ପୁରୀ : ଆଗାମୀ ରଥଯାତ୍ରା ପରିପ୍ରେକ୍ଷୀରେ ଗୁରୁବାର ପୂଜାପଣ୍ଡା ନିଯୋଗ, ପୁଷ୍ପାଳକ ନିଯୋଗ ଓ ସୁଆର ମହାସୁଆର ନିଯୋଗ କର୍ମକର୍ତ୍ତାମାନଙ୍କ ସହିତ ଆଲୋଚନା କରିଛି ଜିଲ୍ଲା ପ୍ରଶାସନ । କେଉଁ ସେବାୟତମାନେ ଓ କେତେଜଣ ସେବାୟତ ରଥ ଟାଣିବାରେ ଭାଗ ନେବେ ସେ ବିଷୟରେ ଆଲୋଚନା କରାଯାଇଛି । ରଥଯାତ୍ରାରେ ସଂଶ୍ଳିଷ୍ଟ ସମସ୍ତ ସେବାୟତମାନଙ୍କର ଆରଟିପିସିଆର ଟେଷ୍ଟ କରାଯିବ । ପ୍ରତିଦିନ ଏକ ହଜାରରୁ ଦୁଇ ହଜାର ଭିତରେ ସାମ୍ପଲ ଟେଷ୍ଟ କରାଯିବାର ଯୋଜନା କରାଯାଇଛି । ପ୍ରାୟ ୩୫୦୦ ସାମ୍ପୁଲ ଟେଷ୍ଟ କରାଯିବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ପ୍ରକାଶ କରିଛନ୍ତି ।
ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକ ପରେ ସୂଚନା ଦେଇ ଜିଲ୍ଲାପାଳ କହିଛନ୍ତି ଯେ ଗତବର୍ଷ ଯେପରି ବିଭିନ୍ନ ନିଯୋଗର ସେବାୟତମାନଙ୍କ ସଂଖ୍ୟା ଧାର୍ଯ୍ୟ କରାଯାଇଥିଲା ପ୍ରାୟତଃ ସେହିଭଳି ଏ ବର୍ଷ ସେବାୟତମାନଙ୍କର ସଂଖ୍ୟା ଧାର୍ଯ୍ୟ କରାଯିବ । ସମସ୍ତଙ୍କ ସହ ଆଲୋଚନା ପରେ ଚୂଡ଼ାନ୍ତ ସଂଖ୍ୟା ଧାର୍ଯ୍ୟ କରିବୁ । ଜୁଲାଇ ୮ରୁ ଆରଟିପିସିଆର ସାମ୍ପଲ ଟେଷ୍ଟ ପାଇଁ ଯୋଜନା କରାଯାଇଛି ।
ଆମ ଜିଲ୍ଲାର ସାମର୍ଥ୍ୟ ନଥିବାରୁ ରାଜ୍ୟର ସବୁ ଲାବରେଟୋରୀକୁ ପରୀକ୍ଷା ପାଇଁ ନମୁନା ପଠାଯିବ । ଯେଉଁ ସେବାୟତମାନେ ରଥ ଟଣାରେ ଭାଗ ନେବେ, ଯେଉଁ ପୁଲିସ କର୍ମଚାରୀମାନେ ଇନର କର୍ଡ଼ନରେ ରହିବେ, ଯେଉଁ ପରିମଳ କର୍ମଚାରୀ ପୁଲିସ କର୍ଡ଼ନ ଭିତରେ ରଥ ପଛରେ ଯିବେ, ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ, ଆମ୍ବୁଲାନ୍ସ କର୍ମଚାରୀ ଓ ଅନ୍ୟ ଅଧିକାରୀମାନଙ୍କର ସାମ୍ପଲ ଟେଷ୍ଟ କରାଯିବ । ଜିଲ୍ଲାପାଳ ଶ୍ରୀ ବର୍ମା ପ୍ରକାଶ କରିଥିଲେ ଯେ ରଥଯାତ୍ରା ସମୟରେ ପୁରୀ ସହରରେ କର୍ଫ୍ୟୁ ଜାରି କରାଯିବ । ବସ ଓ ରେଳ ଚଳାଚଳ ବନ୍ଦ ରହିବ । ବଡ଼ଦାଣ୍ଡରେ ଥିବା ହୋଟେଲଗୁଡ଼ିକୁ ଖାଲି କରିଦିଆଯିବ ।
ବଡ଼ଦାଣ୍ଡରେ ଯେଉଁମାନଙ୍କର ଘର ଅଛି କେବଳ ସେହିମାନେ ହିଁ ଘରେ ଥାଇ ରଥ ଦେଖିପାରିବେ । କେଉଁ ଘରେ କେତେ ଲୋକ ରହୁଛନ୍ତି ସେ ସମ୍ପର୍କରେ ସର୍ଭେ କରାଯାଇଛି । କୌଣସି ବ୍ୟକ୍ତି ବାହାର ଲୋକଙ୍କୁ ନିମନ୍ତ୍ରଣ କରିପାରିବେ ନାହିଁ । କେହି ସେଭଳି କାର୍ଯ୍ୟ କଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବଡ଼ଦାଣ୍ଡରେ ଥିବା ଘରଗୁଡ଼ିକ ବ୍ୟବସାୟୀକ ଉଦ୍ଦେଶ୍ୟରେ ବ୍ୟବହୃତ ହେଉଛି କି ମାଲିକ ନିଜେ ରହୁଛନ୍ତି ସେ ସମ୍ପର୍କରେ ସର୍ଭେ କରାଯାଇଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ ।