ଭୁବନେଶ୍ୱର : ଗର୍ଭଧାରଣ ସମୟରେ ମହିଳାଙ୍କ ଶରୀରରେ ଅନେକ ପରିବର୍ତ୍ତନ ଆସିଥାଏ । ଯାହାର ସିଧା ପ୍ରଭାବ ତାଙ୍କ ଖାଦ୍ୟପେୟରୁ ଆରମ୍ଭ କରି ମୁଡ୍ ଉପରେ ପଡ଼ିଥାଏ । ସାଧାରଣତଃ ଦେଖାଯାଏ କି, ଏହି ସମୟରେ ମହିଳାମାନେ କିଛି ଖଟା, ଚଟପଟା କିମ୍ବା ଆଚାର ଖାଇବାକୁ ଖୁବ୍ ପସନ୍ଦ କରିଥା’ନ୍ତି ।
ତେବେ ଗର୍ଭବତୀମାନଙ୍କୁ ଆଚାର ଖାଇବା ଦରକାର କି ନାହିଁ, ଆସନ୍ତୁ ଜାଣିବା….
ଆଚାର ଖାଇବା ସମୟରେ ଗର୍ଭବତୀ ମହିଳାଙ୍କୁ ଧ୍ୟାନ ଦେବାକୁ ପଡ଼ିବ କି, ଯେପରି ଏହାର ମାତ୍ରା ଅଧିକ ହୋଇ ନଯାଏ । କଞ୍ଚା ଆମ୍ବ, ଅଁଳା ଓ ଗାଜରରେ ପ୍ରସ୍ତୁତ ଆଚାରରେ ଭିଟାମିନ୍, କ୍ୟାଲସିୟମ୍, ଆଇରନ୍, ପୋଟାସିୟମ୍ ଏବଂ କେତେକ ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ରହିଛି । ଏହି ସବୁ ପ୍ରୋଟିନ୍ ମହିଳାଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ । ଆଚାରରେ କିଛି ବ୍ୟାକ୍ଟେରିଆ ଥାଆନ୍ତି, ଯାହାକି ଗର୍ଭବତୀଙ୍କ ଖାଦ୍ୟନଳୀ ନିମ୍ନଭାଗରେ ପହଞ୍ଚି ଗୁଡ୍ ବ୍ୟାକ୍ଟେରିଆଙ୍କ ବୃଦ୍ଧିରେ ସହାୟକ ହୋଇଥାଆନ୍ତି । ଏହାଦ୍ୱାରା ମହିଳାଙ୍କୁ ପାଚନ କ୍ରିୟା ସହ ଜଡ଼ିତ ସମସ୍ୟାରୁ ମୁକ୍ତି ମିଳିଥାଏ । ଗର୍ଭରେ ବଢ଼ୁଥିବା ଶିଶୁର ଉତ୍ତମ ବିକାଶ ସହିତ ଗର୍ଭବତୀଙ୍କ ସ୍ୱାସ୍ଥ୍ୟ ପାଇଁ ଶରୀରରେ ପୋଟାସିୟମ୍, ସୋଡିୟମ୍ ଏବଂ ଖଣିଜ ତତ୍ତ୍ୱର ବାଲାନ୍ସ ରହିବା ନିହାତି ଜରୁରୀ । ତେବେ ଆଚାର ଖାଇବା ଦ୍ୱାରା ଶରୀରରେ ଏ ସବୁ ବାଲାନ୍ସ ରହିବାରେ ସାହାଯ୍ୟ ମିଳିଥାଏ । ଆଚାରରେ ସୋଡିୟମର ମାତ୍ରା ଅଧିକ ରହିଥିବାରୁ ଗର୍ଭବତୀଙ୍କୁ ବ୍ଲଡ ପ୍ରେସର ବା ଉଚ୍ଚ ରକ୍ତଚାପ ସମସ୍ୟା ଦେଖା ଦେଇପାରେ । ଏହା ମା’ ସହିତ ଗର୍ଭରେ ବଢ଼ୁଥିବା ସନ୍ତାନ ପାଇଁ କ୍ଷତି ପହଞ୍ଚାଇ ପାରେ । ଆଚାର ଅଧିକ ଖାଆନ୍ତୁ ନାହିଁ । ଏହା ଅଧିକ ଖାଇବା ଦ୍ୱାରା ଏସିଡିଟି, ଛାତି ଜଳାପୋଡ଼ା ହେବାର ସମ୍ଭାବନା ଥାଏ । ଶରୀରରେ ପାଣିର ମାତ୍ରା କମ୍ ହେବା କାରଣରୁ ଗୋଡ଼, ହାତ ଫୁଲିଯିବାର ସମସ୍ୟା ଦେଖା ଦେଇଥାଏ । ଆଚାର ଅଧିକ ଖାଇବା ଦ୍ୱାରା ଶରୀରରେ ସୋଡିୟମ୍ ମାତ୍ରା ଅଧିକ ହେବାରେ ଲାଗିଥାଏ । ଯାହାଫଳରେ ଗର୍ଭବତୀଙ୍କୁ ଏଭଳି ସମସ୍ୟା ଅନୁଭବ ହୋଇଥାଏ । ଡିହାଇଡ୍ରେଶନରୁ ମୁକ୍ତି ପାଇଁ ଗର୍ଭବତୀ ମହିଳା ଆଚାର ସହିତ ପାଣି ମଧ୍ୟ ଭରପୂର ମାତ୍ରାରେ ପିଇବା ଦରକାର । ବଜାରରେ ମିଳୁଥିବା ଆଚାର ପରିବର୍ତ୍ତେ ଘର ତିଆରି ଆଚାର ଖାଇବା ଉଚିତ । ଯେଉଁ ଗର୍ଭବତୀଙ୍କୁ ଗ୍ୟାସ୍ ସମସ୍ୟା ଅଧିକ ରହିଥାଏ, ତାଙ୍କୁ ଆଚାର ସେବନ ଠାରୁ ଦୂରେଇ ରହିବା ଉଚିତ । ଆଚାର ଖାଇବା ଦ୍ୱାରା ଯଦି ଆପଣଙ୍କୁ କିଛି ଏଲର୍ଜି, ଗଳା ସମସ୍ୟା ଦେଖା ଦେଇଥାଏ, ତା’ହେଲେ କଦାପି ଏହା ଖାଆନ୍ତୁ ନାହିଁ ।