କରିବା ବେଳେ ତାଙ୍କ ମୁହଁରେ କିଛି କପଡ଼ା ପକାଇ ଅଭିଯୁକ୍ତମାନେ ତାଙ୍କୁ ପାଟିକୁ ବନ୍ଦ କରିଦେଇଥିଲେ । ପରେ ଅନ୍ୟ ୩ ଜଣ ତାଙ୍କ ସହ ଗଣ ଦୁଷ୍କର୍ମ କରିଥିଲେ । ଏହା ପରେ ଅଭିଯୁକ୍ତମାନେ ଘଟଣା ସ୍ଥଳରେ ଯୁବତୀଙ୍କୁ ଛାଡ଼ି ସେଠାରୁ ଚମ୍ପଟ ମାରିଥିଲେ ।

ଗୁରୁତର ଅବସ୍ଥାରେ ଯୁବତୀ ଜଣଙ୍କ ଘରେ ପହଞ୍ଚିବା ସହ ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ । ଏନେଇ ପରିବାର ଲୋକ ଜଗନ୍ନାଥପ୍ରସାଦ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା । ଏହି ଘଟଣାରେ ପୁଲିସ ଉପରୋକ୍ତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ମାମଲାରେ ତଦନ୍ତ ଅଧିକାରୀ ଏସ୍‌ଆଇ ଅନିରୁଦ୍ଧ ମୁଦୁଲି ମାମଲାର ଚାର୍ଜସିଟି ପୋକ୍ସ କୋର୍ଟରେ ଦାଖଲ କରିଥିଲେ । ଅଭିଯୁକ୍ତମାନେ ଗିରଫ ପର ଠାରୁ ଆଜି ପର୍ଯ୍ୟନ୍ତ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଅଛନ୍ତି । ଆଜି ଏହି ମାମଲାର ଶୁଣାଣି କରି ଜଜ ଉପରୋକ୍ତ ଦଣ୍ଡାଦେଶ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପୋକ୍‌ସୋ କୋର୍ଟ ପିପି ମୋହନ ସିଂହାରୀ ମକଦ୍ଦମା ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking