ପୁଲିସ ଉପରେ ବର୍ଷିଲେ ହାଇକୋର୍ଟ
ଏକାଧିକ ସମର୍ଥକଙ୍କ ବିରୋଧରେ ଏନ୍ଏସ୍ଏ ଲାଗୁ
ଚଣ୍ଡିଗଡ: ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହଙ୍କୁ ଗିରଫ କରିବାକୁ ପଞ୍ଜାବ ପୁଲିସର ସ୍ୱତନ୍ତ୍ର ଟିମ୍ ଆଜିକୁ ଚାରିଦିନ ଧରି ଘମାଘୋଟ ଉଦ୍ୟମ ଚଳାଇଥିଲେ ସୁଦ୍ଧା ସଫଳତା ସେମାନଙ୍କ ପାଖ ମାଡିପାରୁନାହିଁ । ନିଜର ଦୁର୍ବଳତା ଘୋଡାଇବାକୁ ପଞ୍ଜାବ ପୁଲିସ ବର୍ତ୍ତମାନ ବିଭିନ୍ନ ବାହାନା ଦେଖାଉଛି । ପୁଲିସ ପଞ୍ଝାରୁ ବର୍ତ୍ତିବାକୁ ଅମ୍ରିତପାଲ ଇତିମଧ୍ୟରେ ଏକାଧିକ ଥର ଚେହେରା ବଦଳାଇଥିବା ପୁଲିସ ଆଶଙ୍କା କରୁଛି । ପଞ୍ଜାବ ପୁଲିସ ପକ୍ଷରୁ ଏହି ପ୍ରସଙ୍ଗରେ ମଙ୍ଗଳବାର ଅମ୍ରିତପାଲର ୭ଟି ବିଭିନ୍ନ ଡିଜାଇନ୍ର ଫଟୋ ଜାରି କରାଯାଇଛି । ନିଜକୁ ଖଲିସ୍ତାନୀ ନେତା ସ୍ୱର୍ଗତ ଜର୍ଣ୍ଣେଲ ସିଂହ ଭିନ୍ଦ୍ରନୱାଲେଙ୍କ ଷ୍ଟାଇଲରେ ସଜାଇ ହୋଇଥିବା ଅମ୍ରିତପାଲକୁ ଏହି ଫଟୋରେ ବିଭିନ୍ନ ଲୁକ୍ରେ ଦେଖିବାକୁ ମିଳିଛି । ଏଭଳି ଫଟୋ ଦେଖି କାଳେ ଲୋକେ ପୁଲିସକୁ ଖବର ଦେବେ, ସେହି ଆଶାକୁ ବର୍ତ୍ତମାନ ପୁଲିସ ଭରସା କରିଛି । ଜାତୀୟସ୍ତରର ଏକ ଗଣମାଧ୍ୟମ ସଂସ୍ଥାର ହସ୍ତଗତ ହୋଇଥିବା ଭିଡିଓ ଫୁଟେଜ୍ ଅନୁଯାୟୀ ଅମ୍ରିତପାଲ ଜଳନ୍ଧର ନିକଟବର୍ତ୍ତୀ କୌଣସି ଏକ ସ୍ଥାନରେ କାର୍ରୁ ଓହ୍ଲାଇ ବାଇକ୍ରେ ବସି ଅନ୍ୟତ୍ର ପଳାଉଥିବା ଲକ୍ଷ୍ୟ କରାଯାଇଛି । ପୁଲିସର ଏହି ବିଫଳତାକୁ ନେଇ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ମଙ୍ଗଳବାର ପଞ୍ଜାବ ପୁଲିସ ଉପରେ ବର୍ଷିଛନ୍ତି ।
ତୁମ ପାଖରେ ୮୦ ହଜାର ପୁଲିସ କର୍ମୀ ଥିବାବେଳେ ଅମ୍ରିତପାଲ କିଭଳି ଚକ୍ମା ଦେଇ ଖସିଯାଉଛି ବୋଲି ହାଇକୋର୍ଟ ପ୍ରଶ୍ନ କରିଛନ୍ତି । ତାହାହେଲେ ତୁମେ କରୁଛ କ’ଣ? ଏହା ପଞ୍ଜାବ ସରକାରଙ୍କ ଗୁଇନ୍ଦା ସଂସ୍ଥାର ବିରାଟ ବିଫଳତା ବୋଲି ହାଇକୋର୍ଟ କ୍ଷୋଭପ୍ରକାଶ କରିଛନ୍ତି । ଗତ ଶନିବାରଠାରୁ ପୁଲିସ ଅମ୍ରିତପାଲର ପିଛା କରୁଥିଲେ ସୁଦ୍ଧା ତାକୁ ଗିରଫ କରିପାରୁନାହିଁ । ଅବଶ୍ୟ ଏହି କାର୍ଯ୍ୟାନୁଷ୍ଠାନରେ ଆକ୍ରମଣାତ୍ମକ ପଦକ୍ଷେପ ନେବାକୁ ପଞ୍ଜାବ ପୁଲିସ କୁଣ୍ଠାବୋଧ କରୁଛି । ଦୁଇଦିନ ପୂର୍ବେ ପୁଲିସ ଟିମ୍ ଅମ୍ରିତପାଲର ପାଖାପାଖି ପହଞ୍ଚିଥିଲା । ତେବେ ଶତାଧିକ ସମର୍ଥକ ଅମ୍ରିତପାଲକୁ ଘେରି ରହିଥିବାରୁ ଗୁଳି ଚଳାଇ କିମ୍ବା ଅନ୍ୟ ଉପାୟରେ ତାକୁ ଗିରଫ କରିବା ନିମନ୍ତେ ପୁଲିସ ସାହସ କରିନଥିଲା ।
ଅମ୍ରିତପାଲକୁ ସୁରକ୍ଷା ଯୋଗାଇବାକୁ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ସହାୟତା କରୁଛି ବୋଲି ପଞ୍ଜାବ ପୁଲିସ ଅନୁୁମାନ କରୁଛି । ଆଉ ଗୋଟିଏ ସୂତ୍ର ଦାବି କରିଛି ଯେ ଅମ୍ରିତପାଲ ନେପାଳ ସୀମା ଦେଇ ବିଦେଶ ପଳାୟନ କରିଛି । ଭିଡିଓ ଫୁଟେଜ ଅନୁଯାୟୀ ଶନିବାର ଗୋଟିଏ ଟୋଲପ୍ଲାଜା ନିକଟରେ ଅମ୍ରିତପାଲ ମାରୁତି ବ୍ରିଜା କାର୍ର ସମ୍ମୁଖ ସିଟ୍ରେ ବସିଥିବା ଦେଖାଯାଇଥିଲା । ଏହାପୂର୍ବରୁ ସେ ସାହାକୋଟ୍ ନିକଟରେ ଏକ ମର୍ସିଡିଜ୍ରେ ବସିଥିବା ଭିଡିଓ ଫୁଟେଜରୁ ଜଣାପଡିଛି । ସେ ବିଭିନ୍ନ ସମୟରେ କାର୍ ବଦଳାଉଥିବାବେଳେ ନିଜର ପୋଷାକ ମଧ୍ୟ ପରିବର୍ତ୍ତନ କରୁଥିବା ଦେଖାଯାଇଛି । ଦାଢି ଓ କେଶ କାଟିଥିବା ଅମ୍ରିତପାଲକୁ ଚିହ୍ନିବା କଷ୍ଟକର ହୋଇପଡୁଛି ବୋଲି ପୁଲିସ କହିଛି । ପୁଲିସ ଇତିମଧ୍ୟରେ ଅମ୍ରିତପାଲର ୧୨୦ ଜଣ ସମର୍ଥକଙ୍କୁ ଗିରଫ କରିସାରିଥିବାବେଳେ ଏକାଧିକ କାର୍ ଓ ବାଇକ୍ ଜବତ କରିସାରିଛି । ତେବେ ଅମ୍ରିତପାଲର ସନ୍ଧାନ ପୁଲିସକୁ ମିଳିପାରୁନାହିଁ । ଅମ୍ରିତପାଲର ନେତୃତ୍ୱରେ ପରିଚାଳିତ ‘ୱାରିସ ପଞ୍ଜାବ ଦେ’ ସଂଗଠନର ଏକାଧିକ ସଦସ୍ୟଙ୍କ ବିରୋଧରେ ଏନ୍ଏସ୍ଏ (ଜାତୀୟ ନିରାପତ୍ତା ଆଇନ) ଲାଗୁ କରାଯାଇଛି ।