28.1 C
Bhubaneswar
Wednesday, February 4, 2026
Homeଓଡିଶାପ୍ରଦୀପଙ୍କ ଚିଠି ରାଜ୍ୟ ସରକାରଙ୍କ ମୁଖା ଖୋଲିଦେଇଛି: ବିଜେଡି

ପ୍ରଦୀପଙ୍କ ଚିଠି ରାଜ୍ୟ ସରକାରଙ୍କ ମୁଖା ଖୋଲିଦେଇଛି: ବିଜେଡି

ଭୁବନେଶ୍ୱର: ବିଜେପି ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖି ରାଜ୍ୟର ଚାଷୀମାନେ ପଞ୍ଜିକରଣ ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ଉଲ୍ଲେଖ କରିବା ଓ ବାତ୍ୟା ମୋନ୍ଥାରେ ପ୍ରଭାବିତ ଲୋକଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବା ପାଇଁ ଦାବି କରିବାକୁ ନେଇ ବିଜୁ ଜନତା ଦଳ ଆଜି ବିଜେପି ସରକାରଙ୍କୁ ଘେରିଛି । ରାଜ୍ୟର ଚାଷୀ ମାନଙ୍କ ପଞ୍ଜିକରଣ ସମସ୍ୟାକୁ ନେଇ ବିଜେଡି ସରକାରଙ୍କୁ ପ୍ରଶ୍ନ କରିଆସୁଥିବା ବେଳେ ସରକାର ଏହାକୁ ଅଣଦେଖା କରିଆସୁଥିଲେ । ଏହି ପ୍ରରିପ୍ରେକ୍ଷୀରେ ପ୍ରଦୀପ ପୁରୋହିତଙ୍କ ଚିଠି ରାଜ୍ୟ ସରକାରଙ୍କ ମୁଖା ଖୋଲିଦେଇଛି ବୋଲି ବିଜେଡି କହିଛି ।

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି କହିଥିଲେ, ରାଜ୍ୟରେ ଖରିଫ୍ ଧାନ କିଣା ପାଇଁ ଚାଷୀ ମାନଙ୍କୁ ପଞ୍ଜିକରଣ ପାଇଁ କରାଯାଇଥିବା ନିୟମ ଗୁଡିକ ଅତ୍ୟନ୍ତ ଜଟିଳ ଥିବାରୁ ଚାଷୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ପଞ୍ଜିକରଣ ବେଳେ ଚାଷୀ ମାନଙ୍କୁ ନିଜ ପରିବାରର ସମସ୍ତ ସଦସ୍ୟଙ୍କ ସ୍ୱୀକୃତି ସହିତ କେୱାଇସି ପ୍ରଦାନ କରିବାକୁ କୁହାଯାଇଥିଲା । ଏହା ରାଜ୍ୟର ଚାଷୀ ମାନଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହି ପରିପ୍ରେକ୍ଷୀରେ ଚାଷୀ ମାନଙ୍କ ସମସ୍ୟାକୁ ନେଇ ବିଜୁ ଜନତା ଦଳ ରାଜରାସ୍ତାକୁ ଓହ୍ଲାଇଥିଲା । ରାଜ୍ୟର ବିଭିନ୍ନ ସ୍ଥାନରେ ଏହାକୁ ନେଇ ବିଦ୍ରୋହ ଦେଖା ଦେଇଥିଲା । କିନ୍ତୁ ରାଜ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ କରିନଥିଲେ । କେବଳ ଉପର ଠାଉରିଆ ଭାବେ କିଛି ନିୟମ କୋହଳ କରିଥିଲେ । ଏହାକୁ ନେଇ ଚାଷୀ ମାନଙ୍କ ଭିତରେ ଅସନ୍ତୋଷ ଲାଗି ରହିଥିଲା ।

ଡ଼ ମହାନ୍ତି କହିଥିଲେ, ବର୍ତ୍ତମାନ ବିଜେପିର ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ବରଗଡ଼ ଓ ଝାରସୁଗୁଡା ଜିଲ୍ଲାରେ ପ୍ରାୟ ୫ ହଜାର ଚାଷୀ ପଞ୍ଜିକରଣରୁ ବଞ୍ଚିତ ହୋଇଛନ୍ତି । ସେହିପରି ବାତ୍ୟା ମୋନ୍ଥାରେ ପ୍ରଭାବିତ ଲୋକଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଇ ପାରୁନାହିଁ ବୋଲି ଅଭିଯୋଗ କରିଛନ୍ତି । ପୂର୍ବରୁ ବିଜେଡି ଉଠାଇଥିବା ସମାନ ପ୍ରସଙ୍ଗକୁ ରାଜ୍ୟ ସରକାର ଅଣଦେଖା କରିଆସୁଥିବା ବେଳେ ସାଂସଦ ପ୍ରଦୀପ ପୁରୋହିତ ସମାନ ପ୍ରସଙ୍ଗ ଉଠାଇ ଥିବାରୁ ତାଙ୍କୁ ଧନ୍ୟବାଦ । ପ୍ରଦୀପ ପୁରୋହିତଙ୍କ ଏହି ଚିଠି ସରକାରଙ୍କୁ ଆଇନା ଦେଖାଇଛି । ଏହାଛଡା ସରକାରଙ୍କ ଚାଷୀମାରଣ ନୀତିକୁ ପ୍ରଦର୍ଷିତ କରୁଛି । ଡବଲ ଇଞ୍ଜିନ ଡବଲ ବିକାଶ ନାରା ଦେଇ ବିଜେପି ସରକାରକୁ ଆସିଥିବା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳୁଥିବା କେନ୍ଦ୍ରୀୟ ଅବଦାନ ପୂର୍ବ ବର୍ଷ ତୁଳନାରେ କମିଛି । କେନ୍ଦ୍ର ଅବହେଳା ମଧ୍ୟ ବୃଦ୍ଧି ପାଇଥିବା ବେଳେ ବିଜେପି ସାଂସଦ ମାନେ ପଦୁଟିଏ ମୁହଁ ଖୋଲୁନାହାନ୍ତି । କିନ୍ତୁ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ସ୍ୱର ଉତ୍ତୋଳନ କରିବା ଜନପ୍ରତିନିଧିଙ୍କ କର୍ତ୍ତବ୍ୟ । କିନ୍ତୁ ଏହି ଚିଠି ପାଇବା ପରେ ରାଜ୍ୟ ସରକାରଙ୍କ ଚେତା ପଶୁ ଓ କୃଷକ ମାନଙ୍କର ଏହି ସମସ୍ୟା ସରକାର ସମାଧାନ କରିବେ ବୋଲି ଆମେ ଆଶା କରୁଛୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking