ନୂଆଦିଲ୍ଲୀ: ବର୍ଷା ଭାରତ-ପାକିସ୍ତାନ ବିଶ୍ୱକପ୍ ମ୍ୟାଚ୍ର ମଜା ବିଗାଡ଼ିପାରେ। ଚଳିତ ଟି-୨୦ ବିଶ୍ୱକପ୍ର ଗ୍ରୁପ୍ ପର୍ଯ୍ୟାୟରେ ଦୁଇ ଟିମ୍ ଫେବୃଆରୀ ୧୫ରେ (ରବିବାର) ମୁହାଁମୁହିଁ ହେବେ। ମାତ୍ର ସେହିଦିନ କଲମ୍ବୋର ୬୦ ପ୍ରତିଶତ ଭାଗରେ ବର୍ଷା ହେବାର ସମ୍ଭାବନା ରହିଛି। ଯଦି ଏପରି ହୁଏ, ତେବେ ପ୍ରଶଂସକ କ୍ରିକେଟ୍ର ଏକ ମହାମୁକାବିଲା ହରାଇବେ। ଟିମ୍ ଇଣ୍ଡିଆ ଶୁକ୍ରବାର ରାତି ସାଢ଼େ ୯ଟାରେ କଲମ୍ବୋ ପହଞ୍ଚିସାରିଛି। ଅନ୍ୟପକ୍ଷରେ ପାକିସ୍ତାନ ଟିମ୍ ନିଜର ସମସ୍ତ ମ୍ୟାଚ୍ କଲମ୍ବୋରେ ହିଁ ଖେଳୁଛି। ଟିମ୍ ଆମେରିକା ଓ ନେଦରଲାଣ୍ଡ ବିପକ୍ଷରେ ପ୍ରାରମ୍ଭିକ ମ୍ୟାଚ୍ ଜିତିସାରିଛି। ସେହିପରି ଭାରତ ନିଜର ପ୍ରଥମ ଦୁଇଟି ଗ୍ରୁପ୍ ମ୍ୟାଚ୍ରେ ଆମେରିକା ଓ ନାମ୍ବିୟାକୁ ମାତ୍ ଦେଇଛି। ରବିବାର କଲମ୍ବୋରେ ପୂରା ୨୪ ଘଣ୍ଟା ବର୍ଷା ସମ୍ଭାବନା ରହିଛି। ସକାଳ ୯ଟାରୁ ଅପରାହ୍ଣ ତିନିଟା ପର୍ଯ୍ୟନ୍ତ ୬୦%ରୁ ୫୦% ବର୍ଷା ହେବାର ଅନୁମାନ କରାଯାଇଛି। ସେହିପରି ମ୍ୟାଚ୍ ଅବସରରେ ସନ୍ଧ୍ୟା ୭ରୁ ରାତି ୧୨ ପର୍ଯ୍ୟନ୍ତ ୧୦ରୁ ୨୦ ପ୍ରତିଶତ ବର୍ଷା ସମ୍ଭାବନା ରହିଛି। ମ୍ୟାଚ୍ର ଗୋଟିଏ ଦିନ ପୂର୍ବରୁ ଶନିବାର ମଧ୍ୟ କଲମ୍ବୋରେ ଦିନବେଳା ୩୫% ବର୍ଷାର ସମ୍ଭାବନା ରହିଛି। ଯଦି ଏହି ମ୍ୟାଚ୍ ଫଳାଫଳଶୂନ୍ୟ ରୁହେ, ତେବେ ଉଭୟ ଟିମ୍କୁ ୧-୧ ପଏଣ୍ଟ୍ ମିଳିବ। ଗ୍ରୁପ୍ ପର୍ଯ୍ୟାୟର ଏହି ମ୍ୟାଚ୍ ପାଇଁ ରିଭର୍ଜ ଡେ’ ନାହିଁ। ତେଣୁ ରବିବାର ମ୍ୟାଚ୍ ହୋଇନପାରିଲେ ଏହାକୁ ଫଳାଫଳ ଶୂନ୍ୟ ଘୋଷଣା କରାଯିବ।










