28.1 C
Bhubaneswar
Saturday, November 16, 2024
Homeଦେଶ ବିଦେଶରାଷ୍ଟ୍ରପତି ନିର୍ବାଚନରେ ଫ୍ରାଡ୍ ମାମଲା; ସରେଣ୍ଡର ପରେ ୨୦ ମିନିଟ୍ ଜେଲ୍‌ରେ ରହିଲେ ଟ୍ରମ୍ପ୍‌

ରାଷ୍ଟ୍ରପତି ନିର୍ବାଚନରେ ଫ୍ରାଡ୍ ମାମଲା; ସରେଣ୍ଡର ପରେ ୨୦ ମିନିଟ୍ ଜେଲ୍‌ରେ ରହିଲେ ଟ୍ରମ୍ପ୍‌

ଆଟ୍‌ଲାଣ୍ଟା : ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଫ୍ରଡ୍ ମାମଲାରେ ଡୋନାଲ୍ଡ ଟ୍ରମ୍ପ୍ ଶୁକ୍ରବାର ସକାଳେ ଜର୍ଜିଆର ଫୁଲ୍‌ଟନ୍ କାଉଣ୍ଟି ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଏହାପରେ ପୁଲିସ ତାଙ୍କୁ ଗିରଫ କରି ଫୁଲ୍‌ଟନ୍ କାଉଣ୍ଟି ଜେଲ୍ ନେଇଥିଲା । ସେଠାରେ ପୁଲିସ ରେକର୍ଡରେ ତାଙ୍କୁ କଏଦୀ ନଂ. ପିଓ୧୧୩୫୮୦୯ ଭାବେ ପଞ୍ଜୀକୃତ କରାଯାଇଥିଲା । ସେହିପରି ଅଭିଯୁକ୍ତ ଭାବେ ଟ୍ରମ୍ପ୍‌ଙ୍କର ଫଟୋ ଉଠାଯାଇଥିଲା (ମଗ୍‌ଶଟ୍‌) ।

୨୦ ମିନିଟ୍ ପରେ ସେ ଜେଲ୍‌ରୁ ବାହାରିଥିଲେ । ଏହା ସହିତ କଏଦୀ ଭାବେ ମଗ୍‌ଶଟ୍ ନିଆଯିବାରେ ଟ୍ରମ୍ପ୍ ଆମେରିକାର ପ୍ରଥମ ପୂର୍ବତନ ରାଷ୍ଟ୍ରପତି ହୋଇଛନ୍ତି । ସିଏନ୍‌ଏନ୍ ରିପୋର୍ଟ ଅନୁସାରେ ଟ୍ରମ୍ପ୍ ଜାମିନ୍‌ରେ ଜେଲ୍‌ରୁ ବାହାରିବା ପୂର୍ବରୁ ସର୍ତ୍ତ ସହିତ ୨ ଲକ୍ଷ ଡଲାର୍‌ର ବଣ୍ଡ୍ ପ୍ରଦାନ କରିଥିଲେ । ଜେଲ୍‌ରୁ ବାହାରକୁ ଆସିବା ପରେ ଟ୍ରମ୍ପ୍ ସାମ୍ବାଦିକଙ୍କ ସହିତ କଥାବାର୍ତ୍ତା କରିଥିଲେ । ସେ କହିଛନ୍ତି, ମୁଁ କିଛି ବି ଭୁଲ କରିନାହିଁ । ଟ୍ରମ୍ପ୍‌ଙ୍କ ବିରୋଧରେ ଜର୍ଜିଆରେ ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ବଦଳାଇବା ନିମନ୍ତେ ଫ୍ରଡ୍ କରିବା, ଧମକ ଦେବା ଏବଂ ଜାଲିଆତି କରିବା ଅଭିଯୋଗ ହୋଇଛି । ତାଙ୍କ ବ୍ୟତୀତ ଏହି ମାମଲାରେ ଅନ୍ୟ ୧୮ ଜଣଙ୍କୁ ମଧ୍ୟ ଅଭିଯୁକ୍ତ କରାଯାଇଛି ।

ନ୍ୟୁୟର୍କ ଟାଇମ୍ସ ଅନୁସାରେ, ଟ୍ରମ୍ପ୍‌ଙ୍କୁ ଏକ ରୁମ୍‌କୁ ନିଆଯାଇ ତାଙ୍କ ଫିଙ୍ଗର୍ ପ୍ରିଣ୍ଟ୍‌ସ (ଅଙ୍ଗୁଳି ଛାପ) ମଧ୍ୟ ନିଆଯାଇଛି । ଏହି ଡକ୍ୟୁମେଣ୍ଟ୍ କୋର୍ଟ ଏବଂ ପୁଲିସ ରେକର୍ଡରେ ସ୍ଥାନ ପାଇବ । ଟ୍ରମ୍ପ୍‌ଙ୍କ ଚିଫ୍ ଅଫ୍ ଷ୍ଟାଫ୍ ମାର୍କ ମିଡୋଜ୍ ମଧ୍ୟ ସରେଣ୍ଡର୍ କରିଛନ୍ତି । ଆଟ୍‌ଲାଣ୍ଟା କୋର୍ଟ ଅଗଷ୍ଟ ୧୫ ତାରିଖରେ ଚାର୍ଜଶିଟ୍ ଦାଖଲ କରିଥିଲା । ଚାର୍ଜଶିଟ୍‌ରେ ସାମିଲ ୪୧ ମଧ୍ୟରୁ ୧୩ ଚାର୍ଜରେ ଟ୍ରମ୍ପ୍‌ଙ୍କ ନାମ ରହିଛି । ଟ୍ରମ୍ପ୍‌ଙ୍କୁ ଅଗଷ୍ଟ ୨୫ ସୁଦ୍ଧା ସରେଣ୍ଡର କରିବାକୁ କୋର୍ଟ ସମୟ ଦେଇଥିଲେ । ପୂର୍ବତନ ଆମେରିକା ରାଷ୍ଟ୍ରପତିଙ୍କ ନାମରେ ପାଞ୍ଚ ମାସରେ ୪ କ୍ରିମିନାଲ୍ କେସ୍ ରୁଜୁ ହୋଇଛି । ତାଙ୍କ ସହିତ ନ୍ୟୁୟର୍କର ପୂର୍ବତନ ମେୟର୍ ରୁଡାଲ୍‌ଫ ଗିଉଲିଆନୀଙ୍କ ନାମରେ ମଧ୍ୟ କେସ୍ ରୁଜୁ କରାଯାଇଛି । ନ୍ୟୁୟର୍କ ଟାଇମ୍ସ ଅନୁସାରେ, ଟ୍ରମ୍ପ୍ ଏବଂ ତାଙ୍କ ସହଯୋଗୀମାନେ ଜାଣୁଶୁଣି ନିର୍ବାଚନ ଫଳାଫଳ ନିଜ ସପକ୍ଷରେ କରାଇବାକୁ ଉଦ୍ୟମ ଚଳାଇଥିଲେ ବୋଲି ଚାର୍ଜଶିଟ୍‌ରେ କୁହାଯାଇଛି ।

ବିବିସି ରିପୋର୍ଟ ଅନୁସାରେ ସମସ୍ତ ଅଭିଯୁକ୍ତଙ୍କୁ ଏକ ଅପରାଧିକ ସଂଗଠନ କୁହାଯାଇଛି । ସେମାନଙ୍କ ବିରୋଧରେ ମିଥ୍ୟା ବୟାନ ଦେବା, ଜାଲିଆତି, ସାକ୍ଷୀଙ୍କ ପ୍ରଭାବିତ କରିବା, ରାଜ୍ୟକୁ ଧୋକାଦେବା ପାଇଁ ଷଡ଼ଯନ୍ତ୍ର କରିବା, ଚୋରି ଏବଂ ମିଥ୍ୟା ସାକ୍ଷ୍ୟର ଚାର୍ଜ ଲଗାଯାଇଛି । ଏହା ମଧ୍ୟରୁ ରାକେଟିୟର୍ ଓ କରପ୍‌ସନ୍ ଅର୍ଗାନାଇଜେସନ୍ ଆକ୍ଟର ଉଲ୍ଲଂଘନ ସବୁଠୁ ଗମ୍ଭୀର ଚାର୍ଜ । ଏଥିରେ ଟ୍ରମ୍ପ୍‌ଙ୍କୁ ୨୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡାଦେଶ ମଧ୍ୟ ହୋଇପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking