ନୂଆଦିଲ୍ଲୀ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଜମ୍ମୁ-କଶ୍ମୀରରେ ଜାରି ଅତିକ୍ରମଣ ବିରୋଧୀ ଅଭିଯାନକୁ ନେଇ ରବିବାର ବିଜେପିକୁ ଟାର୍ଗେଟ୍ କରିଛନ୍ତି । କଂଗ୍ରେସ ନେତା କହିଛନ୍ତି, କେନ୍ଦ୍ରଶାସିତ ପ୍ରଦେଶ ରୋଜଗାର, ଉନ୍ନତ ବ୍ୟବସାୟ ଏବଂ ଭଲପାଇବା ଚାହୁଁଥିବା ବେଳେ ଏହା ପରିବର୍ତ୍ତେ ତାକୁ ‘ବିଜେପିର ବୁଲ୍ଡୋଜର୍’ର ମିଳିଛି । କଂଗ୍ରେସ, ନାସ୍ନାଲ୍ କଂଗ୍ରେସ ଏବଂ ପିଡିପି ପରି କେତେକ ବଡ଼ ପାର୍ଟି ଏହି ଅଭିଯାନକୁ ନେଇ ଚିନ୍ତାବ୍ୟକ୍ତ କରିବା ସହିତ ଏହାକୁ ତୁରନ୍ତ ରୋକିବା ପାଇଁ ଦାବି କରିଛନ୍ତି । ରାହୁଲ ଟ୍ୱିଟ୍ କରିଛନ୍ତି, ‘ଜମ୍ମ-କଶ୍ମୀରକୁ ରୋଜଗାର, ଉନ୍ନତ ବ୍ୟବସାୟ ଏବଂ ଭଲ ପାଇବା ଆବଶ୍ୟକତା ରହିଛି, ମାତ୍ର ତାକୁ ମିଳିଛି କ’ଣ? ବିଜେପିର ବୁଲ୍ଡୋଜର୍ ।’
ସେ କହିଛନ୍ତି, ବହୁ ଦଶନ୍ଧି ଧରି ସେଠାକାର ଲୋକ ପରିଶ୍ରମ କରି ଯେଉଁ ଜମିକୁ ଜଳସେଚିତ କରିଛନ୍ତି, ତାହା ସେମାନଙ୍କଠାରୁ ଛଡ଼ାଇ ନିଆଯାଉଛି । ଶାନ୍ତି ଏବଂ କଶ୍ମୀରିୟତ୍ ଯୋଡ଼ିବାରେ ହୋଇଥାଏ, ଭାଙ୍ଗିବା ଏବଂ ବାଣ୍ଟିବାରେ ନୁହେଁ ।’ ରାହୁଲ ଏହି ଟ୍ୱିଟ୍ରେ ଅତିକ୍ରମଣକୁ ନେଇ ଜମ୍ମୁ-କଶ୍ମୀର ଲୋକଙ୍କ ମଧ୍ୟ ସୃଷ୍ଟି ହୋଇଥିବା ଭୟକୁ ନେଇ ପ୍ରକାଶିତ ଖବରର କଟିଂ ମଧ୍ୟ ସଂଲଗ୍ନ କରିଛନ୍ତି । ସୂଚନାଯୋଗ୍ୟ, ରାଜସ୍ୱ ବିଭାଗର କମିଶନର୍ ସେକ୍ରେଟାରୀ ବିଜୟ କୁମାର ବିଧୁଡ଼ି ସରକାରୀ ଜମିରୁ ଶତପ୍ରତିଶତ ଅତିକ୍ରମଣ ହଟାଇବା ନିମନ୍ତେ ଜାନୁଆରୀ ୭ ତାରିଖରେ ସମସ୍ତ ଡେପୁଟି କମିଶନର୍ଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଜମ୍ମୁ-କଶ୍ମୀରର ପ୍ରାୟ ଅଢ଼େଇ ଲକ୍ଷ ବିଘା ଜମି ଅତିକ୍ରମଣ ମୁକ୍ତ କରାଯାଇଛି ।