ନୂଆଦିଲ୍ଲୀ: ଚଳିତ ଆଇପିଏଲ୍ର ଷୋଡ଼ଶ ସଂସ୍କରଣରେ ଆହତ ଥିବା କାରଣରୁ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଋଷଭ ପନ୍ତ୍ ଖେଳିପାରିବେ ନାହିଁ । ତେଣୁ ତାଙ୍କ ସ୍ଥାନରେ ବେଙ୍ଗଲ ୱିକେଟ୍କିପର୍-ବ୍ୟାଟ୍ସମ୍ୟାନ୍ ଅଭିଷେକ ପୋରେଲ୍ଙ୍କୁ ଦଳରେ ସ୍ଥାନ ଦିଆଯାଇଛି । ପୋରେଲ୍ ୨୦ ଲକ୍ଷ ଟଙ୍କା ବିନିମୟରେ ଦିଲ୍ଲୀ ଦଳରେ ସାମିଲ୍ ହୋଇଛନ୍ତି । ୨୦ ବର୍ଷୀୟ ପୋରେଲ୍ ଅଦ୍ୟାବଧି ୧୬ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ସହ ୩ଟି ଲିଷ୍ଟ୍-ଏ’ ଓ ୩ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି ।
ଏଥିରେ ସେ ୬୯୫ ରନ୍ କରିଥିବା ବେଳେ ରନ୍ ସଂଗ୍ରହ ହାର ୩୦.୨୧ ରହିଛି । ଏହାଛଡ଼ା ୱିକେଟ୍ ପଛରେ ପୋରେଲ୍ ୫୮ଟି କ୍ୟାଚ୍ ନେବା ସହ ୮ଟି ଷ୍ଟମ୍ପିଂ ଆଉଟ୍ ମଧ୍ୟ କରିଛନ୍ତି । ଚଳିତ ବର୍ଷ ପ୍ରାରମ୍ଭରେ ସେ ରଣ୍ଜୀ ଟ୍ରଫି ସେମିଫାଇନାଲ୍ ଓ ଫାଇନାଲ୍ରେ ଗୁରୁତ୍ୱପୂର୍ଣ୍ଣ ଅର୍ଦ୍ଧଶତକ ହାସଲ କରିଥିଲେ ।
ସୂଚନାଯୋଗ୍ୟ ଯେ ଆଇପିଏଲ୍-୧୬ରେ ଦିଲ୍ଲୀ ଶନିବାର ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍ସ ବିପକ୍ଷରେ ତା’ର ଅଭିଯାନ ଆରମ୍ଭ କରିବ । ସେହିପରି ମୁମ୍ବାଇ ଇଣ୍ଡିଆନ୍ସରେ ଆହତ ପେସର୍ ଜସପ୍ରୀତ୍ ବୁମ୍ରାଙ୍କ ସ୍ଥାନରେ ୫୦ ଲକ୍ଷ ଟଙ୍କା ମୂଲ୍ୟରେ ସନ୍ଦୀପ ୱାରିଅର୍ ସାମିଲ୍ ହୋଇଥିବା ଆଇପିଏଲ୍ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି । ଆଇପିଏଲ୍ରେ ୱାରିଅର୍ ପୂର୍ବରୁ କୋଲ୍କାତା ନାଇଟ୍ ରାଇଡର୍ସ ଓ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ ପକ୍ଷରୁ ୫ଟି ମ୍ୟାଚ୍ ଖେଳିସାରିଛନ୍ତି ।