ପୁରୀ : ଆଜି ଅଣସର ଦଶମୀ ତିଥିରେ ଶ୍ରୀଜିଉ ମାନଙ୍କୁ ଦଶମୂଳ ମୋଦକ ଲାଗି ହୋଇ ସାରିବା ପରେ ଚକା ବିଜେ ହେବେ ଶ୍ରୀ ମହାପ୍ରଭୁ । ଆୟୁର୍ବେଦିକ ପଦ୍ଧତି ଓ ଶାସ୍ତ୍ର ଅନୁସାରେ ଶ୍ରୀଜୀଉ ଙ୍କ ନିମନ୍ତେ ଦଶମୂଳ ମୋଦକ ପ୍ରସ୍ତୁତ ହୋଇଥାଏ । ଏହା ଏକାଦଶୀ ଦିନ ଶ୍ରୀଜୀଉଙ୍କ ପାଖେ ସମର୍ପଣ ହୋଇଥାଏ । ଶ୍ରୀମନ୍ଦିରର ରାଜବୈଦ୍ୟ ସେବକ ମାନେ ପୁରୁଷାନୁକ୍ରମେ ମହାପ୍ରଭୁଙ୍କ ଏହି ସେବା କରିଥାନ୍ତି । ଏହି ମହୌଷଧି ପ୍ରସ୍ତୁତି ନିମନ୍ତେ – ଶାଳପନ୍ନି , ଗମ୍ଭାରୀ , ଫଣଫଣା , କୃଷ୍ଣ ପନ୍ନି , ଅଗବଥୁ , ବେଲ , ଅଙ୍କରାନ୍ତି , ଗୋଖରା ,ଲବିଂ କୋଳି , ନବାଙ୍କୁରୀ କୁ ପ୍ରଥମେ ଶୁଖା ଯାଇଥାଏ । ପରେ ଏହାକୁ କୁଟା ଯାଇ ଗୁଣ୍ଡ କରାଯାଇଥାଏ । ଏହି ଗୁଣ୍ଡକୁ ଗାମୁଛାରେ ଛାଣି ନୂତନ କାଠ ଚୁଲିରେ କଡେଇ ବସାଯାଇ ଖୁଆ , ଶର୍କରା , ସର , ମହୁ , ଘିଅ , ଭାଙ୍ଗ ଆଦି ପକାଯାଇ ଏହାକୁ ପାଗ କରାଯାଏ । ପାଗ ପରେ ଏହାକୁ କଦଳୀ ପତ୍ର ଉପରେ ରଖି ଥଣ୍ଡା କରାଯାଇଥାଏ । ଥଣ୍ଡା ହେଲା ପରେ ଏହାକୁ ଗୋଲାକାର ମୋଦକ କରି ୩ଟି କୁଡୁଆରେ ରଖା ଯାଇଥାଏ । ଏହା ଉପରେ କର୍ପୂର ଦେଇ ତାଳପତ୍ର ଭୋଗେଇରେ ରଖି ଶ୍ରୀମନ୍ଦିର ଗାରଦ ରେ ଦାଖଲ କରାଯାଇଥାଏ ।
ନୀଳାଦ୍ରି ମହୋଦୟ ଶାସ୍ତ୍ରରେ ମହାପ୍ରଭୁଙ୍କ ଅଣସର କାଳୀନ ଗୋପନ ସେବା ସଂପର୍କରେ ରହିଥିବା ମାର୍ଗ ଦର୍ଶକ ମୁତାବକ, ବିଶ୍ୱାବସୁ ତଥା ବିଦ୍ୟାପତି ବଂଶଧାରମାନେ ଶ୍ରୀଅଙ୍ଗ ସେବାରେ ଲାଗିବେ । ଏହି ସେବା ପାଇଁ ବିଭିନ୍ନ ପ୍ରକାରର ଚେରମୂଳିରୁ ପ୍ରସ୍ତୁତ ଔଷଧ ପ୍ରସ୍ତୁତ କରାଯାଇଛି । ସେଥିମଧ୍ୟରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ବଡଓଡିଆ ମଠରୁ ଆସିଥିବା ଫୁଲୁରି ତେଲ ଓ ଶୁଦ୍ଧସୁଆର ସେବକମାନେ ଯୋଗାଇଥିବା ଓଷୁଅ ବା ଖଳି ।
ଆର୍ୟୁବେଦ ଶାସ୍ତ୍ର ଉପରେ କାହିଁକି ଭରସା କରନ୍ତି ମହାପ୍ରଭୁ :-
ସ୍ନାନ ପୂର୍ଣ୍ଣମୀ ଦିନ ସର୍ବାଙ୍ଗ ସ୍ନାନ ପରେ ଅସୁସ୍ଥ ହୋଇ ପଡିଥିବା ମହାପ୍ରଭୁଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ କରିବା ଲାଗି ଦଶମୂଳ ମହୌଷଧି ଲାଗି କରାଯାଏ । ପବିତ୍ର ଏକାଦଶୀ ତିଥି ଅବସରରେ ବିଳମ୍ୱିତ ରାତିରେ ଶ୍ରୀମନ୍ଦିର ବୈଦ୍ୟଙ୍କ ପରାମର୍ଶ କ୍ରମେ ପତି ମହାପାତ୍ର ସେବକ ଏହାକୁ ଲାଗି କରିବେ । ଏହି ମହୌଷଧି ଶ୍ରୀ ଅଙ୍ଗରେ ଉପଚାର କରାଯିବା ପରେ ଜ୍ୱରରେ କମ୍ପୁଥିବା ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହେବେ । ଏଥିସହିତ ମହାପ୍ରଭୁଙ୍କ ସର୍ବାଙ୍ଗ ଚନ୍ଦନ ଲାଗି ନୀତି ମଧ୍ୟ ଅନୁଷ୍ଠିତ ହେବ । ଶ୍ରୀଜୀଉମାନେ ରକ୍ତବସ୍ତ୍ର ପରିଧାନ କରିବେ ଓ ମହାପ୍ରଭୁଙ୍କୁ ତୁଳସୀ ଲାଗି ହେବେ । ସ୍ନାନ ପୂର୍ଣ୍ଣିମୀ ପରଠାରୁ ଅସୁସ୍ଥ ହୋଇପଡିବା ପରେ ମହାପ୍ରଭୁଙ୍କୁ ନୀତିରେ ତୁଳସୀ କିମ୍ୱା ଧଳା ଫୁଲ ବ୍ୟବହାର ହେଉନଥିଲା । ଦଇତାପତି ସେବକଙ୍କ ଉଦ୍ୟମ କ୍ରମେ ମହାପ୍ରଭୁ କ୍ରମଶଃ ସୁସ୍ଥ ହୋଇ ଉଠନ୍ତି । ପୂର୍ବରୁ ବଡ଼ ଓଡ଼ିଆ ମଠ ଫୁଲୁରି ତେଲ ଯୋଗାଇ ଦିଅନ୍ତି, ଯାହା ମହାପ୍ରଭୁଙ୍କ ଠାରେ ଲାଗି କରାଯାଏ । ସେହିଭଳି ଶୁଦ୍ଧ ସୁଆର ସେବକ ମହାପ୍ରଭୁଙ୍କୁ ଔଷଧ ଯୋଗାଇ ଦିଅନ୍ତି । ଏହି କ୍ରମରେ ମହାପ୍ରଭୁ ଚକାବିଜେ ହେବା ପରେ ସୁସ୍ଥ ହେଉଥିବା ଲକ୍ଷଣ ପ୍ରକାଶ ପାଏ । ଏବଂ ପ୍ରଭୁଙ୍କ କବିରାଜ ତୁରନ୍ତ ଶ୍ରୀମନ୍ଦିରକୁ ଦଶମୂଳ ବା ମୋଦକ ବିଜେ କରାନ୍ତି ।
ଆଷାଢ଼ କୃଷ୍ଣ ଦଶମୀ ତିଥିରେ ଶ୍ରୀମନ୍ଦିରର ଅନବସର ଗୃହରେ ତିନୋଟି ମୁଗୁନି ପଥରର ଚକା ଅଣସର ପିଣ୍ଡିରେ ରଖାଯାଇ ବିଗ୍ରହଙ୍କୁ ଏକ ଚକା ଉପରେ ବିଜେ କରାଯାଏ । ପାରମ୍ପରିକ ରୀତି ମତେ ଦଶମୀ ତିଥିରେ ଶ୍ରୀବିଗ୍ରହମାନଙ୍କୁ ଆରୋଗ୍ୟ ହେବା ନିମନ୍ତେ ରାଜବୈଦ୍ୟଙ୍କ ପ୍ରସ୍ତୁତ ଦଶମୂଳ ମୋଦକ ସେବନ କରିବାକୁ ଦିଆଯାଇଥାଏ । ରାଜବୈଦ୍ୟମାନେ ପ୍ରସ୍ତୁତ କରିଥିବା ଦଶମୂଳ ମୋଦକକୁ ପତି ମହାପାତ୍ର ସେବକ ଠାକୁରମାନଙ୍କୁ ଭୋଗ କରିବା କରିବା ପରେ ଅଣସର ଘରେ ଶୋଇରହିଥିବା ଜୀଉମାନେ ଉଠି ଚକା ଉପରକୁ ବିଜେ କରିଥାନ୍ତି ।