28.1 C
Bhubaneswar
Saturday, September 28, 2024
Homeଓଡିଶାଜେଲ୍‌ରୁ କଏଦୀ ଫେରାର

ଜେଲ୍‌ରୁ କଏଦୀ ଫେରାର

ବାଲେଶ୍ୱର: ସୋର ଉପକାରାଗାରରୁ ଜଣେ ବିଚାରଧୀନ କଏଦୀ ଫେରାର ହେବା ଘଟଣାକୁ ୧ ମାସ ବିତିବାକୁ ବସିଲାଣି । ଫେରାର ଥିବା କଏଦୀର କିଛି ଖୋଜ ଖବର ମିଳୁନଥିବା ବେଳେ ଜେଲ୍ କର୍ତ୍ତୃପକ୍ଷ କିମ୍ବା ସୋର ପୁଲିସ ତରଫରୁ କୌଣସି ତତ୍ପରତା ଦେଖାଯାଇନାହିଁ । ସନ୍ଧ୍ୟା ସମୟରେ ସର୍ବସମ୍ମୁଖରେ ଏତେ ବଡ଼ ପାଚେରୀ ଡେଇଁ ଜଣେ ବିଚାରଧୀନ କଏଦୀ ଫେରାର ହୋଇଯିବା ଘଟଣା ସହଜରେ ହଜମ କରିହେଉନି । ଫେରାର ହେବାର ଏତେଦିନ ବିତିଗଲା ପରେ ମଧ୍ୟ ନିଦରେ ଶୋଇଛନ୍ତି ଜେଲ୍ କର୍ତ୍ତୃପକ୍ଷ ଓ ସୋର ପୁଲିସ ।

ଗତ ଫେବୃଆରୀ ୬ ତାରିଖରେ ବାଲେଶ୍ୱର ଜିଲ୍ଲା ସୋର ମୁଲିସିଂ ଗ୍ରାମରେ ଥିବା ସୋର ଉପ କାରାଗାରରେ ଚୋରି ମାମଲାରେ ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ବିଦେଇପୁର ଗ୍ରାମର ସତ୍ୟଜିତ ମଳିକ (୨୦) ବିଚାରଧିନ କଏଦୀ ଭାବେ ଥିଲେ । ସେ ଗତ ଜାନୁଆରୀ ମାସ ୧୮ ତାରିଖରେ ଭଦ୍ରକ କାରଗାରରୁ ଆସିଥିବା ବେଳେ ଫେବୃଆରୀ ୬ ତାରିଖ ସନ୍ଧ୍ୟାରେ ଅନ୍ୟ କଏଦୀମାନେ ଖାଦ୍ୟ ନେଉଥିବା ସମୟରେ ସେ କୌଶଳକ୍ରମେ ପାଚେରୀ ଡେଇଁ ଫେରାର ହୋଇଯାଇଥିଲେ । ପରେ ଜେଲ୍ କର୍ମଚାରୀମାନେ ଉପସ୍ଥାପନା ସମୟରେ ଜାଣିବାକୁ ପାଇ ଜେଲର ବୈଲୋଚନ ଦାଶଙ୍କୁ ଅବଗତ କରାଇଥିଲେ ।

ବହୁ ସମୟ ଖୋଜାଖୋଜି କରିବା ପରେ ଜେଲ୍‌ର ଶ୍ରୀ ଦାଶ ସୋର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ହେବାର ଏକ ମାସ ବିତିଯାଇଥିଲେ ସୁଦ୍ଧା ଉକ୍ତ କଏଦୀର କୌଣସି ସନ୍ଧାନ ମିଳିନାହିଁ । ଏ ବାବଦରେ ଜେଲର ଶ୍ରୀ ଦାସ ଓ ସୋର ପୁଲିସର ମତାମତ ନେବାରୁ ଫେରାରଥିବା କଏଦୀକୁ ଖୋଜା ଚାଲିଥିବା କହିଥିଲେ । ୨୦ ଫୁଟ ଉଚ୍ଚର ପାଚେରୀ ଡେଇଁ ଅନ୍ୟ କଏଦୀ ଓ କର୍ମଚାରୀଙ୍କ ଉପସ୍ଥିତିରେ କେଉଁ ଭଳି ଭାବେ ଜଣେ କଏଦୀ ଫେରାର ହୋଇଗଲା ତାହା ତଦନ୍ତ ସାପେକ୍ଷ । ସମାନ ଏକ ଘଟଣା ଗତ ୨୦୨୨ ମସିହା ସେପ୍ଟେମ୍ବର ମାସ ୧ ତାରିଖରେ ଘଟିଥିଲା ।

ଜଣେ ଦୁଷ୍କର୍ମ ଅଭିଯୁକ୍ତ କଏଦୀ କପ୍ତିପଦା ଅଞ୍ଚଳର ଘନ ସିଂ ପାଚେରି ଡେଇଁ ଫେରାର ହୋଇଯାଇଥିଲା । ସେତେବେଳର ଜେଲର ପ୍ରିୟମ୍ବଦା ପଣ୍ଡା ସୋର ପୁଲିସ ସହାୟତାରେ ତାତ୍ପରତାର ସହ ୬ ଦିନ ଅର୍ଥାତ ସେପ୍େଟମ୍ବର ୭ ତାରିଖରେ ଏକ ଜଙ୍ଗଲ ଭିତରୁ ଫେରାର କଏଦୀକୁ ଗିରଫ କରିବାରେ ସକ୍ଷମ ହୋଇଥିଲେ । ମାତ୍ର ଏହି ଘଟଣାକୁ ଏକ ମାସ ବିତିବାକୁ ବସିଥିବା ବେଳେ କଏଦୀର କିଛି ସୁରାକ ନମିଳିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କାରାଗାର ଭିତରେ ଯେ କେତେ ସୁରକ୍ଷା ତାହା ଏଥିରୁ ସ୍ପଷ୍ଟ ବାରି ହେଉଛି । ଜେଲ କତ୍ତୃପକ୍ଷଙ୍କ ଏଭଳି ଅବହେଳା ପାଇଁ ବହୁବାର ଏହି କାରାଗାର ବିବାଦ ଭିତରକୁ ଟାଣି ହୋଇଯାଇଛି ।

୬ ମାସ ଭିତରେ ଦୁଇଦୁଇ ଥର ପାଚେରୀ ଡେଇଁ କଏଦୀ ଫେରାର ହେବା ,ଜେଲରେ କଏଦୀଙ୍କୁ ମାଡ଼ ମାରିବା ଘଟଣା,ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ, ଜଣେ କଏଦୀ ପାଇଖାନାରେ ଆତ୍ମହତ୍ୟା ଘଟଣା,ଜେଲ ଭିତରେ ମୋବାଇଲ ଜବଦ ଓ ନିଶା କାରବାର ଘଟଣାକୁ ନେଇ କର୍ମଚାରୀ ଓ ଜେଲରଙ୍କ କାର୍ଯ୍ୟକଳାପ ଉପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଉଚ୍ଚ କତ୍ତୃପକ୍ଷ ଏହି ଘଟଣାକୁ ଦୃଷ୍ଟି ଆକର୍ଷଣ କରି କରାଗାରର ଅବ୍ୟବସ୍ଥା ଉପରେ ତଦନ୍ତର ଆବଶ୍ୟକତା ରହିଛି ବୋଲି ବିଭିନ୍ନ ମହଲରୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking