ନୂଆଦିଲ୍ଲୀ: ଆଗାମୀ ରାଜ୍ୟସଭା ନିର୍ବାଚନ ଉପଲକ୍ଷେ ଆମ୍ ଆଦ୍ମୀ ପାର୍ଟି (ଆପ୍), ଦିଲ୍ଲୀ ମହିଳା କମିଶନ(ଡିସିଡବ୍ଲ୍ୟୁ)ର ପୂର୍ବତନ ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ୍ଙ୍କୁ ପ୍ରାର୍ଥୀ କରିବ । ଏସମ୍ପର୍କରେ ଆପ୍ ପକ୍ଷରୁ ଶୁକ୍ରବାର ଦିନ ସୂଚନା ଦିଆଯାଇଛି । ଆପ୍ ଦର୍ଶାଇଛି ଯେ, ଆସନ୍ତା ୧୯ ତାରିଖରେ ଦିଲ୍ଲୀ ପାଇଁ ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଦଳ ଏହି ଆସନ ପାଇଁ ସ୍ୱାତୀଙ୍କୁ ପ୍ରାର୍ଥୀ କରିବା ନେଇ ଯୋଜନା କରିଛି । ଇତି ମଧ୍ୟରେ ସ୍ୱାତୀ ମଧ୍ୟ ଦିଲ୍ଲୀ ମହିଳା କମିଶନ୍ ଅଧ୍ୟକ୍ଷା ପଦରୁ ଇସ୍ତଫା ଦେଇସାରିଛନ୍ତି । ପ୍ରକାଶ, ଶୁକ୍ରବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ସଂଯୋଜକ ଅରବିନ୍ଦ କେଜରିୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଥିବା ପିଏସି (ରାଜନୈତିକ ବ୍ୟପାର କମିଟି) ବୈଠକରେ ସ୍ୱାତୀଙ୍କ ନାମ ପ୍ରସ୍ତାବିତ ହେବା ପରେ ଏହାକୁ ସର୍ବସହମତି ମିଳିଥିଲା । ତେବେ କେବଳ ସ୍ୱାତୀ ଏକାକୀ ନୁହଁନ୍ତି ବରଂ ଏନ୍ଡି ଗୁପ୍ତା ଏବଂ ସଞ୍ଜୟ ସିଂହଙ୍କୁ ମଧ୍ୟ ୨ୟ ଥର ପାଇଁ ନିଜ ନିଜ ଆସନରୁ ରାଜ୍ୟସଭା ପ୍ରାର୍ଥୀ କରିବା ଲାଗି କମିଟି ନିଷ୍ପତ୍ତି ନେଇଛି । ଏହି ଦୁଇଜଣଙ୍କ କାର୍ଯ୍ୟକାଳ ଆସନ୍ତା ୨୭ ତାରିଖରେ ପୂରଣ ହେବାକୁ ଯାଉଛି । ଅନ୍ୟପକ୍ଷେ ସ୍ୱାତୀ କିନ୍ତୁ ପ୍ରଥମ ଥର ପାଇଁ ସଂସଦୀୟ ବ୍ୟାପାରରେ ଭାଗ ନେବେ । ୨ଠ୧୫ରୁ ସ୍ୱାତୀ ଡିସିଡବ୍ଲ୍ୟୁର ଅଧ୍ୟକ୍ଷା ଭାବେ କାର୍ଯ୍ୟରତ ଥିଲେ ।