ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର ତୋଗଲକ ରୋଡ୍ ଲେନ୍ସ୍ଥିତ ନିଜ ସରକାରୀ ବଙ୍ଗଳା ଖାଲିକରି ଏହାର ଚାବି ଲୋକସଭା ସଚିବାଳୟକୁ ପ୍ରଦାନ କରିଛନ୍ତି । ରାହୁଲ ସ୍ୱୟଂ ବଙ୍ଗଳାର କବାଟ ଲକ୍ କରିବା ସହିତ ଲୋକସଭା ଷ୍ଟାଫ୍ଙ୍କୁ ଚାବି ଦେଇଥିଲେ । ଏହାପରେ ଅଧିକାରୀଙ୍କ ସହିତ ହାତ ମିଳାଇ ମା’ ଓ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କ ସହିତ ୧୦ ଜନପଥସ୍ଥିତ ସୋନିଆ ଗାନ୍ଧୀଙ୍କ ସରକାରୀ ବଙ୍ଗଳା ଅଭିମୁଖେ ବାହାରି ଯାଇଥିଲେ । ଏବେ ସେ ସେଠାରେ ରହିବେ । ବଙ୍ଗଳା ଛାଡ଼ିବା ପରେ ମିଡିଆ ସହିତ କଥାବାର୍ତ୍ତା ବେଳେ ସେ କହିଥିଲେ । ହିନ୍ଦୁସ୍ତାନର ଜନତା ୧୯ ବର୍ଷ ପାଇଁ ମୋତେ ଏହି ଘର ଦେଇଥିଲେ ।
ସେମାନଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଁଛି । ସତ କହିବାର ଫଳ ମୋତେ ଭୋଗିବାକୁ ପଡ଼ିଛି । ସତ କହିବା ପାଇଁ ମୁଁ ଯେକୌଣସି ମୂଲ୍ୟ ଦେବାକୁ ପ୍ରସ୍ତୁତ ଅଛି । ସେହିପରି ପ୍ରିୟଙ୍କା ଗାନ୍ଧୀ କହିଥିଲେ, ମୋ ଭାଇ ଯାହା ବି କହିଛନ୍ତି, ଏକଦମ ସତ୍ୟ । ସେ ସରକାରଙ୍କ ସତ୍ୟ ପ୍ରକାଶ କରିଥିବାରୁ ତାଙ୍କ ସହିତ ଏହା ସବୁ ହୋଇଛି । ତେବେ ସେ ବହୁତ ସାହସୀ, ଭୟ କରନ୍ତି ନାହିଁ । ଆମେ ଭୟଭୀତ ନହୋଇ ସଂଘର୍ଷ ଜାରି ରଖିବୁ । ସୂଚନାଯୋଗ୍ୟ, ୨୦୦୪ରେ ଆମେଥିରୁ ସାଂସଦ ଭାବେ ନିର୍ବାଚିତ ହେବାପରେ ରାହୁଲଙ୍କୁ ୨୦୦୫ରେ ଏହି ବଙ୍ଗଳା ମିଳିଥିଲା । ସୂତ୍ର ଅନୁସାରେ ନିଜ ଅଫିସ୍ ପାଇଁ ରାହୁଲ ନୂଆ ଘର ସନ୍ଧାନରେ ଅଛନ୍ତି । ଶୁକ୍ରବାର ସେ ସରକାରୀ ବଳଙ୍ଗାରୁ ଅଧିକାଂଶ ସାମଗ୍ରୀ ଖାଲି କରିଦେଇଥିଲେ । କିଛିବର୍ଷ ପୂର୍ବେ ଏସ୍ଜିପି ସୁରକ୍ଷା କଭର୍ ହଟିବା ପରେ ପ୍ରିୟଙ୍କା ଗାନ୍ଧୀଙ୍କ ଲୋଧି ଇଷ୍ଟେଟ୍ସ୍ଥିତ ବଙ୍ଗଳା ଛାଡିବାକୁ ପଡ଼ିଥିଲା ।