ଡେରାଡୁନ୍ : ଉତ୍ତରାଖଣ୍ଡରେ ଶନିବାର ଚାରଧାମ ଯାତ୍ରା ଆରମ୍ଭ ହୋଇଛି । ଏପ୍ରିଲ୍ ୨୨ରେ ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ଧାମର କବାଟ ଖୋଲା ଯାଇଥିବା ବେଳେ ୨୫ ଓ ୨୭ରେ ଯଥାକ୍ରମେ କେଦାରନାଥ ମନ୍ଦିର ଓ ବଦ୍ରୀନାଥ ମନ୍ଦିର କବାଟ ହିନ୍ଦୁ ତୀର୍ଥଯାତ୍ରୀଙ୍କ ପାଇଁ ଖୋଲିବ । ମାତ୍ର ଏହା ପୂର୍ବରୁ କେଦାରନାଥ ଧାମରେ ରବିବାର ବର୍ଷା ଓ ତୁଷାରପାତ ଆରମ୍ଭ ହୋଇଛି । ଖରାପ ପାଣିପାଗ କାରଣରୁ ହରିଦ୍ୱାର ଓ ଋଷିକେଶରେ କେଦାରନାଥ ଯାତ୍ରା ପାଇଁ ତୀର୍ଥଯାତ୍ରୀଙ୍କ ରେଜିଷ୍ଟ୍ରେସନ୍କୁ ୩୦ ତାରିଖ ପର୍ଯ୍ୟନ୍ତ ରୋକିଦିଆଯାଇଛି । ଏହା ସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ତୀର୍ଥଯାତ୍ରୀଙ୍କ ପାଇଁ ଆଡ୍ଭାଇଜରୀ ଜାରି କରାଯାଇଛି । ଯାତ୍ରା ପୂର୍ବରୁ ନିଜ ସହିତ ଗରମ ପୋଷାକ ଏବଂ ଜରୁରୀ ସାମଗ୍ରୀ ରଖିବାକୁ ତୀର୍ଥଯାତ୍ରୀଙ୍କୁ କୁହାଯାଇଛି । ସେପଟେ କେଦାରନାଥରେ ହେଲିକପ୍ଟରର ରୋଟର ବ୍ଲେଡ୍ ରେଞ୍ଜ୍ରେ ଆସିଯିବା କାରଣରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ମୃତକ କେଦାରନାଥରେ ହେଲିକପ୍ଟର ପରିଚାଳନା କରୁଥିବା କମ୍ପାନୀର ଅଧିକାରୀ ବୋଲି ରୁଦ୍ରପ୍ରୟାଗ ଏସ୍ପି ବିଶାଖା ଅଶୋକ ଜଣାଇଛନ୍ତି ।