ଡେରାଡୁନ: ଉତ୍ତରାଖଣ୍ଡ ଗସ୍ତରେ ଯାଇଥିବାବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ଚାମୋଲି ଜିଲ୍ଲାରେ ଅବସ୍ଥିତ ପ୍ରସିଦ୍ଧ ବଦ୍ରିନାଥ ମନ୍ଦିର ପରିଦର୍ଶନ କରିବା ସହ ସେଠାରେ ପୂଜାର୍ଚ୍ଚନା କରିଛନ୍ତି । ବଦ୍ରିନାଥ ହେଲିପ୍ୟାଡ୍ରେ ଅବତରଣ କରିବାପରେ ରାଜ୍ୟପାଳ ଗୁରମିତ ସିଂହ, ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଏବଂ ବଦ୍ରିନାଥ-କେଦାରନାଥ ଟେମ୍ପୁଲ କମିଟି ଅଧ୍ୟକ୍ଷ ଅଜେନ୍ଦ୍ର ଅଜୟ ତାଙ୍କୁ ସ୍ୱାଗତ ଜଣାଇଥିଲେ ।
ସକାଳ ୧୧ଟା ସମୟରେ ରାଷ୍ଟ୍ରପତି ମନ୍ଦିରରେ ପ୍ରବେଶ କରିବା ସହ ବଦ୍ରି ବିଶାଳ (ପ୍ରଭୁ ବିଷ୍ଣୁ)ଙ୍କ ପ୍ରତିମା ଦର୍ଶନ କରିଥିଲେ । ମୁଖ୍ୟ ପୁରୋହିତ ଈଶ୍ୱରୀ ପ୍ରସାଦ ନମ୍ବୁଦ୍ରି ମନ୍ତ୍ରପାଠ କରିଥିବାବେଳେ ରାଷ୍ଟ୍ରପତି ପ୍ରାୟ ୨୫ ମିନିଟ ଧରି ପୂଜାର୍ଚ୍ଚନା କରିଥିଲେ । ମନ୍ଦିର ଟ୍ରଷ୍ଟ ପକ୍ଷରୁ ରାଷ୍ଟ୍ରପତିଙ୍କୁ ପ୍ରସାଦ ଓ ଏକ ଶାଲ୍ ପ୍ରଦାନ କରାଯାଇଥିବାବେଳେ ମୁଖ୍ୟମନ୍ତ୍ରୀ ଧାମି ତାଙ୍କୁ ମନ୍ଦିରର ଏକ ପ୍ରତିକୃତି ଉପହାର ଦେଇଥିଲେ ।