ନୂଆଦିଲ୍ଲୀ : ପ୍ରମୋଦ ସାୱନ୍ତ ପୁଣି ଥରେ ଗୋଆ ମୁଖ୍ୟମନ୍ତ୍ରୀ ହେବେ । ଆଜି ବସିଥିବା ଏକ ବୈଠକରେ ତାଙ୍କୁ ବିଜେପି ବିଧାୟକ ଦଳ ନେତା ଚୟନ କରାଯାଇଛି । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ତଥା ଦଳର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନରେନ୍ଦ୍ର ସିଂ ତୋମର ଉପସ୍ଥିତ ଥିଲେ । ବିଜେପି ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ପ୍ରମୋଦ କ୍ରମାଗତ ୨ୟ ଥର ପାଇଁ ଗୋଆର ମୁଖ୍ୟମନ୍ତ୍ରୀ ହେବେ । ତେବେ ଶପଥ ଗ୍ରହଣ ଉତ୍ସବ ତାରିଖ ସଂପର୍କରେ ଏବେ ଦଳ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ସୂଚନାଯୋଗ୍ୟ ଯେ, ଗୋଆରେ ବିଜେପି କ୍ରମାଗତ ୩ୟ ଥର ପାଇଁ କ୍ଷମତାସୀନ ହୋଇଛି ।
ଗତ ବିଧାନସଭା ନିର୍ବାଚନରେ ବିଜେପି ୨୦ଟି ଆସନ ଜିତିଥିବାବେଳେ ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟି ଓ କେତେକ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ପାଇଛି । ତେବେ ନିର୍ବାଚନ ଫଳାଫଳ ଆସିବା ପରେ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦକୁ ନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଥିଲା । ନବ ନିର୍ବାଚିତ ବିଜେପି ବିଧାୟକ ବିଶ୍ୱଜିତ ରାଣେ ନୂଆ ମୁଖ୍ୟମନ୍ତ୍ରୀ ହେବେ ବୋଲି କେତେକ ମହଲରେ ଆଲୋଚନା ଜୋର ଧରିଥିଲା । ସେ ମଧ୍ୟ ରାଜ୍ୟପାଳଙ୍କୁ ଭେଟିବା ପରେ ଏହି ଆଲୋଚନା ଆହୁରି ଜୋର ଧରିଥିଲା । କିନ୍ତୁ ଗତ ୧୬ ତାରିଖରେ ପ୍ରମୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ପରେ ତାଙ୍କ ନାଁରେ ହିଁ ଦଳ ପକ୍ଷରୁ ମୋହର ଲାଗିଥିଲା ।