ନୂଆଦିଲ୍ଲୀ : ସୋମବାର ଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହି ଅଧିବେଶନ କାଳରେ ସଂସଦରେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ଦେଶର ୧୫ତମ ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ସୋମବାର ଭୋଟ ଗ୍ରହଣ ହେବ। ଏହି ନିର୍ବାଚନରେ ଦେଶର ପ୍ରାୟ ୪୮୦୦ ନିର୍ବାଚିତ ସାଂସଦ ଓ ବିଧାୟକ ଭୋଟ୍ ଦେବେ। ଏଥିପାଇଁ ସଂସଦ ଭବନ, ପ୍ରତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ବିଧାନସଭାରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରତି ବିଧାନସଭାକୁ ଆବଶ୍ୟକ ବାଲାଟ ପେପର ଓ ଭୋଟ ବାକ୍ସ ପଠାଯାଇଛି। ନିର୍ବାଚନ ଆୟୋଗଙ୍କ ନିର୍ଦେଶ ଅନୁଯାୟୀ ସାଂସଦମାନେ ସବୁଜ ରଙ୍ଗର ବାଲାଟ ପେପର ଓ ବିଧାୟକମାନେ ପିଙ୍କ ରଙ୍ଗର ବାଲାଟ ପେପରରେ ଭୋଟ ଦେବେ। ଚଳିତ ନିର୍ବାଚନରେ ପ୍ରତି ସାଂସଦଙ୍କ ଭୋଟ ମୂଲ୍ୟ ୭୦୦ ରହିଥିବାବେଳେ ବିଧାୟକଙ୍କ ଭୋଟ ମୂଲ୍ୟ ରାଜ୍ୟ ଜନସଂଖ୍ୟା ଆଧାରରେ ଭିନ୍ନ ଭିନ୍ନ ରହିଛି। ଏହି ନିର୍ବାଚନରେ ବିଜେପି ନେତୃତ୍ବ ଏନଡିଏ ମେଣ୍ଟ ପକ୍ଷରୁ ଦ୍ରୌପଦୀ ମୁର୍ମୁ ଓ ବିରୋଧୀ ଦଳଗୁଡିକ ପକ୍ଷରୁ ଯଶୋବନ୍ତ ସିହ୍ନା ପ୍ରାର୍ଥୀ ହୋଇଛନ୍ତି। ଜୁଲାଇ ୨୧ରେ ରାଷ୍ଟ୍ରପତି ନିର୍ବାଚନ ଭୋଟ ଗଣତି ହେବ। ଜୁଲାଇ ୨୫ରେ ନୂଆ ରାଷ୍ଟ୍ରପତି ଶପଥ ଗ୍ରହଣ କରିବେ।
ସେହିପରି ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମାର୍ଗାରେଟ୍ ଆଲଭାଙ୍କୁ ମିଳିତ ବିରୋଧୀ ଦଳଗୁଡିକ ପକ୍ଷରୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଛି। ମାର୍ଗାରେଟଙ୍କ ପ୍ରାର୍ଥିତ୍ବ ସମ୍ପର୍କରେ ରବିବାର ଏନସିପି ମୁଖ୍ୟ ଶରଦ ପୱାର ଘୋଷଣା କରିଛନ୍ତି।
ମିଳିତ ବିରୋଧୀ ଦଳଗୁଡିକ ପକ୍ଷରୁ ବୈଠକ ପରେ ପୱାର କହିଛନ୍ତି ଯେ ୧୭ଟି ବିରୋଧୀ ଦଳ ସର୍ବସମ୍ମତି କ୍ରମେ ମାର୍ଗାରେଟ୍ଙ୍କୁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମଙ୍ଗଳବାର ସେ ପ୍ରାର୍ଥିପତ୍ର ଦାଖଲ କରିବେ। ମାର୍ଗାରେଟଙ୍କୁ ସମର୍ଥନ ପାଇଁ ମମତା ବାନାର୍ଜୀ ଓ ଅରବିନ୍ଦ କେଜରିୱାଲଙ୍କୁ ଯୋଗାଯୋଗ କରାଯାଇଛି। ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ଯେ ଉପରାଷ୍ଟ୍ରପତି ନିର୍ବାଚନରେ ଅାମେ ସମସ୍ତେ ଏକଜୁଟ୍ ଅଛୁ। ବିରୋଧୀ ଦଳଗୁଡିକ ପକ୍ଷରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ପରେ ମାର୍ଗାରେଟ ସମସ୍ତ ବିରୋଧୀ ଦଳ ନେତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହା ସହିତ ଉପରାଷ୍ଟ୍ରପତି ଉପନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା ପାଇଁ ନିଜର ପ୍ରାର୍ଥିତ୍ବକୁ ଗ୍ରହଣ କରିଛନ୍ତି। ୧୯୪୨ ଏପ୍ରିଲ ୧୪ରେ ଜନ୍ମ ଗ୍ରହଣ କରିଥିବା ମାର୍ଗାରେଟ ଗୋଆ, ଗୁଜରାଟ, ରାଜସ୍ଥାନ ଓ ଉତ୍ତରାଖଣ୍ଡର ରାଜ୍ୟପାଳ ଭାବେ କାର୍ଯ୍ୟ କରିଥିଲେ। ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ ଓ ପିଭି ନରସିଂହ ରାଓଙ୍କ ନେତୃତ୍ବ କେନ୍ଦ୍ର ସରକାରରେ ସେ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ଆଜିର ବିରୋଧୀ ଦଳ ବୈଠକରେ ଶିବସେନାର ସଞ୍ଜୟ ରାଉତ, ଏନସିପିର ସୁପ୍ରିୟା ସୁଲେ, ସମାଜବାଦୀ ପାର୍ଟିର ରାମ ଗୋପାଳ ଯାଦବ, ସିପିଆଇଏମ୍ର ସୀତାରାମ ୟେଚୁରୀ, ଆରଜେଡିର ଏଡି ସିଂହ, କଂଗ୍ରେସର ମଲ୍ଲିକାର୍ଜୁନ ଖଡଗେ ଓ ଜୟରାମ ରମେଶ ପ୍ରମୁଖ ଉପସ୍ଥିତ ରହିଥିଲେ। ତୃଣମୂଳ କଂଗ୍ରେସ ଏହି ବୈଠକରେ ଯୋଗ ଦେଇ ନଥିଲା। ଶନିବାର ଏନଡିଏ ପକ୍ଷରୁ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ଼ଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରାଯାଇଥିଲା। ଜୁଲାଇ ୧୯ ଉପ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ହୋଇଥିବାବେଳେ ଅଗଷ୍ଟ ୬ରେ ଭୋଟ ଗ୍ରହଣ ହେବ।