18.1 C
Bhubaneswar
Monday, November 25, 2024
Homeଅପରାଧଯୋଡ଼ାରେ ରାଜନୈତିକ ହିଂସାକାଣ୍ଡ : ଦୁଇଗୋଷ୍ଠୀ ମଧ୍ୟରେ ଘମାଘୋଟ ଲଢ଼େଇ

ଯୋଡ଼ାରେ ରାଜନୈତିକ ହିଂସାକାଣ୍ଡ : ଦୁଇଗୋଷ୍ଠୀ ମଧ୍ୟରେ ଘମାଘୋଟ ଲଢ଼େଇ

ଯୋଡ଼ା : ମଙ୍ଗଳବାର ଯୋଡା ପଞ୍ଚାୟତ ସମିତିର ତ୍ରିସ୍ତରୀୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହି ନିର୍ବାଚନ ପୂର୍ବରୁ ପୁଣିଥରେ ଯୋଡ଼ାରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି । ଉଭୟ ବିଜେଡି ଦଳର ପୂର୍ବତନ ବିଧାୟକ ସନାତନ ମହାକୁଡ ଏବଂ ବର୍ତ୍ତମାନର ବିଧାୟିକା ମିନାକ୍ଷୀ ମହାନ୍ତଙ୍କ ଗୋଷ୍ଠୀ ମଧ୍ୟରେ ଘମାଘୋଟ ଲଢେଇ ଦେଖାଦେଇଛି । ବଳଦା ପଞ୍ଚାୟତ ଗୁରୁଡା ନିକଟ ଠାକୁରାଣୀ ଗ୍ରାମରେ ୨ ସରପଞ୍ଚ ପ୍ରାର୍ଥୀ ରଞ୍ଜିତ ନାଏକ ଓ ଗୌର କୁମାର ନାଏକଙ୍କ ସମର୍ଥକଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିଥିବା ଜଣାପଡ଼ିଛି । ଏହି ଦୁଇଗୋଷ୍ଠୀ ମଧ୍ୟରୁ ଗୋଟିଏ ସନାତନଙ୍କ ସମର୍ଥନରେ ଥିବାବେଳେ ଅନ୍ୟ ଗୋଷ୍ଠୀ ମିନାକ୍ଷୀଙ୍କ ସମର୍ଥନରେ ଥିବା କୁହାଯାଉଛି । ଉଭୟ ଗୋଷ୍ଠୀ ନିଜକୁ ବିଜେଡିର ସମର୍ଥକ ଭାବେ ଦାବି କରୁଥିବା ବେଳେ ଉଭୟ ଗୋଷ୍ଠୀ ମଧ୍ୟରେ ବ୍ୟାପକ ହିଂସାକାଣ୍ଡ ଘଟିଯାଇଛି ।

ରବିବାର ରାତି ପ୍ରାୟ ୧୧ଟା ସମୟରେ ସରପଞ୍ଚ ପ୍ରାର୍ଥୀ ରଣଜିତ୍ ନାଏକ ଏବଂ ତାଙ୍କର କେତେକ ସମର୍ଥକ ୧୦ରୁ ୧୫ଟି ଚାରିଚକିଆ ଗାଡିରେ ଆସି ଗୁରୁଡାର ବେଣୁଆପାଣି, ଗୁରୁଡା କ୍ୟାମ୍ପ ଓ ନିୟୁ କଲୋନୀରେ ଘରେ ଘରେ ପଶି ଅତର୍କିତ ଆକ୍ରମଣ କରିଥିଲେ । ସେମାନେ ସାଙ୍ଗରେ ବିଭିନ୍ନ ମାରଣାସ୍ତ୍ର ଧରିଥିବା ବେଳେ ଗ୍ରାମବାସୀମାନେ ସେମାନଙ୍କୁ ଢେଲା ମାଡ଼ କରିଥିଲେ । ଘଟଣାଟିରେ ୧୨ଟି ମୋଟରସାଇକେଲ, ୩ଟି ଚାରିଚକିଆ ଓ ଗୋଟିଏ ଅଟୋରିକ୍ସା ଭାଙ୍ଗିରୁଜି ନଷ୍ଟ ହେବା ସହ ୭ଜଣ ଆହତ ହୋଇଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ୨ଜଣ ଗୁରୁତର ଡାକ୍ତରଖାନାରେ ଚିକିତ୍ସିତ ହେଇଥିବା ଜଣାପଡିଛି ।

