ରପ୍ତାନୀ ପ୍ରୋତ୍ସାହନ ନୀତିରେ ଶ୍ରେଷ୍ଠ ରାଜ୍ୟ
ଭୁବନେଶ୍ୱର: ନିତି ଆୟୋଗ ତରଫରୁ ସଦ୍ୟ ପ୍ରକାଶିତ ରପ୍ତାନୀ ପ୍ରସ୍ତୁତି ସୂଚକାଙ୍କ-୨୦୨୧ରେ ଓଡ଼ିଶା ୮ଟି ସ୍ଥାନ ତଳକୁ ଖସି ଆସିଛି । ୨୦୨୦ରେ ଓଡ଼ିଶାର ତାଲିକାର ପଞ୍ଚମ ସ୍ଥାନରେ ରହିଥିବା ବେଳେ ଏଥର ୧୩ତମ ସ୍ଥାନରେ ରହିଛି । ତେବେ ରପ୍ତାନୀ ପ୍ରୋତ୍ସାହନ ନୀତି ବର୍ଗରେ ଓଡ଼ିଶା ୧୦୦ରୁ ୧୦୦ ସ୍କୋର କରି ଶ୍ରେଷ୍ଠ ରାଜ୍ୟ ଭାବେ ଉଭା ହୋଇଛି । ବିଭିନ୍ନ ବର୍ଗରେ ରାଜ୍ୟମାନଙ୍କର ପ୍ରଦର୍ଶନକୁ ନେଇ ରପ୍ତାନୀ ସୂଚକାଙ୍କ ପ୍ରସ୍ତୁତି ହୋଇଥିବା ବେଳେ ଓଡ଼ିଶାର ସର୍ବମୋଟ୍ ୧୦୦ରୁ ୪୨.୦୪ ସ୍କୋର୍ କରିଛି । ୭୮.୮୬ ସ୍କୋର୍ ସହ ଗୁଜରାଟ ତାଲିକାର ଶୀର୍ଷରେ ରହିଛି । ପଛକୁ ଶ୍ରେଷ୍ଠ ୫ ରାଜ୍ୟ ତାଲିକାରେ ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡ଼ୁ ଓ ହରିୟାଣା ରହିଛନ୍ତି । ବିଭିନ୍ନ ରାଜ୍ୟରେ ରପ୍ତାନୀ ସମ୍ଭାବନା, ନୀତି ଏବଂ କାର୍ଯ୍ୟଦକ୍ଷତାକୁ ଆଧାର କରି ନିତି ଆୟୋଗ ଏହି ସୂଚକାଙ୍କ ଜାରି କରୁଛନ୍ତି । ଓଡ଼ିଶା ରପ୍ତାନୀ ପ୍ରୋତ୍ସାହନ ନୀତି ବର୍ଗରେ ୧୦୦ରୁ ୧୦୦ ସ୍କୋର କରି ଶ୍ରେଷ୍ଠ ରାଜ୍ୟ ହୋଇଛି ।
ଅନ୍ୟପଟେ ରାଜ୍ୟ ବାଣିଜ୍ୟ ସହାୟତା ବର୍ଗରେ ଓଡ଼ିଶାକୁ ସବୁଠୁ କମ୍ ଅର୍ଥାତ୍ ୧.୦୪ ସ୍କୋର ମିଳିଛି । ଅନ୍ୟ ବର୍ଗରେ ରାଜ୍ୟକୁ ମିଳିଥିବା ସ୍କୋର ଉପରେ ନଜର ପକାଇଲେ ଆନୁଷ୍ଠାନିକ ଢାଞ୍ଚାରେ- ୫୯.୩୨, ବାଣିଜ୍ୟ ପରିବେଶରେ- ୬୨.୧୫, ଭିତ୍ତିଭୂମିରେ-୧୪.୫୯, ପରିବହନ ସଂଯୋଗରେ-୩୫.୮୩, ଆର୍ଥିକ ସୁବିଧାରେ- ୩୫.୧୭, ରପ୍ତାନୀ ଭିତ୍ତିଭୂମିରେ- ୩୮.୭୨, ଗବେଷଣା ଓ ବିକାଶ ଭିତ୍ତିଭୂମିରେ- ୧୨.୩୩, ଅଭିବୃଦ୍ଧି ଏବଂ ଆଭିମୂଖ୍ୟରେ- ୩୧.୬୪ ଓ ରପ୍ତାନୀ ବିବିଧକରଣରେ ରାଜ୍ୟକୁ ୨୯.୬୩ ସ୍କୋର୍ ମିଳିଛି । ୮ ତଟୀୟ ରାଜ୍ୟଙ୍କ ଭିତରେ ଓଡ଼ିଶା ସୂଚକାଙ୍କରେ ୬ ନମ୍ବରରେ ରହିଛି ।
ରପ୍ତାନୀ ପ୍ରୋତ୍ସାହନ ନୀତି ବର୍ଗରେ ୧୦୦ରୁ ୧୦୦ ସ୍କୋର କରିଥିବା ଅନ୍ୟ ୪ ତଟୀୟ ରାଜ୍ୟଙ୍କ ଭିତରେ ମଧ୍ୟ ଓଡ଼ିଶା ରହିଛି । ବ୍ୟବସାୟିକ ଇକୋସିଷ୍ଟମରେ ଓଡ଼ିଶା ୨୨ତମ ସ୍ଥାନରେ, ରପ୍ତାନୀ ଇକୋସିଷ୍ଟମରେ ୧୮ ତମ, ରପ୍ତାନୀ ପ୍ରଦର୍ଶନରେ ଦଶମ ଏବଂ ନୀତି ସ୍ତମ୍ଭରେ ପଞ୍ଚମ ସ୍ଥାନରେ ରହିଛି । ନିତି ଆୟୋଗ ନିଜ ରିପୋର୍ଟରେ କହିଛନ୍ତି, ରପ୍ତାନୀ ପ୍ରୋତ୍ସାହନ ନୀତି ବର୍ଗରେ ଓଡ଼ିଶା ୧୦୦ ସ୍କୋର କରିବା ଦେଶର ଅନ୍ୟ ରାଜ୍ୟ ତୁଳନାରେ ଏହାର ରଣନୀତିକ ପଦକ୍ଷେପ କାର୍ଯ୍ୟକାରୀ କରିବାର ଦକ୍ଷତାକୁ ପ୍ରତିଫଳିତ କରୁଛି । ମାତ୍ର, କେବଳ ନୀତିଗତ ପଦକ୍ଷେପ କୌଣସି କ୍ଷେତ୍ରରେ ରପ୍ତାନୀକୁ ବୃଦ୍ଧି କରିପାରିବ ନାହିଁ । ରାଜ୍ୟଗୁଡ଼ିକ ସେମାନଙ୍କର ରପ୍ତାନୀ ଅଭିବୃଦ୍ଧି ପାଇଁ ଏହି ପଦକ୍ଷେପଗୁଡ଼ିକ କାର୍ଯ୍ୟକାରୀ କରିବାକୁ ପଡ଼ିବ ।