ରାୟଗଡା : ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ପିସ୍କାପଙ୍ଗା ଡାକଘରେ କାର୍ଯ୍ୟରତ ପୋଷ୍ଟ ମାଷ୍ଟର କନ୍ଧ ହିରିବା ଗ୍ରାମ ନିବାସୀ ମାନସ ହିକକା ଚାରିଦିନ ହେବ ନିଖୋଜ ହେବା ଏବଂ ବହୁ ଖୋଜାଖୋଜି ପରେ ପତ୍ତା ନମିଳିବାକୁ ନେଇ ପରିବାର ତରଫରୁ ମୁନିଗୁଡା ଥାନାରେ ଅଭିଯୋଗ କରାଯାଇଛି । ମାନସଙ୍କ ଅକସ୍ମାତ ନିଖୋଜ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଥିବା ବେଳେ ପରିବାରଙ୍କ କହିବାନୁଯାୟୀ ଏହି ନିଖୋଜ ଅବା ଅପହରଣ ଅନେକ ସନ୍ଦେହ ସୃଷ୍ଟି କରୁଛି । ସୂଚନା ଅନୁଯାୟୀ, ଗତ ବୁଧୁବାର ଦିନ ବିଷମକଟକ ବ୍ଲକ ଅନ୍ତର୍ଗତ ରାସକୋଲାଠାରେ ଡାକବିଭାଗ ଆୟୋଜିତ ଏକ ନୂତନ ଡାକଘର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପୋଷ୍ଟ ମାଷ୍ଟର ଶ୍ରୀ ହିକ୍କା ନିଜ ବାଇକରେ ବାହାରିଥିଲେ । କାର୍ଯ୍ୟକ୍ରମ ବିଳମ୍ବ ଜନିତ ଖବର ଜାଣି କୌଣସି କାମରେ ପୋଷ୍ଟ ମାଷ୍ଟର ଶ୍ରୀ ହିକ୍କା ନିକଟସ୍ଥ ଡୁକୁମ ଗ୍ରାମକୁ ଯାଇ ମଧ୍ୟାନ୍ନ ସୁଦ୍ଧା ଉଦ୍ଘାଟନୀ ସ୍ଥଳ ରାସକୋଲା ଗାଁକୁ ଫେରିନଥିଲେ । ସନ୍ଧ୍ୟାରେ ମାନସ ହିକ୍କାଙ୍କ ବାଇକ ରାସକୋଲା ଘାଟିର ରାସ୍ତାକଡ଼ରେ ରହିଥିବା ଦେଖି କିଛି ପ୍ରତ୍ୟକ୍ଷଦର୍ଶୀ ଭାବିଥିଲେ କେହି ହୁଏତ ଏଠାରେ ଗାଡି ରଖୁ କେଉଁଆଡ଼େ କାର୍ଯ୍ୟରେ ଯାଇଥିବେ । ଅନ୍ୟପଟେ ସଂଧ୍ୟା ସୁଧା ମାନସ ଘରକୁ ନଫେରିବାରୁ ପରିବାର ଲୋକେ ବ୍ୟସ୍ତହୋଇ ଖୋଜାଖୋଜି କରିଥିଲେ ହେଁ ତାଙ୍କର ପତ୍ତା ମିଳିନଥିଲା । ଧୀରେ ଧୀରେ କଥା ପ୍ରଘଟ ହେବାକୁ ଲାଗିଲା । ତା\’ପରଦିନ ଗୁରୁବାର ଅପରାହ୍ନ ପର୍ଯ୍ୟନ୍ତ ଶ୍ରୀ ହିକ୍କାଙ୍କ ବାଇକ ସେହି ରାସ୍ତା କଡରେ ଥିବା ଖବର ପାଇ ରାସକୋଲା ସରପଞ୍ଚ ବିଷମକଟକ ଥାନାକୁ ଅବଗତ କରିଥିଲେ । ବିଷମକଟକ ଆଇଆଇସି ସୁବାସ ଚନ୍ଦ୍ର କରକରା ଖବର ପାଇ ପୁଲିସ ଟିମ୍ ସହ ଘଟଣାସ୍ଥଳରୁ ବାଇକ ଉଦ୍ଧାର କରିବା ସହ ନାପତ୍ତା ମାନସଙ୍କୁ ଆଖପାଖ ଜଙ୍ଗଲ ଓ ବସ୍ତିରେ ଖୋଜାଖୋଜି କରି କିଛି ସନ୍ଧାନ ନମିଳିବାରୁ ରାତ୍ରିରେ ଫେରି ଯାଇଥିଲେ । ପରଦିନ ସକାଳେ ପୁଣି ପୁଲିସ ଅନୁସନ୍ଧାନ ଜୋରଦାର କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଗତକାଲି ମାନସ ହିକକାଙ୍କ ପରିବାର ତରଫରୁ ମୁନିଗୁଡା ଥାନାରେ ଅଭିଯୋଗ ହେବାପରେ ବହୁ ଘଟଣାର ପର୍ଦାଫାର୍ସର ଚର୍ଚ୍ଚିତ ପୁଲିସ ଅଧିକାରୀ ଏସ୍ଡିପିଓ ଆକାଶ ଚନ୍ଦ୍ର ସାହୁଙ୍କ ନିର୍ଦ୍ଦେଶମତେ ଆଇଆଇସି ସୁଜ୍ଞାନୀ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ପୁଲିସ ଟିମ୍ ତଦନ୍ତକୁ ଜୋରଦାର କରିବା ସହ ନିଖୋଜ ମାନସ ହିକକାଙ୍କ ମୋବାଇଲ ନମ୍ବର ଟ୍ରାକିଂ ପ୍ରକ୍ରିୟା ଆରମ୍ଭ କରିଥିବା ବିଶେଷସୂତ୍ରରୁ ଜଣା ପଡିଛି । ମାନସଙ୍କୁ ଅପହରଣ କରାଯାଇଥିବା ତାଙ୍କ ବାପା ଡ଼ମ୍ବୁହିକବାଡି ଅଭିଯୋଗ କରୁଥିବା ବେଳେ ଗ୍ରାମବାସୀ ଏହାକୁ ଏକ ଷଡ଼ଯନ୍ତ୍ରପୁର୍ଣ୍ଣ ହତ୍ୟା ହୋଇଥାଇପାରେ ବୋଲି ସନ୍ଦେହ କରୁଛନ୍ତି । ଆଜି ଗଣମାଧ୍ୟମ ପ୍ରତିନିଧି ମନୋରଞ୍ଜନ ଦଳାଇ, ସନାତନ ନାୟକ ଓ ସ୍ଥାନୀୟ ସାମାଜିକ କର୍ମୀ ପ୍ରମୋଦ ସାହୁକାର ରାୟଗଡା ଜିଲ୍ଲାର ଏହି ଅପହଞ୍ଚ ପାହାଡ଼ି ଗାଁ ଡମ୍ବୁ ହିକବାଡିକୁ ଯାଇ ମାନସଙ୍କ ବାପା ଓ ଗ୍ରାମବାସୀଙ୍କୁ ଭେଟି ସେମାନଙ୍କ ଅସହନୀୟ ଦୁଃଖ ଶୁଣିଥିଲେ । ଗ୍ରାମର ପ୍ରାୟ ୩୦/୪୦ଲୋକ ମୁନିଗୁଡା ଥାନା ଯାଇ ଅଧିକାରୀଙ୍କୁ ଦେଖା କରିବାକୁ ବାହାରିଥିଲେ । ଏସ୍ଡିପିଓ ଶ୍ରୀ ସାହୁ ଓ ଆଇଆଇସି ମାଡାମ ଶ୍ରୀମତୀ ସାହୁଙ୍କ ଉପରେ ସେମାନଙ୍କ ଅଖଣ୍ଡ ବିଶ୍ୱାସ ଥିବା ସେମାନେ ପ୍ରକାଶ କରିବା ସହ ମାନସର ଜୀବିତ ପ୍ରତ୍ୟାବର୍ତ୍ତନକୁ ପରିବାରବର୍ଗ ଅଶ୍ରୁଳ ଆଖିରେ ଅପେକ୍ଷା କରିଥିବା ଦେଖିବାକୁ ମିଳିଥିଲା । ପ୍ରକାଶଥାଉକି ପୋଷ୍ଟମାଷ୍ଟର ମାନସଙ୍କ ବିବାହ ମଧ୍ୟ ସ୍ଥିର ହୋଇଯାଇଥିଲା । ମୁନିଗୁଡା,ବିଷମକଟକ ଓ ଚନ୍ଦ୍ରପୁର ବ୍ଲକ ଓ ଥାନାଞ୍ଚଳରେ ମାନସଙ୍କ ନାପତ୍ତାକୁ ନେଇ ଚାଞ୍ଚଲ୍ୟ ଖେଳି ଯାଇଥିବା ବେଳେ ତାଙ୍କ ପ୍ରତ୍ୟାବର୍ତ୍ତନକୁ ସମସ୍ତେ ଆଶାବାନ୍ଧି ଅପେକ୍ଷା କରିଛନ୍ତି ।