ଏହି ଗଣ୍ଡଗୋଳ ସମୟରେ ଦୁର୍ବୃତ୍ତମାନେ ଭୋଟରଙ୍କ ଘର ଭିତରେ ପଶି ଫ୍ରିଜ, ଟିଭି, ଖଟ ପ୍ରଭୃତି ଆସବାବପତ୍ର ମଧ୍ୟ ନଷ୍ଟ କରିଦେଇଥିବା ଅଭିଯୋଗରୁ ଜଣାପଡ଼ିଛି । ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ମୁତାବକ ଘଟଣାସ୍ଥଳରେ ପୁଲିସ ଗାଡି ନାଲିବତୀ ଲିଭାଇ ଉପସ୍ଥିତ ଥିଲେ ମଧ୍ୟ ସାମାନ୍ୟତମ ପ୍ରୟାସ କରିନଥିବା ସେମାନେ ଅଭିଯୋଗ କରିଛନ୍ତି । ସେହିପରି ଯୋଡା ବ୍ଲକ ଭଦ୍ରାସାହି ପଞ୍ଚାୟତ ବୁରୁହାଟିଂର କେତେକ ଭୋଟରଙ୍କୁ କେତେକ ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ନିର୍ଦ୍ଧିଷ୍ଟ ଚିହ୍ନରେ ଭୋଟ ଦେବାକୁ କହି ଦୁର୍ବୃତ୍ତମାନେ ସେମାନଙ୍କୁ ଆକ୍ରମଣ କରିଥିବା ବେଳେ ଲୁଚିଛପି ଲୋକେ ୭କିମି ଦୂର ଖାଲିପାଦରେ ଚାଲି ବଡ଼ବିଲ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ରବିବାର ରାତିରେ କିଛି ବ୍ୟକ୍ତି ସ୍ଥାନୀୟ ବାସିନ୍ଦାଙ୍କୁ ପ୍ରଲୋଭନ ଦେଖାଇ ପ୍ରଭାବିତ କରିବାକୁ ଚେଷ୍ଟା କରିଥିଲେ । ଏଥିରେ କିଛି ଯୁବକ ପ୍ରତିବାଦ କରିବାରୁ ସେମାନଙ୍କୁ ଏହି ଆକ୍ରମଣ କରାଯାଇଥିବା ଜଣାପଡିଛି । ଆକ୍ରମଣକାରିମାନେ ସାଙ୍ଗରେ ବିଭିନ୍ନ ମାରଣାସ୍ତ୍ର ନେଇ ଆସିଥିବା ସ୍ଥାନୀୟ ବାସିନ୍ଦାମାନେ ଅଭିଯୋଗ କରି ସେମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି । ସୋମବାର ଅପରାହ୍ନରେ ଖଣ୍ଡବନ୍ଧ ଠାରେ ବିଜେଡି କାର୍ଯ୍ୟାଳୟରେ ବସି ମିନାକ୍ଷୀଙ୍କ କେତେକ ସମର୍ଥକ ଖୋଲାଖୋଲି ଭାବେ ଭୋଟରଙ୍କୁ ଟଙ୍କା ବାଣ୍ଟୁଥିବା ବେଳେ ଏହାକୁ ସନାତନଙ୍କ ସମର୍ଥକମାନେ ବିରୋଧ କରିଥିଲେ ।

ଏଥିରେ ଉଭୟ ଗୋଷ୍ଠୀ ମଧ୍ୟରେ ବାଦବିବାଦ ହୋଇ ଗୋଷ୍ଠୀ ସଂଘର୍ଷ ରୂୂପ ନେଇଥିଲା । ଯୋଡ଼ା ବ୍ଲକ୍‌ର ୧୯ଟି ପଞ୍ଚାୟତରେ ସନାତନଙ୍କ ପ୍ରତି ସମର୍ଥନ ବୃଦ୍ଧି ପାଉଥିବା ଦେଖି ମିନାକ୍ଷୀଙ୍କ ସମର୍ଥକମାନେ ଏବେ ରକ୍ତ ମୁଖା ହୋଇଉଠିଥିବା କୁହାଯାଉଛି । କଳେବଳେ କୌଶଳେ ୧୯ଟି ପଞ୍ଚାୟତରେ ମିନାକ୍ଷୀଙ୍କ ସମର୍ଥକଙ୍କୁ ଜିତାଇବା ପାଇଁ ସେମାନେ ପ୍ରାଣମୁର୍ଚ୍ଛା ଉଦ୍ୟମ କରୁଥିବା ବେଳେ ଏହା ସଂଘର୍ଷର ରୂପ ନେଇଛି । ମଙ୍ଗଳବାର ଥିବା ନିର୍ବାଚନରେ ବୁଥ ଦଖଲ ପାଇଁ ମଧ୍ୟ ଯୋଜନା କରାଯାଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking