ମୟୂରଭଞ୍ଜ : ପୂର୍ବର ଅସାବଧାନତାକୁ ସୁଧାରିବା ପାଇଁ ବାନବିଭାଗ ପକ୍ଷରୁ ଆରମ୍ଭ ହୋଇଛି ପୂର୍ବପ୍ରସ୍ତୁତି। ତେବେ ମୟୂରଭଞ୍ଜର ଗର୍ବ ଓ ଗୌରବ ପ୍ରାକୃତିକ ସୋନ୍ଦର୍ଯ୍ୟର ଗନ୍ତାଘର ଜାତୀୟ ଉଦ୍ୟାନ ଶିମିଳିପାଳ। ଗ୍ରୀଷ୍ମପ୍ରବାହ ଆଗରୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ପଦକ୍ଷେପ ନେଇ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛି ବିଭାଗ। ସାଧାରଣତ ଗ୍ରୀଷ୍ମ କାଳରେ ଜଙ୍ଗଲମାନଙ୍କରେ ଲାଗିଥାଏ ନିଆଁ। ଏଥିପାଇଁ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ସରକାରଙ୍କ ତରଫରୁ ପଦକ୍ଷେପ ନିଆଯାଉଛି ।
ଗ୍ରୀଷ୍ମପ୍ରବାହରେ ଶିମିଳିପାଳ ଜୈବମଣ୍ଡଳକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ଶିମିଳିପାଳ ବନାଞ୍ଚଳ ଗ୍ରାମ ମାନଙ୍କରେ ସଚେତନତା ସଭା କରାଯିବା ସହ ମୟୂରଭଞ୍ଜ, ଯଶିପୁରର ରାମତୀର୍ଥ ଠାରେ ପାଞ୍ଚପୀଢ ଉପଖଣ୍ଡର ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନେଇ ଶିମିଳିପାଳ ବନ୍ୟପ୍ରାଣୀ ବନଖଣ୍ଡ ଉତ୍ତର ଜୋନର ଡେପୁଟି ଡାଇରେକ୍ଟର ସାଇକିରଣ ଡିଏନ୍ଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଶେଷ କରି ଶିମିଳିପାଳକୁ ନିଆଁ ଦାଉରୁ ରକ୍ଷା କରିବା, ଜନ୍ତୁ ଶିକାରକୁ କିପରି ରୋକାଯାଇପାରିବ, ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ପ୍ରଜେକ୍ଟର ମାଧ୍ଯମରେ ସାମ୍ବାଦିକ ମାନଙ୍କୁ ସୂଚନା ପ୍ରଦାନ କରାଯାଇଥିଲା ।
ଶିମିଳିପାଳରେ ନିୟୋଜିତ ଥୁବା ଫାୟାର୍ ସ୍କ୍ୱାର୍ଡ, ନିଆଁଲିଭା ପ୍ରତିରୋଧ ସହକାରୀ ଅଧିକାରୀ ଏବଂ ଅନ୍ୟ କେତେକ ବନ କର୍ମଚାରୀମାନଙ୍କୁ ମଧ୍ୟ ବିଭାଗ ପକ୍ଷରୁ ତାଲିମ୍ ଦିଆଯାଉଛି। ଏ ପରିପ୍ରେକ୍ଷୀରେ ଶନିବାର ଶିମିଳିପାଳର ଚହଲା ଠାରେ ଫାୟାର ସ୍କ୍ୱାର୍ଡ ଦଳ ନିଆଁଲିଭା ମେସିନ୍ ସହାୟତାରେ କେତେକ ଡେମୋ ପ୍ରଦର୍ଶିତ କରିଥିଲେ । ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡ ତରଫରୁ ହୋଇଥିବା ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏସିଏଫ ବୈଦ୍ୟନାଥ ମାଝୀ, ନିକେଶ୍ ମହାପାତ୍ର, ଯଦୁମଣି କେରକେଟା, ରେଞ୍ଜର ଶୁକୁରା ବିନ୍ଧାଣି, ଫରେଷ୍ଟର ଅର୍ଜୁନ ମହାକୁଡ଼ ପ୍ରମୂଖ ଉପସ୍ଥିତ ଥିଲେ |