-ବାର୍ଷିକ ହାରାହାରୀ ନୂଆ ରେଳ ଟ୍ରାକ୍ ନିର୍ମାଣ ସାଢ଼େ ୩ ଗୁଣ ବୃଦ୍ଧି ପାଇଛି
-ଓଡ଼ିଶାରେ ୪୯ରେଳ ପ୍ରକଳ୍ପ ମଞ୍ଜୁର; ୭୬ ପ୍ରକଳ୍ପ ଲାଗି ସର୍ଭେକୁ ଅନୁମୋଦନ
-ରାଜ୍ୟର ୧୦ଟି ସ୍ଥାନରେ ଗତି ଶକ୍ତି କାର୍ଗୋ ଟର୍ମିନାଲ କାର୍ଯ୍ୟକ୍ଷମ
ଭୁବନେଶ୍ୱର: ୨୦୦୯ରୁ ୨୦୧୪ ମଧ୍ୟରେ ଓଡ଼ିଶାକୁ ମାତ୍ର ୮୩୮ କୋଟି ଟଙ୍କାର ରେଳ ବଜେଟ୍ ଆବଣ୍ଟନ ହୋଇଥିଲା। ଅନ୍ୟପଟେ କେବଳ ୨୦୨୫-୨୬ ଆର୍ôଥକ ବର୍ଷରେ ରାଜ୍ୟକୁ ଏହାର ୧୩ ଗୁଣ ଅର୍ଥାତ୍ ୧୦,୫୯୯ କୋଟି ଟଙ୍କାର ରେଳ ବଜେଟ୍ ଦିଆଯାଇଛି। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି। ଶ୍ରୀ ବୈଷ୍ଣବ କହିଛନ୍ତି ନୂଆ ରେଳ ଟ୍ରାକ୍ ନିର୍ମାଣ ମଧ୍ୟ ବାର୍ଷିକ ହାରାହାରୀ ସାଢ଼େ ତିନି ଗୁଣ ବୃଦ୍ଧି ପାଇଛି। ୨୦୦୯-୧୪ ମଧ୍ୟରେ ୨୬୭ କିଲୋମିଟର ନୂଆ ରେଳ ଟ୍ରାକ୍ ନିର୍ମାଣ କରାଯାଇଥିଲା, ଅର୍ଥାତ୍ ବାର୍ଷିକ ହାରାହାରୀ ୫୩.୪ ରେଳ ଲାଇନ୍ ବିଛା ହେଉଥିଲା। ଏହା ତୁଳନାରେ ୨୦୧୪-୨୫ ମଧ୍ୟରେ ବାର୍ଷିକ ହାରାହାରୀ ୧୯୫.୪୫ ନୂଆ ରେଳ ଲାଇନ୍ ନିର୍ମାଣ କରାଯାଇଥିବା ବେଳେ ଏହି ଅବଧି ମଧ୍ୟରେ ମୋଟ୍ ୨,୧୫୦ କିମି ରେଳ ଲାଇନ୍ ବିଛା ହୋଇଛି ।
ଏପ୍ରିଲ ୨୦୨୫ ସୁଦ୍ଧା ୧୯ଟି ନୂଆ ଲାଇନ ଏବଂ ୩୦ଟି ଦୋହରୀକରଣ ପ୍ରକଳ୍ପ ସମେତ ଓଡ଼ିଶାରେ ସମ୍ପୂର୍ଣ୍ଣ ଏବଂ ଆଂଶିକ ଭାବେ ୪୯ଟି ରେଳ ପ୍ରକଳ୍ପକୁ ମଞ୍ଜୁର କରାଯାଇଛି। ଏଥିପାଇଁ ୬୭ ହଜାର ୪୯୬ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏଥିମଧ୍ୟରୁ ମାର୍ଚ୍ଚ ୨୦୨୫ ସୁଦ୍ଧା ୧୪୨୯ କିଲୋମିଟର ରେଳ ମାର୍ଗ କାର୍ଯ୍ୟକ୍ଷମ ହୋଇସାରିଥିବା ବେଳେ ୨୮,୦୪୩ ଟଙ୍କା ଖର୍ଚ୍ଚ ହୋଇଛି। ଉକ୍ତ ଅବଧି ସୁଦ୍ଧା ମୋଟ୍ ୧୧ଟି ରେଳ ଲାଇନ୍ କାମ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇଛି। ଏହାବ୍ୟତୀତ ୧୭ଟି ରେଳ ଲାଇନ୍ ପ୍ରକଳ୍ପ ନିର୍ମାଣାଧୀନ ରହିଛି। ୨୦୨୨-୨୩ରୁ ୨୦୨୫-୨୬ ମଧ୍ୟରେ ଆଂଶିକ କିମ୍ବା ସମ୍ପୂର୍ଣ୍ଣ ଭାବେ ଓଡ଼ିଶା ଦେଇ ଯାଉଥିବା ୭୬ଟି ରେଳ ପ୍ରକଳ୍ପ ପାଇଁ ସର୍ଭେ ହୋଇଛି। ଏଥିରେ ୩୦ଟି ନୂଆ ଲାଇନ ଏବଂ ୪୬ଟି ଦୋହରୀକରଣ ପ୍ରକଳ୍ପ ସାମିଲ ରହିଛି।
କେନ୍ଦ୍ର ରେଳ ମନ୍ତ୍ରୀ ଆହୁରି ସୂଚନା ଦେଇଛନ୍ତି ଯେ ଓଡ଼ିଶା, ଝାରସୁଗୁଡା-ସମ୍ବଲପୁର-ଅନୁଗୁଳ ଏବଂ ଭୁବନେଶ୍ୱର-ପୁରୀ ସମେତ ସମସ୍ତ ବ୍ରଡଗଜ୍ ନେଟୱାର୍କକୁ ବିଦ୍ୟୁତୀକରଣ କରାଯାଇଛି। ଏହାବ୍ୟତୀତ, ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ଏବଂ ତାଳଚେର-ବିମଲାଗଡ଼ ସମେତ ସମସ୍ତ ନୂତନ ଲାଇନ / ରେଳ ଲାଇନ ଦୋହରୀକରଣ ପ୍ରକଳ୍ପକୁ ବିଦ୍ୟୁତୀକରଣ ସହିତ ମଞ୍ଜୁର ଏବଂ ନିର୍ମାଣ କରାଯାଉଛି। ଭାରତୀୟ ରେଳବାଇ ଅଧିକ ମାଲ୍ ପରିବହନ ଲାଗି ଦେଶରେ ୧୨୦ଟି ଗତି-ଶକ୍ତି ବହୁମୁଖି କାର୍ଗୋ ଟର୍ମିନାଲ କାର୍ଯ୍ୟକ୍ଷମ କରିଥିବା ବେଳେ ୧୩୩ଟି ସ୍ଥାନରେ ଏଭଳି ଟର୍ମିନାଲ ନିର୍ମାଣ ଜାରି ରଖିଛି । ଓଡ଼ିଶାର ୧୦ଟି ସ୍ଥାନରେ ଗତିଶକ୍ତି ଟର୍ମିନାଲ କାର୍ଯ୍ୟକ୍ଷମ ହୋଇଛି। ଆହୁରି ୭ଟି ସ୍ଥାନରେ ଗତିଶକ୍ତି ଟର୍ମିନାଲ ନିର୍ମାଣକୁ ଅନୁମୋଦନ କରାଯାଇଛି ।
ଶ୍ରୀ ବୈଷ୍ଣବ କହିଛନ୍ତି ଯେ ଭାରତୀୟ ରେଳବାଇ ଟ୍ରେନ ଚଳାଚଳରେ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଉଛି। ୨୦୧୩-୧୪ରେ ସୁରକ୍ଷା ସଂକ୍ରାନ୍ତ କାର୍ଯ୍ୟକଳାପ ପାଇଁ ୩୯,୪୬୩ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ଗତ ତିନି ବର୍ଷ ହେବ ୧ ଲକ୍ଷ କୋଟିରୁ ଅଧିକ ଟଙ୍କା ଏଥିପାଇଁ ବ୍ୟୟବରାଦ କରାଯାଇଛି। ୨୦୨୫-୨୬ ଆର୍ôଥକ ବର୍ଷରେ ସୁରକ୍ଷା ବ୍ୟୟ ବାବଦରେ ୧,୧୬,୪୭୦ କୋଟି ଟଙ୍କା ବିନିଯୋଗ କରାଯିବ। କେନ୍ଦ୍ରୀକୃତ ପରିଚାଳନା ପଏଣ୍ଟ ସହିତ ୬,୬୫୬ ଷ୍ଟେସନରେ ଇଲେକ୍ଟ୍ରିକାଲ ଏବଂ ଇଲେକ୍ଟ୍ରୋନିକ୍ସ ଇଣ୍ଟରଲକିଂ ସିଷ୍ଟମ କାର୍ଯ୍ୟକ୍ଷମ କରାଯାଇଛି। ଭାରତୀୟ ରେଳବାଇର ୧୫,୫୧୨ ଆରକେଏମରେ କବଚ ପ୍ରଣାଳୀ କାର୍ଯ୍ୟକ୍ଷମ ହୋଇଛି। ଏହା ହେଉଛି ଏକ ସ୍ୱଦେଶୀ ପ୍ରଯୁକ୍ତି ଆଧାରିତ ପ୍ରଣାଳୀ ଯାହା ସର୍ବୋଚ୍ଚ ନିରାପତ୍ତା ସୁନିଶ୍ଚିତ କରିଥାଏ। ଏହି ପ୍ରଣାଳୀ ଲୋକୋ ପାଇଲଟମାନଙ୍କୁ ନିର୍ଦ୍ଦିଷ୍ଟ ବେଗରେ ଟ୍ରେନ ଚଳାଇବା ଏବଂ ସ୍ୱୟଂକ୍ରିୟ ଭାବେ ବ୍ରେକ୍ ପ୍ରୟୋଗ କରିବାର ସୁବିଧା ଦେଇଥାଏ। କୁହୁଡ଼ି ପ୍ରବଣ ଅଞ୍ଚଳରେ ଲୋକୋ ପାଇଲଟମାନଙ୍କୁ ଜିପିଏସ୍ ଆଧାରିତ ଫଗ ସୁରକ୍ଷା ଡିଭାଇସ୍ ପ୍ରଦାନ କରାଯାଇଛି। ବ୍ରଡଗଜ୍ ମାର୍ଗରେ ସବୁ ମାନବବିହୀନ ଲେଭଲ କ୍ରସିଂକୁ ଉଚ୍ଛେଦ କରାଯାଇଥିବା ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି।










