ନୂଆଦିଲ୍ଲୀ: ବିରୋଧୀ ଦଳର ୧୨ ଜଣ ସାଂସଦଙ୍କ କାର୍ଯ୍ୟକୁ ତଦନ୍ତ କରାଯାଉ ବୋଲି ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନ୍କର ସୋମବାର ସଂସଦର ସ୍ୱାଧିକାର କମିଟିକୁ ପ୍ରସ୍ତାବ ଦେଇଛନ୍ତି । ଏହି ୧୨ ଜଣଙ୍କ ମଧ୍ୟରେ କଂଗ୍ରେସର ୯ ଓ ଆପ୍ର ୩ ଜଣ ସାଂସଦ ରହିଛନ୍ତି । ସଂସଦର ବଜେଟ୍ ଅଧିବେଶନ ଚାଲିଥିବାବେଳେ ଏହି ସାଂସଦମାନେ ଗୃହର କେନ୍ଦ୍ରକୁ ଆସି ପ୍ରବଳ ହଟ୍ଟଗୋଳ କରିବା ସହ ସରକାର ବିରୋଧୀ ସ୍ଲୋଗାନ ଦେଇଥିଲେ ଯାହା ଫଳରେ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ଅଭିଯୋଗ ହୋଇଛି ।
ତେଣୁ ସେମାନଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ ଜାରି କରାଯିବାର ସମ୍ଭାବନା ଉପୁଜିଛି । କଂଗ୍ରେସର ୯ ସାଂସଦ ହେଲେ ଶକ୍ତିସିଂହ ଗୋହିଲ, ନାରନଭାଇ ରାଠ୍ୱା, ସୟଦ ନାସିର ହୁସେନ, କୁମାର କେଟକାର, ଇମ୍ରାନ ପ୍ରତାପଗଡି, ଏଲ,ହନୁମନ୍ତିଆ, ଫୁଲୋ ଦେବୀ ନେତମ୍, ଜେବି ମାଥେର ହିଶାମ୍ ଓ ରଞ୍ଜିତ ରଞ୍ଜନ । ଆପ୍ର ୩ ସାଂସଦ ହେଲେ ସଞ୍ଜୟ ସିଂହ, ସୁଶୀଲ କୁମାର ଗୁପ୍ତା ଓ ସନ୍ଦୀପ ପାଠକ ।