25.1 C
Bhubaneswar
Monday, March 16, 2026
Homeଓଡିଶାରାଜ୍ୟସଭା ଫଳ ପ୍ରକାଶ: ବାଜି ମାରିଲେ ମନମୋହନ, ସୁଜିତ୍‌, ସନ୍ତୃପ୍ତ,ଦିଲ୍ଲୀପ

ରାଜ୍ୟସଭା ଫଳ ପ୍ରକାଶ: ବାଜି ମାରିଲେ ମନମୋହନ, ସୁଜିତ୍‌, ସନ୍ତୃପ୍ତ,ଦିଲ୍ଲୀପ

ଭୁବନେଶ୍ୱର: ବହୁ ଛକାପଞ୍ଝା, କ୍ରସ୍ ଭୋଟିଂ,ଘୋଡ଼ାବେପାର ଓ ବୟାନବାଜି ପରେ ରାଜ୍ୟସଭା ଫଳ ପ୍ରକାଶ ପାଇଛି। ଉକ୍ତ ନିର୍ବାଚନରେ ବାଜି ମାରିନେଇଛନ୍ତି ବିଜେପି ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ୍ କୁମାର, ବିଜେଡି ପ୍ରାର୍ଥୀ ସନ୍ତୃପ୍ତ ମିଶ୍ର ଏବଂ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ। କେବଳ ବିଜେଡି ସମର୍ଥିତ କମନ କ୍ୟାଣ୍ଡିଡେଟ୍ ଡାକ୍ତର ଦତ୍ତେଶ୍ୱର ହୋତା ହାରିଯାଇଛନ୍ତି। ସୋମବାର ଧାର୍ଯ୍ୟ ୯ରୁ ବିଧାନସଭା ୫୪ ନମ୍ବର ପ୍ରକୋଷ୍ଠରୁ ହୋଇଥିଲା ରାଜ୍ୟସଭା ଭୋଟ୍‌। ସେଥିପାଇଁ ଗୃହକୁ ଦିନକ ପାଇଁ ମୁଲତବୀ କରିଥିଲେ ବାଚସ୍ପତି ସୁରମା ପାଢ଼ୀ। ସୁରକ୍ଷା ବି କଡ଼ାକଡ଼ି କରାଯାଇଥିଲା। ପ୍ରଥମ ଭୋଟ୍ ଦେଇଥିଲେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ଆରମ୍ଭରୁ ଗୃହର ସଂଖ୍ୟା ଗଣିତ ଅନୁସାରେ ବିଜେଡିରୁ ସଂତୃପ୍ତ ମିଶ୍ର, ବିଜେପିରୁ ମନମୋହନ ସାମଲ ଓ ସୁଜିତ କୁମାର ଜିତିବା ପ୍ରାୟ ନିଶ୍ଚିତ ଥିଲା। ହେଲେ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ତଥା ପୁର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ଏବଂ ବିଜେଡିର ସମର୍ଥନରେ କମନ କ୍ୟାଣ୍ଡିଡେଟ୍ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ଦ୍ୱନ୍ଦ୍ୱ ବଢ଼ିଥିଲା। ଉଭୟଙ୍କ ମଧ୍ୟରେ ଲଢ଼େଇ ତୀବ୍ର ହେବ ବୋଲି ଜଣାପଡ଼ିଥିଲା। ସେଥିପାଇଁ ବିରୋଧୀ ଦଳ ଭୁତରେ କ୍ରସ୍ ଭୋଟିଂ ଭୟ ଦଳର ମୁଖିଆଙ୍କୁ ଘାରିଥିଲା।

ଅନୁମାନ ଶତ ପ୍ରତିଶତ ସତ ହୋଇଛି। ସାମ୍ବିଧାନିକ ବିଧିବ୍ୟବସ୍ଥା ଅନୁସାରେ ପ୍ରଥମ ପସନ୍ଦ ଭୋଟ୍ ପ୍ରଥମ ପ୍ରାର୍ଥୀଙ୍କୁ ଯାଇଛି। ପ୍ରଥମ ପସନ୍ଦକୁ ମିଳିଥିବା ୩୦ରୁ ଅଧିକ ଭୋଟ୍‌ରୁ ବଳକା ଭୋଟ୍ ଦ୍ୱିତୀୟ ପସନ୍ଦକୁ ଯାଇଛି। ସେଇକ୍ରମରେ ରାଜ୍ୟ ବିଜେପି ସଭାପତି ତଥା ଦଳୀୟ ପ୍ରାର୍ଥୀ ମନମୋହନ ସାମଲଙ୍କୁ ପ୍ରଥମ ପସନ୍ଦ ମୋଟ୍ ୩୫ ଖଣ୍ଡ ଭୋଟ୍ ମିଳିଥିବାବେଳେ ଅନ୍ୟତମ ପ୍ରାର୍ଥୀ ସୁଜିତ୍ କୁମାରଙ୍କୁ ୩୫ ଖଣ୍ଡ ଭୋଟ୍ ମିଳିଛି। ଅନ୍ୟପକ୍ଷରେ ବିଜେଡି ପ୍ରାର୍ଥୀ ଡ. ସନ୍ତୃପ୍ତ ମିଶ୍ରଙ୍କୁ ୩୧ଖଣ୍ଡ ଭୋଟ୍ ମିଳିଥିବାବେଳେ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ୩୪ ଖଣ୍ଡ ଭୋଟ ମିଳିଛି। ତେବେ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ୨୩ ପ୍ରଥମ ପସନ୍ଦ ଭୋଟ୍ ମିଳିଛି। ବସ୍ତୁତଃ ବିଜେପିକୁ ମିଳିଛି ୩ ଆସନ। ଅର୍ଥାତ ବିଜୟୀ ମନମୋହନ ସାମଲ (ବିଜେପି)ଙ୍କୁ ୩୫୦୦ ଭୋଟ୍ ମିଳିଥିବାବେଳେ ବିଜୟୀ ସୁଜିତ କୁମାର (ବିଜେପି)ଙ୍କୁ ୩୫୦୦ ଭୋଟ୍ ,ବିଜୟୀ ସଂତୃପ୍ତ ମିଶ୍ର (ବିଜେଡି)ଙ୍କୁ ୩୧୦୦ ଭୋଟ୍‌, ବିଜୟୀ ଦିଲୀପ ରାୟ (ବିଜେପି ସମର୍ôଥତ)ଙ୍କୁ ୩୪୧୮ ଭୋଟ୍ ମିଳିଛି। ହେଲେ ପରାଜୟ ବରଣ କରିଥିବା ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତା (ବିଜେଡି ଓ କଂଗ୍ରେସ)ଙ୍କୁ ୨୩୦୦ ଭୋଟ୍ ମିଳିଛି।

ପ୍ରଥମ ପସନ୍ଦକୁ ମିଳିଥିବା ଭୋଟ୍‌ରୁ ବଳକା ଭୋଟ୍ ଦ୍ୱିତୀୟ ପସନ୍ଦକୁ ଯାଇଛି। ବିଜେପି ଏଥିରେ ବେଶି ସଫଳ ହୋଇଛି। ସେହି ଅନୁସାରେ ମନମୋହନ ସାମଲ ଓ ସୁଜିତ କୁମାରଙ୍କ ୫.୮ ପ୍ରତିଶତ ଭୋଟ୍ ଏଭଳି ୧୧ ଭୋଟ୍ ଦିଲ୍ଲୀପ ରାୟଙ୍କୁ ଯାଇଛି। ସନ୍ତୃପ୍ତ ମିଶ୍ରଙ୍କ ଗୋଟିଏ ଭୋଟ୍ ବଳକା ଥିବାରୁ ତାହା ଦତ୍ତେଶ୍ୱର ହୋତାଙ୍କୁ ଯାଇଛି। ଫଳରେ ଦତ୍ତେଶ୍ୱର ହୋତା ୨୪ ଭୋଟ୍ ପାଇଛନ୍ତି।

ରାଜ୍ୟସଭା ଫଳ ଘୋଷଣା ପରେ ମୁଖ୍ୟମନ୍ତ୍ରୀ ମୋହନଚ ଜରଣ ମାଝୀ କହିଛନ୍ତି ଯେ, ଓଡ଼ିଶା ଇତିହାସରେ ଆଜି ଏକ ସ୍ମରଣୀୟ ଦିନ। ରାଜ୍ୟସଭା ନିର୍ବାଚନରେ ବିଜେପି ଓ ବିଜେପି-ସମର୍ôଥତ ପ୍ରାର୍ଥୀଙ୍କ ଏହି ପ୍ରଚଣ୍ଡ ବିଜୟ କେବଳ ଦଳୀୟ ସଫଳତା ନୁହେଁ, ବରଂ ଏହା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଏବଂ ପ୍ରଭାବଶାଳୀ ଜନନେତା, ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ସୁଦୃଢ଼ ନେତୃତ୍ୱ ଓ ଦୂରଦର୍ଶୀ ମାର୍ଗଦର୍ଶନର ପ୍ରତିଫଳନ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଜି ଆମର ସମୃଦ୍ଧ ଓଡ଼ିଶା ଓ ବିକଶିତ ଭାରତ ଗଠନ ଦିଗରେ ଆଡ଼କୁ ବଢ଼ିବା ପାଇଁ ଆମର ଏହି ରାଜ୍ୟସଭା ନିର୍ବାଚନରେ ତିନି ଜଣ ନିର୍ବାଚିତ ହୋଇଛନ୍ତି। ଆମର ନବନିର୍ବାଚିତ ସାଂସଦ ମନମୋହନ ସାମଲ, ସୁଜିତ କୁମାର ଏବଂ ଦିଲୀପ ରାୟ ରାଜ୍ୟସଭାରେ ଓଡ଼ିଶାର ସ୍ୱାର୍ଥ ରକ୍ଷା କରିବା ସହ ମୋଦୀଜୀଙ୍କ ‘ବିକଶିତ ଭାରତ’ ଅଭିଯାନରେ ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟ ଭାବେ ଗଢ଼ିତୋଳିବାକୁ ସଂକଳ୍ପବଦ୍ଧ ହୋଇଛନ୍ତି। ରାଜ୍ୟସଭାରେ ଓଡ଼ିଶାର ସ୍ୱର ଆହୁରି ଶାଣୀତ ହେବ ବୋଲି ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ ଗଣମାଧ୍ୟମକୁ ବିଜେପିର ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ କହିଛନ୍ତି, ସଂଖ୍ୟା ଗଣିତ ଖେଳରେ ପଛରେ ପଡ଼ିଯାଇଛି ବିରୋଧୀ ଦଳ। ଶାସକ ବିଜେପି ଟିକିଏ ଆଗୁଆ ଚିନ୍ତା କରି ୩୦ ପରେ ବଳକା ଭୋଟ୍‌କୁ ସୁରକ୍ଷିତ ରଖିବାକୁ ଚିନ୍ତା କରିଥିଲେ। ତେଣୁ ପ୍ରଥମ ପସନ୍ଦରେ ମନମୋହନ ସାମଲଙ୍କୁ ଭୋଟ୍ ଦେବା ସହ ଦ୍ୱିତୀୟ ପସନ୍ଦରେ ଦିଲ୍ଲୀପ ରାୟଙ୍କୁ ବାଛିଥିଲୁ। ଅନ୍ୟ ବାଲଟରେ ମଧ୍ୟ ପ୍ରଥମ ପସନ୍ଦରେ ସୁଜିତ୍ କୁମାର, ଦ୍ୱିତୀୟ ପସନ୍ଦରେ ଦିଲ୍ଲୀପ ରାୟ ଥିଲେ। ପ୍ରଥମ ଓ ଦ୍ୱିତୀୟ ପସନ୍ଦରେ ଗଣନା ପରେ ସ୍ଥିତି ସ୍ପଷ୍ଟ ହୋଇଥିଲା। ତେଣୁ ଆମେ ବିଜୟୀ ହୋଇଥିଲୁ। ମାତ୍ର ବିରୋଧୀ ବିଧାୟକ ୩୦ ଭୋଟ୍ ପରେ ଆଉ ପ୍ରଥମ ପସନ୍ଦ ଚୟନ କରି ଅଡ଼ୁଆରେ ପଡ଼ିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking