26.1 C
Bhubaneswar
Wednesday, April 2, 2025
Homeଓଡିଶାରାଜ ଭବନରେ ରାଜସ୍ଥାନ ପ୍ରତିଷ୍ଠା ଦିବସ, ଉଗାଡି ଏବଂ ଗୁଡି ପଡ଼ୱା ପର୍ବ ପାଳିତ

ରାଜ ଭବନରେ ରାଜସ୍ଥାନ ପ୍ରତିଷ୍ଠା ଦିବସ, ଉଗାଡି ଏବଂ ଗୁଡି ପଡ଼ୱା ପର୍ବ ପାଳିତ

ଭୁବନେଶ୍ୱର: ଏକ ଉତ୍ସବ ମୁଖରିତ ପରିବେଶରେ ଆଜି ରାଜଭବନରେ ରାଜସ୍ଥାନ ରାଜ୍ୟର ପ୍ରତିଷ୍ଠା ଦିବସ, ଉଗାଡି ଏବଂ ଗୁଡି ପଡ଼ୱା ପର୍ବ ପାଳିତ ହୋଇଯାଇଛି। ଏହି ଅବସରରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ସୁଖ ସମୃଦ୍ଧି କାମନା କରିଛନ୍ତି। ରାଜଭବନର ପାର୍ଟି ଲନ୍‌ରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଉଦ୍‌ବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ, ରାଜ ଭବନରେ ରାଜସ୍ଥାନ ପ୍ରତିଷ୍ଠା ଦିବସ, ଉଗାଡି ଏବଂ ଗୁଡି ପଡ଼ୱା ପର୍ବ ପାଳନ କରିବା ଏକ ମହାନ ଆନନ୍ଦର ଅବସର। ଇତିହାସ ଓ ପରଂପରାରେ ଗଭୀରଭାବେ ନିହିତ ଏହି ଅବସରଗୁଡ଼ିକ ଆମ ଜାତିର ସାଂସ୍କୃତିକ ବିଶେଷତ୍ୱକୁ ପ୍ରତିଫଳିତ କରୁଛି। “ବିବିଧତା ମଧ୍ୟରେ ଏକତା” ଏବଂ “ଏକ ଭାରତ – ଶ୍ରେଷ୍ଠ ଭାରତ” ଭାବନାକୁ ଏହା ଅଧିକ ଋଦ୍ଧିମନ୍ତ କରୁଛି । ଆଜି ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ର ଆଦି ରାଜ୍ୟର ନୂତନ ବର୍ଷର ଆରମ୍ଭକୁ ଉଗାଡି ଏବଂ ଗୁଡି ପଡ଼ୱା ଭାବେ ପାଳନ କରାଯାଉଛି। ଏହା କୃତଜ୍ଞତାର ସହିତ ନୂତନ ଆରମ୍ଭକୁ ଗ୍ରହଣ କରିବା ଏବଂ ସାଂସ୍କୃତିକ ମୂଲ୍ୟବୋଧକୁ ପୁନଃଜାଗରଣ କରିବାର ସମୟ। ଏହା ଆମକୁ ଆନନ୍ଦ ଓ ଆହ୍ୱାନକୁ ଗ୍ରହଣ କରିବାକୁ ଶିଖାଏ ବୋଲି ରାଜ୍ୟପାଳ କହିଥିଲେ। ସେହିପରି ମହାରାଷ୍ଟ୍ର ଓ କର୍ଣ୍ଣାଟକର କେତେକାଂଶରେ ବ୍ୟାପକ ଭାବରେ ପାଳିତ ହେଉଥିବା ଗୁଡି ପଡ଼ୱା ସମୃଦ୍ଧି ଏବଂ ସୌଭାଗ୍ୟର ବାର୍ତ୍ତା ଦିଏ, ଲୋକମାନଙ୍କୁ ନୂତନ ସଂକଳ୍ପ ସହିତ ନୂତନ ବର୍ଷରେ ପାଦ ଦେବା ପାଇଁ ପ୍ରେରଣା ଦିଏ ବୋଲି କହିଥିଲେ। ରାଜ୍ୟପାଳ ପୁଣି କହିଥିଲେ ଯେ ଭାରତ ପର୍ବ ପର୍ବାଣୀର ଦେଶ ଏବଂ ପ୍ରତ୍ୟେକ ପର୍ବପର୍ବାଣୀ ଏକତାର ଆତ୍ମା ବହନ କରେ।

ଆମେ ଯେଉଁଠାରୁ ଆସିଥିଲେ ମଧ୍ୟ ଆମେ ସମସ୍ତେ ଗୋଟିଏ ମହାନ ରାଷ୍ଟ୍ରର ଅଂଶ ବୋଲି ଏହା ମନେ ପକାଇ ଦିଏ। ଆମର ପରଂପରା ଭିନ୍ନ ଭିନ୍ନ ହୋଇପାରେ, କିନ୍ତୁ ଆମର ଆକାଂକ୍ଷା ସମାନ – ସମସ୍ତଙ୍କ ପାଇଁ ଶାନ୍ତି, ପ୍ରଗତି ଓ ସମୃଦ୍ଧି। ଏତଦ୍‌ବ୍ୟତୀତ ରାଜସ୍ଥାନର ପ୍ରତିଷ୍ଠା ଦିବସ ପ୍ରସଙ୍ଗରେ ରାଜ୍ୟପାଳ କହିଥିଲେ ଯେ, ଇତିହାସକୁ ଗଢ଼ି ତୋଳିଥିବା ସାହାସୀ ରାଜପୁତ ଯୋଦ୍ଧାଙ୍କଠାରୁ ଆରମ୍ଭ କରି ଏହାର ଦୁର୍ଗ ଏବଂ ପ୍ରାସାଦର ମହିମା ପର୍ଯ୍ୟନ୍ତ ତଥା ଭାରତର ଐତିହ୍ୟ ପ୍ରତି ରାଜସ୍ଥାନର ଅବଦାନ ଅପାର। ବୀରତ୍ୱ, ସମୃଦ୍ଧ କଳା ପରଂପରା ଏବଂ ମହିମା ପାଇଁ ଜଣାଶୁଣା ରାଜସ୍ଥାନ ଭାରତର ସାଂସ୍କୃତିକ ଏବଂ ଅର୍ଥନୈତିକ ଦୃଶ୍ୟପଟରେ ଉଲ୍ଲେଖନୀୟ ଅବଦାନ ଦେଇଛି। ରାଜସ୍ଥାନ ଏବଂ ଓଡ଼ିଶା ମଧ୍ୟରେ ଅନେକ ସାମଞ୍ଜସ୍ୟ ରହିଛି। ଉଭୟ ରାଜ୍ୟ ସେମାନଙ୍କର ସମୃଦ୍ଧ ଇତିହାସ, ସ୍ଥାପତ୍ୟ, ଆଧ୍ୟାତ୍ମିକ ପରଂପରା, ଲୋକ ସଂସ୍କୃତି ପାଇଁ ଅନନ୍ୟ । ଖାଟୁ ର ଶ୍ୟାମବାବାଙ୍କ ପ୍ରତି ରାଜସ୍ଥାନର ଭକ୍ତି ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ଓଡ଼ିଶାର ଅଟଳ ବିଶ୍ୱାସରେ ପ୍ରତିଫଳିତ ହୁଏ। ଏହା ଉଭୟ ରାଜ୍ୟର ଆଧ୍ୟାତ୍ମିକ ସମୃଦ୍ଧିକୁ ଉଜ୍ଜଳ କରୁଛି ବୋଲି ରାଜ୍ୟପାଳ କହିଥିଲେ। ଓଡ଼ିଶା ସର୍ବଦା ସାରା ଦେଶରୁ ଲୋକଙ୍କୁ ସମ୍ମାନ ଓ ଶ୍ରଦ୍ଧାର ସହିତ ସ୍ୱାଗତ କରୁଛି। ରାଜସ୍ଥାନର ଅନେକ ମୂଳ ବାସିନ୍ଦା ଓଡ଼ିଶାକୁ ନିଜର ଘର କରିଛନ୍ତି ଏବଂ ବାଣିଜ୍ୟ, ଶିଳ୍ପ, ବ୍ୟବସାୟ, ଶିକ୍ଷା, ସମାଜସେବା ଆଦି କ୍ଷେତ୍ରରେ ନିୟୋଜିତ ହୋଇ ରାଜ୍ୟର ଅଭିବୃଦ୍ଧି ଓ ବିକାଶରେ ଉଲ୍ଲେଖନୀୟ ଅବଦାନ ରଖିଛନ୍ତି ବୋଲି ରାଜ୍ୟପାଳ ଉଲ୍ଲେଖ କରିଥିଲେ। ରାଜ୍ୟର ମାନ୍ୟବର ଫାଷ୍ଟ୍ ଲେଡି ଶ୍ରୀମତୀ ଜୟଶ୍ରୀ କମ୍ଭମ୍‌ପାଟି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ଏହି ସମାରୋହରେ ଓଡ଼ିଶାର ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ସେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସମ୍ମାନନୀୟ ଅତିଥିଭାବେ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମର ଉଚ୍ଚ ପ୍ରଶଂସା କରିଥିଲେ। ପ୍ରାରମ୍ଭରେ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନ୍‌.ବି.ଏସ୍‌. ରାଜପୁତ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ। ରାଜ୍ୟପାଳଙ୍କ ଏ.ଡି.ସି. କୁଲଦୀପ ମୀନା ମଧ୍ୟ କାର୍ଯ୍ୟକ୍ରମ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ପୋଲିସ୍ ଡିଜି ୱାଇ.ବି. ଖୁରାନିଆଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ଉକ୍ତ ସମାରୋହରେ ଯୋଗ ଦେଇଥିଲେ। ଏହି ଅବସରରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ଲୋକ କଳା / ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶିତ ହୋଇଥିଲା ଏବଂ ବିଭିନ୍ନ ରାଜ୍ୟର ବ୍ୟକ୍ତି / ଛାତ୍ରଛାତ୍ରୀ ଓଡ଼ିଶା ଏବଂ ନିଜ ନିଜ ରାଜ୍ୟ ସଂପର୍କରେ ଅଭିଜ୍ଞତା ଓ ଉପଲବ୍ଧି ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking