ନୂଆଦିଲ୍ଲୀ: ହରିୟାଣା ଓ ଆସାମର କେତେକ ସ୍ଥାନରେ ବଡଦିନ ପାଳନକୁ ସ୍ଥାନୀୟ ହିନ୍ଦୁ ସପକ୍ଷବାଦୀ ସଂଗଠନ ପକ୍ଷରୁ ବିରୋଧ କରାଯାଇଥିବା ଜଣାପଡିଛି । ଶନିବାର ପ୍ରଭୁ ଯୀଶୁଙ୍କ ଜନ୍ମଦିନ ଉପଲକ୍ଷେ ପବିତ୍ର ବଡଦିନ ପାଳନ କରାଯାଇଥିବାବେଳେ ହରିୟାଣାର ଅମ୍ବାଲାଠାରେ କେତେକ ଦୁର୍ବୃତ୍ତ ଚର୍ଚ୍ଚରେ ପ୍ରବେଶ କରି ଯୀଶୁଙ୍କ ପ୍ରତିମୂର୍ତ୍ତିକୁ ଭଙ୍ଗାରୁଜା କରିଛନ୍ତି । ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସ ଉକ୍ତ ଚର୍ଚ୍ଚର ସିସିଟିଭି ଫୁଟେଜ ଯାଞ୍ଚ କରୁଛି । ଗୁରୁବାର ହରିୟାଣାର ଗୁରୁଗ୍ରାମସ୍ଥିତ ଏକ ସ୍କୁଲରେ କ୍ରିସ୍ମାସ୍ କାର୍ଣ୍ଣିଭାଲ ପାଳନ କରାଯାଉଥିବାବେଳେ ବଜରଙ୍ଗ ଦଳ ସଦସ୍ୟମାନେ ସେଠାରେ ପହଞ୍ଚି ‘ଜୟ ଶ୍ରୀରାମ’ ଧ୍ୱନି ଦେବାସହତି ପିଲାଙ୍କୁ କାର୍ଣ୍ଣିଭାଲରେ ନମିଶିବାକୁ ଚେତାବନୀ ଦେଇଥିଲେ । ଅପରପକ୍ଷରେ ଆସାମର ସିଲ୍ଚର ସହରରେ ବଜରଙ୍ଗ ଦଳର କେତେକ ସଦସ୍ୟ ଶନିବାର ଏକ ଚର୍ଚ୍ଚରେ ପ୍ରବେଶ କରି ବଡଦିନ ପାଳନ ଉତ୍ସବ ବାତିଲ କରିବାକୁ ଧମକ ଦେଇଥିବା ଜଣାପଡିଛି । ତେବେ ଏ ଘଟଣାକୁ ନେଇ କୌଣସି ଏତଲା ଦିଆଯାଇନଥିବାରୁ ପୁଲିସ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନାହିଁ । ଖ୍ରୀଷ୍ଟିଆନ୍ ସଂପ୍ରଦାୟ ବଡଦିନ ପାଳନ କରିବାରେ କୌଣସି ଅସୁବିଧା ନଥିବାବେଳେ ହିନ୍ଦୁ ଲୋକେ ଏଥିରେ ସାମିଲ ନହେବାକୁ ବଜରଙ୍ଗ ଦଳର ସଦସ୍ୟମାନେ ତାଗିଦା କରିଛନ୍ତି । କର୍ଣ୍ଣାଟକରେ ମଧ୍ୟ ଅନୁରୂପ ଘଟଣା ଦେଖିବାକୁ ମିଳିଛି ।