କୋଲକାତା: ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ସମୟକ୍ରମେ ବୃଦ୍ଧି ପାଇବାରେ ଲାଗିଛି । ବିଧାନସଭା ନିର୍ବାଚନ ପରେ ବିଜେପି ଓ ଟିଏମସି ମଧ୍ୟରେ ଲଗାତାର ହିଂସା ବଢ଼ୁଥିବା ବେଳେ ମଙ୍ଗଳବାର ବୀରଭୂମ ଜିଲ୍ଲାର ଏକ ଗଛରୁ ଜଣେ ବିଜେପି କର୍ମୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତ ବିଜେପି କର୍ମୀ ଜଣକ ପୂର୍ଣ୍ଣଚନ୍ଦ୍ର ନାଗ ବୋଲି ଜଣାପଡ଼ିଛି । ବୀରଭୂମର ମଲାଲାପୁର ପୁଲିସ ଷ୍ଟେସନ ଅନ୍ତର୍ଗତ ବାରୋଟୁରୀ ଅଞ୍ଚଳରେ ରହୁଥିବା ପୂର୍ଣ୍ଣଚନ୍ଦ୍ରଙ୍କ ମୃତଦେହ ଆଜି ଏକ ଗଛରେ ଝୁଲୁଥିବା ଦେଖିବାକୁ ମିଳିଥିଲା।
ତାଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଗଛରେ ଟାଙ୍ଗି ଦିଆଯାଇଥିବା ଗାଁଲୋକେ ଅଭିଯୋଗ କରିଛନ୍ତି ଏବଂ କହିଛନ୍ତି ଏହା କେବଳ ରାଜନୈତିକ ହିଂସା ଛଡ଼ା ଆଉ କିଛି ନୁହେଁ । ଅନ୍ୟପଟେ ବିଜେପି ଏହି ହତ୍ୟାକାଣ୍ଡ ପାଇଁ ଟିଏମସିକୁ ଦାୟୀ କରିଛି । ବର୍ତ୍ତମାନ ଘଟଣାର ତଦନ୍ତ ଆରମ୍ଭ ହୋଇଛି ଏବଂ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ନାଗଙ୍କ ପରିବାର ପକ୍ଷରୁ ମିଳିଥିବା ସୂଚନା ମୁତାବକ ପୂର୍ଣ୍ଣଚନ୍ଦ୍ର ନାଗ ଜଣେ ଦିନମଜୁରିଆ ଥିଲେ । ଗତ ବିଧାନସଭା ନିର୍ବାଚନ ପୂର୍ବରୁ ସେ ବିଜେପିକୁ ସମର୍ଥନ କରିବା ଆରମ୍ଭ କରିଥିଲେ। ବିଜେପି ପାଇଁ ସେ ସକ୍ରିୟ ଭାବେ କାମ କରୁଥିଲେ । ସୋମବାର ସନ୍ଧ୍ୟାରେ ପୁର୍ଣ୍ଣଚନ୍ଦ୍ର କିଛି କାମ ପାଇଁ ଘରୁ ବାହାରି ଆସିଥିଲେ, କିନ୍ତୁ ସେ ଫେରି ନଥିଲେ ଏବଂ ମଙ୍ଗଳବାର ସକାଳେ ତାଙ୍କ ମୃତଦେହ ଗଛରେ ଝୁଲୁଥିବାର ଦେଖିବାକୁ ମିଳିଥିଲା ।