ମୁମ୍ବାଇ: ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍ଏନ୍ଏସ୍) ମୁଖ୍ୟ ରାଜ୍ ଠାକ୍ରେ ବୁଧବାର ୫୫ତମ ଜନ୍ମଦିନ ପାଳନ କରିଛନ୍ତି । ଏହି ଅବସରରେ ସମର୍ଥକମାନେ ଆଣିଥିବା ଏକ କେକ୍କୁ ମଧ୍ୟ ରାଜ୍ କାଟିଥିଲେ । ତେବେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ଉକ୍ତ କେକ୍ ଉପରେ ମୋଗଲ ସମ୍ରାଟ ଆଉରଙ୍ଗଜେବଙ୍କ ଫଟୋ ସହ ଏକ ମାଇକ୍କୁ ଚିତ୍ରଣ କରାଯାଇଥିଲା । ସବୁବେଳେ ନିଜର ଧାର୍ମିକ ପକ୍ଷପାତିତାର ପରିଚୟ ଦେଇଆସୁଥିବା ରାଜ୍ ଏକ ଛୁରି ସାହାଯ୍ୟରେ କେକ୍ ଉପରେ ଚିତ୍ରିତ ଆଉରଙ୍ଗଜେବଙ୍କ ବେକ ଓ ଲାଉଡ ସ୍ପିକରକୁ କାଟିଥିଲେ । ସାଧାରଣତଃ ମୁସଲମାନ ସଂପ୍ରଦାୟର ଲୋକେ ନମାଜ ପାଠ (ଆଜାନ୍) କରୁଥିବାବେଳେ ମସଜିଦରେ ଲାଗିଥିବା ଲାଉଡ୍ ସ୍ପିକର (ମାଇକ୍) ଜରିଆରେ ଏହା ଦୂରକୁ ଶୁଣାଯାଇଥାଏ । ଅତୀତରେ ମସଜିଦରେ ମାଇକ୍ର ବ୍ୟବହାରକୁ ବିରୋଧ ମଧ୍ୟ କରାଯାଇଛି । ମହାରାଷ୍ଟ୍ରର ଏକାଧିକ ସ୍ଥାନରେ ଏହାକୁ କେନ୍ଦ୍ରକରି ହିନ୍ଦୁ ଓ ମୁସଲମାନ ସଂପ୍ରଦାୟ ମଧ୍ୟରେ ବିବାଦର ସୂତ୍ରପାତ ମଧ୍ୟ ହୋଇସାରିଛି ।