17.1 C
Bhubaneswar
Monday, November 18, 2024
Homeଅପରାଧଜାତୀୟ ରାଜପଥରେ ରାହାଜାନୀ ଉଦ୍ୟମ ପଣ୍ଡ : ୧୦ ଜଣିଆ ଦୁର୍ଦ୍ଧାନ୍ତ ଗ୍ୟାଙ୍ଗ କାବୁ

ଜାତୀୟ ରାଜପଥରେ ରାହାଜାନୀ ଉଦ୍ୟମ ପଣ୍ଡ : ୧୦ ଜଣିଆ ଦୁର୍ଦ୍ଧାନ୍ତ ଗ୍ୟାଙ୍ଗ କାବୁ

ସାନଖେମୁଣ୍ଡି :ପାଟପୁର ଥାନା ଅନ୍ତର୍ଗତ ପାଇକ ରାମଚନ୍ଦ୍ରପୁର ଛକ ୩୨୬ନଂ ଜାତୀୟ ରାଜପଥ ପାର୍ଶ୍ୱରୁ ଏକ ବଡଧରଣର ରାହାଜାନୀ ଗ୍ୟାଙ୍ଗକୁ ମଙ୍ଗଳବାର ରାତିରେ ପାଟପୁର ଥାନା ପୁଲିସ କାବୁ କରିଛି । ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଏକ ଯାତ୍ରୀ ବିଶ୍ରାମାଗାର ଭିତରେ ସଙ୍ଗବଦ୍ଧ ହୋଇ ଏକ ଦୁର୍ଦ୍ଧାନ୍ତ ଗୋଷ୍ଠୀ ବିଭିନ୍ନ ମାରଣାସ୍ତ୍ର ଧରି ରାହାଜାନୀ ପାଇଁ ଯୋଜନା କରୁଥିବା ସୂଚନା ପାଇ ପାଟପୁର ଥାନା ପୁଲିସ ଗ୍ୟାଙ୍ଗ ଉପରେ ଚଢ଼ାଉ କରିଥିଲା । ଥାନା ଆଇଆଇସି ସବ୍ୟସାଚୀ ମଲ୍ଲଙ୍କ ନିର୍ଦ୍ଦେଶରେ ମଙ୍ଗଳବାର ରାତି ସାଢ଼େ ୧୧ଟାରେ ଏସଆଈ ଶାନ୍ତନୁ କୁମାର ଦିଗାଲଙ୍କ ନେତୃତ୍ୱରେ ଏକ ଟିମ୍ ରାତ୍ରୀକାଳୀନ ପେଟ୍ରୋଲିଂ କରିବାକୁ ବାହାରିଥିଲେ । ବିଳମ୍ବିତ ରାତି ସାଢ଼େ ଦୁଇଟା ସମୟରେ ଏସ୍‌ଆଇ ଶ୍ରୀ ଦିଗାଲ ପାଇକ ରାମଚନ୍ଦ୍ରପୁର ଛକ ରାଜପଥ ପାର୍ଶ୍ୱରେ ଥିବା ଯାତ୍ରୀ ବିଶ୍ରାମାଗାର ବାହାରେ କିଛି ବାଇକ୍ ଓ ଭିତରେ ୧୦ ରୁ ୧୫ ଜଣ ମଦ ଆସର କରି ରାହାଜାନୀ ଡକାୟତି ପାଇଁ ଯୋଜନା କରୁଥିବା ସୂଚନା ପାଇଥିଲେ । ବିଶ୍ରାମାଗାର ଠାରୁ କିଛି ଦୂରରେ ଗାଡ଼ି ରଖି ପୁଲିସ ଟିମ୍ ଉକ୍ତ ଗ୍ୟାଙ୍ଗର ଚାରିପଟେ ଘେରି କାବୁ କରୁଥିବା ବେକେ ଦୁଇଟି ବାଇକ୍‌ରେ ୩ ଜଣ ଶେରଗଡ଼ ପଟକୁ ଖସି ଯିବାକୁ ସକ୍ଷମ ହୋଇଥିଲେ । ଘଟଣାସ୍ଥଳରୁ ୧୦ ଜଣଙ୍କୁ କାବୁ କରାଯାଇଥିଲା ।

ପୁଲିସ ସେଠାରୁ ଦୁଇଟି ଖାଲି ମଦ ବୋତଲ, ସିଗାରେଟ ପ୍ୟାକେଟ, ସାଇକେଲ ଚେନ୍‌, ଖଣ୍ଡା, ହାତଭିଡ଼ା ବୋମା ୬ଟି, ଦୁଇଟି ବାଇକ, ଲଙ୍କାଗୁଣ୍ଡ, ଛୁରୀ, ପ୍ଲାଷ୍ଟିକ ଗ୍ଲାସ ଆଦି ଜବତ କରିଥିଲା । ପୁଲିସ ପଞ୍ଝାରେ ପଡ଼ିଥିବା ଦୁର୍ଦ୍ଧାନ୍ତ ଆସାମୀମାନଙ୍କ ମଧ୍ୟରେ ପାଟପୁର ଥାନା ଅନ୍ତର୍ଗତ କଙ୍କୋରଡ଼ାର ଲକ୍ଷ୍ମଣ ସେଠୀ, ରାଘବ ପ୍ରଧାନ, ଅମିନ ପରିଡ, କାଳିଆ ବିଷୋୟୀ, ପାଇକ ରାମଚନ୍ଦ୍ରପୁରର ବଳରାମ ପ୍ରଧାନ, ଏସ୍‌. ଗୋପାଳପୁରର କାହ୍ନା ପ୍ରଧାନ, ଆସିକା ଥାନା ଅନ୍ତର୍ଗତ ଭେଟନଇର ଜିତେନ୍ଦ୍ର ନାହାକ ଓରଫ ପାଣ୍ଡୁ ବାଦଲ ଦାସ, କେ ନୂଆଗାଁ ଥାନା ଅର୍ନ୍ତଗତ ବମକେଇର ଶିବ ଗୌଡ ଓ ଜଗନ୍ନାଥ ପ୍ରଧାନକୁ ପୁଲିସ ଗିରଫ କରିଛି । ଏନେଇ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି । ଗିରଫ ୧୦ ଜଣକ ମଧ୍ୟରୁ ୭ ଜଣଙ୍କ ନାମରେ ପାଟପୁର, ଶେରଗଡ, ବଡଗଡ, ହିଞ୍ଜିଳି, ଗାଙ୍ଗପୁର, ଆସିକା, ଦିଗପହଣ୍ଡି ଥାନାରେ ଏକାଧିକ ସଙ୍ଗୀନ ମାମଲା ଥିବା ପ୍ରେସ୍ ବିଜ୍ଞପ୍ତିରେ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking