ବେଙ୍ଗାଲୁର: ଚଳିତ ରଣ୍ଜୀ ଟ୍ରଫି ସେମିଫାଇନାଲ୍ର ଦ୍ୱିତୀୟ ଦିନରେ ଗୁରୁବାର ଘରୋଇ କର୍ଣ୍ଣାଟକ ଓପନର ମୟଙ୍କ ଅଗରୱାଲଙ୍କ ଅପରାଜିତ ଦ୍ୱିଶତକୀୟ ଇନିଂସ ସହାୟତାରେ ତା’ର ପ୍ରଥମ ଇନିଂସରେ ୪୦୭ ରନ୍ କରିଛି । ଏହି ଦ୍ୱିତୀୟ ସେମିଫାଇନାଲ୍ର ପ୍ରଥମ ଦିନରେ ଦଳ ୫ ୱିକେଟ୍ରେ ୨୨୯ ରନ୍ କରିଥିବା ବେଳେ ମୟଙ୍କ ୧୧୦ ରନ୍ କରି ଅପରାଜିତ ଥିଲେ । ଶୁକ୍ରବାର ସେ ତାଙ୍କ ବ୍ୟାଟିଂ ଜାରି ରଖି ଦ୍ୱିଶତକ ହାସଲ କରିଥିଲେ । ସେ ୨୪୯ ରନ୍ରେ ଅପରାଜିତ ଥିବା ବେଳେ ତାଙ୍କର ଏହି ଇନିଂସରେ ୨୮ଟି ଚୌକା ଓ ୬ଟି ଛକା ଲଗାଇଥିଲେ । ତାଙ୍କ ବ୍ୟତୀତ ଶ୍ରୀନିବାସ ଶରତ୍ ୪ଟି ଚୌକା ସହ ୬୬ ରନ୍ କରିଥିଲେ ।
ଉଭୟଙ୍କ ମଧ୍ୟରେ ଷଷ୍ଠ ୱିକେଟ୍ ପାଇଁ ୧୩୯ ରନ୍ର ବଳିଷ୍ଠ ଭାଗୀଦାରୀ ମଧ୍ୟ ହୋଇଥିଲା । ଏହାଛଡ଼ା ମୟଙ୍କ ନବମ ୱିକେଟ୍ରେ ବିଦ୍ୱତ୍ କାଭେରାପ୍ପା (୧୫ ରନ୍, ୩ ଚୌକା)ଙ୍କ ସହ ମଧ୍ୟ ୯୧ ରନ୍ର ପାର୍ଟନରଶିପ୍ କରିଥିଲେ । ସୌରାଷ୍ଟ୍ର ପକ୍ଷରୁ ଚେତନ ସାକାରିଆ ଓ କେ. ପଟେଲ୍ ୩ଟି ଲେଖାଏଁ ୱିକେଟ୍ ନେଇଥିଲେ । ଦଳ ତା’ର ପ୍ରଥମ ଇନିଂସରେ ଦିନର ଖେଳ ଶେଷ ସୁଦ୍ଧା ୨ଟି ୱିକେଟ୍ ହରାଇ ୭୬ ରନ୍ କରିଛି । ଓପନର ହାର୍ଭିକ୍ ଦେଶାଇ ଓ ଶେଲଡନ୍ ଜ୍ୟାକ୍ସନ୍ ୨୭ ରନ୍ ଲେଖାଏଁ କରି ଅପରାଜିତ ଅଛନ୍ତି । ଅନ୍ୟପକ୍ଷରେ ଇନ୍ଦୋରଠାରେ ଚାଲିଥିବା ପ୍ରଥମ ସେମିରେ ଘରୋଇ ମଧ୍ୟପ୍ରଦେଶ ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ୨ଟି ୱିକେଟ୍ ହରାଇ ୫୬ ରନ୍ କରିଛି ।
ସାରାଂଶ ଜୈନ୍ ୧୭ ଓ ଅନୁଭବ ଅଗରୱାଲ୍ ୪ ରନ୍ କରି ଅପରାଜିତ ଅଛନ୍ତି । ଏହା ପୂର୍ବରୁ ବେଙ୍ଗଲ ପ୍ରଥମ ଦିନରେ ୪ ୱିକେଟ୍ରେ ୩୦୭ ରନ୍ କରିଥିବା ବେଳେ ଶୁକ୍ରବାର ଦ୍ୱିତୀୟ ଦିନରେ ତା’ର ପ୍ରଥମ ଇନିଂସରେ ୪୩୮ ରନ୍ କରିଛି । ଦ୍ୱିତୀୟ ଦିନରେ ଅଭିଷେକ ପୋରେଲ୍ ୮ଟି ଚୌକା ସହ ୫୧ ରନ୍ କରିଥିଲେ । ମଧ୍ୟପ୍ରଦେଶ ପକ୍ଷରୁ କୁମାର କାର୍ତ୍ତିକେୟ ୩ଟି ଏବଂ ଜି. ଯାଦବ ଓ ଅନୁଭବ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।