କଟକ : ପ୍ରଖ୍ୟାତ କଥାକାର କିଶୋରୀଚରଣ ଦାସଙ୍କ ଜନ୍ମ ଶତବାର୍ଷିକ ସମାରୋହ ଅବସରରେ କିଶୋରୀଚରଣ ସ୍ମୃତି ସଂସଦ ପକ୍ଷରୁ କଟକ ଶତାବ୍ଦୀ ଭବନରେ ଆୟୋଜିତ ସମାରୋହରେ ଗଳ୍ପ ସଂକଳନ ‘ଖଂଗାର’ ପାଇଁ କଳାହାଣ୍ଡିର ଯୁବ କଥାଶିଳ୍ପୀ ସୁଧୀର କୁମାର ଧଙ୍ଗଡ଼ାମାଝୀଙ୍କୁ ମର୍ଯ୍ୟାଦାଜନକ ‘କିଶୋରୀଚରଣ ପୁରସ୍କାର’ ପ୍ରଦାନ କରାଯାଇଛି। ସ୍ମୃତି ସଂସଦର ସଭାପତି ନ୍ୟାୟମୂର୍ତ୍ତି ବିମଳ ପ୍ରସାଦ ଦାସ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଉଦ୍ଘାଟକ ଭାବେ ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତି ଗୋପାଳ ବଲ୍ଲଭ ପଟ୍ଟନାୟକ, ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କଥାକାର ଡକ୍ଟର ବିଭୂତି ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ କବି ହରପ୍ରସାଦ ଦାସ ଯୋଗ ଦେଇ ଶ୍ରୀ ଧଙ୍ଗଡ଼ାମାଝୀଙ୍କୁ ପୁରସ୍କୃତ କରିଥିଲେ। ତାଙ୍କ ସହ ଏହି ଅବସରରେ ବିଶିଷ୍ଟ କଥାକାର ଦେବବ୍ରତ ମଦନରାୟ, ଯୁବ କଥାକାର ଯୋଗେଶ୍ବର ପଣ୍ଡା ଓ ସ୍ନେହଲତା ଦାସ ଲେଙ୍କା ମଧ୍ୟ ପୁରସ୍କୃତ ହୋଇଥିଲେ। ଏହା ସହ ସ୍ମୃତି ସଂସଦ ଦ୍ବାରା ତଥା ‘ବିଦ୍ୟାପୁରୀ’ ପକ୍ଷରୁ ପ୍ରକାଶିତ ‘ଶତାବ୍ଦୀର କଥାଶିଳ୍ପୀ କିଶୋରୀଚରଣ’ ପୁସ୍ତକ ଅତିଥିମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା।