ମୁମ୍ବାଇ: ଗତ କିଛି ସମୟ ଧରି ଫର୍ମକୁ ନେଇ ସଂଘର୍ଷ କରୁଥିବା ସିନିୟର୍ ବ୍ୟାଟ୍ସମ୍ୟାନ୍ ଆଜିଙ୍କ୍ୟ ରାହାଣେ ରଣଜୀ କ୍ରିକେଟ୍ ଖେଳିବେ । ରାହାଣେଙ୍କୁ ଆଗାମୀ ସିଜନ୍ ପାଇଁ ମୁମ୍ବାଇ ଟିମ୍ରେ ସାମିଲ କରାଯାଇଛି । ଫର୍ମ ହାସଲ ଉଦ୍ଦେଶ୍ୟରେ ରାହାଣେ ରଣଜୀ ଟ୍ରଫି ଖେଳିପାରନ୍ତି ବୋଲି କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା । ୪୧ ଥରର ଚାମ୍ପିଅନ୍ ମୁମ୍ବାଇକୁ ଗ୍ରୁପ୍-ଡି’ରେ ଡିଫେଣ୍ଡିଂ ଚାମ୍ପିଅନ୍ ସୌରାଷ୍ଟ୍ର, ଗୋଆ ଓ ଓଡ଼ିଶା ସହ ସ୍ଥାନ ପାଇଛି । ଟିମ୍ ନିଜର ଲିଗ୍ ମ୍ୟାଚ୍ ଅହମ୍ମଦାବାଦରେ ଖେଳିବ । ମୁମ୍ବାଇ କ୍ରିକେଟ୍ ସଂଘର ସିନିୟର୍ ଚୟନ କମିଟି ମଙ୍ଗଳବାର ଆଗାମୀ ରଣଜୀ ଟ୍ରଫି ପାଇଁ ୨୧ ଜଣିଆ ଟିମ୍ ଘୋଷଣା କରିଛି ।
ଯୁବ ଓପ୍ନିଂ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ଙ୍କ ନେତୃତ୍ୱାଧୀନ ଟିମ୍ରେ ମାଷ୍ଟର ବ୍ଲାଷ୍ଟର୍ ସଚିନ୍ ତେନ୍ଦୁଲକରଙ୍କ ପୁତ୍ର ଅର୍ଜୁନ ତେନ୍ଦୁଲକରଙ୍କୁ ମଧ୍ୟ ସାମିଲ କରାଯାଇଛି । ସିନିୟର ୱିକେଟ୍କିପର୍ ବ୍ୟାଟ୍ସମ୍ୟାନ୍ ଆଦିତ୍ୟ ତାରେ ଓ ଫାଷ୍ଟ ବୋଲର୍ ଧବଲ କୁଲକର୍ଣ୍ଣୀଙ୍କୁ ମଧ୍ୟ ଟିମ୍ରେ ସ୍ଥାନ ମିଳିଛି । ମୁମ୍ବାଇ ଟିମ୍: ପୃଥ୍ୱୀ ଶ’ (କ୍ୟାପ୍ଟେନ୍), ଆଜିଙ୍କ ରାହାଣେ, ୟଶସ୍ୱୀ ଜୟସ୍ୱାଲ୍, ଆକର୍ଷିତ ଗୋମେଲ୍, ଅର୍ମାନ୍ ଜାଫର୍, ସର୍ଫରାଜ ଖାନ୍, ସଚିନ୍ ଯାଦବ, ଆଦିତ୍ୟ ତାରେ (ୱିକେଟ୍କିପର୍), ହାର୍ଦ୍ଦିକ ତାମୋରେ (ୱିକେଟ୍କିପର୍), ଶିବମ ଦୁବେ, ଶମ୍ସ ମୁଲାନି, ତନୁଶ କୋଟିଆନ୍, ପ୍ରଶାନ୍ତ ସୋଲାଙ୍କି, ଶଶାଙ୍କ ଆଟ୍ଟାର୍ଡେ, ଧବଲ କୁଲକର୍ଣ୍ଣୀ, ମୋହିତ ଅୱସ୍ତି, ପ୍ରିନ୍ସ ବାଦିଆନି, ସିଦ୍ଧାର୍ଥ ରାଉତ, ରୟଷ୍ଟନ୍ ଡାଏସ୍, ଅର୍ଜୁନ ତେନ୍ଦୁଲକର ।