ସଇଁନ୍ତଲା: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ କୁଇକେଡା ପଞ୍ଚାୟତ ସ୍ଥିତ ସ୍ଥାନୀୟ କମରଲଗା ଲାନ୍ଥ ନଦୀ କୂଳରେ ସ୍ଥାନୀୟ ଲୋକ ଗାଧେଇବା ପାଇଁ ଯାଇ ଥିବା ବେଳେ ଏକ ଶବ ଭାସୁଥିବା ନେଇ ଦେଖିବାକୁ ପାଇଥିଲେ । ନଦୀ କୂଳରେ ପ୍ରବଳ ରକ୍ତ ଧାର ବୋହି ଥିବା ଦେଖିବାକୁ ପାଇବା ପରେ ହତ୍ୟା ହୋଇ ଥିବା ସନ୍ଦେହ କରିଥିଲେ । ପରେ ପୁଲିସକୁ ଖବର ଦେବା ପରେ ସଇଁନ୍ତଲା ଥାନା ଅଧିକାରୀ ଅବନୀ ସାହୁ, ବଡ଼ମାଲ ଫାଣ୍ଡି ଅଧିକାରୀ ଶ୍ରୀଯୁକ୍ତ ମାଝୀ, ଏସଆଇ ସଂଗୀତା ବେଙ୍କ ଘଟଣା ସ୍ଥାନରେ ପହଞ୍ଚି ଶବକୁ ଦେଖିବାକୁ ପାଇଥିଲେ । ଘଟଣାସ୍ଥଳରେ ସ୍ଥାନୀୟ ଅଗ୍ନିଶମ ବାହିନୀ ବିଭାଗ ଓ ବଲାଙ୍ଗିର ସାଇଣ୍ଟିଫିକ ଟିମ, ଟିଟିଲାଗଡ଼ ଏସ୍ଡିପିଓ ସୁରେନ୍ଦ୍ର ନାଥ ଶତପଥି, ଟିଟିଲାଗଡ଼ ଥାନା ଅଧିକାରୀ ରଞ୍ଜନ ବରିହା, ମୁରିବାହାଲ ଥାନା ଅଧିକାରୀ ପହଞ୍ଚିବା ପରେ ଶବକୁ ନଦୀ ଭିତରୁ ଉଦ୍ଧାର କରିଥିବା ବେଳେ ଯୁବତୀଙ୍କ ମୁଣ୍ଡ ବିହୀନ ଶବକୁ ଦେଖିବାକୁ ମିଳିଥିଲା । ଯୁବତୀଙ୍କ ବୟସ ପ୍ରାୟ ୨୦-୨୫ ବର୍ଷ ଭିତରେ ହେବ । ଦୁଇଟି ଗୋଡ଼ରେ କଳା ରଙ୍ଗର ରସି ମଧ୍ୟ ଲାଗିଛି । କଲା ରଙ୍ଗର ପେଣ୍ଟ ଓ ସାର୍ଟ ଯୁବତୀ ପିନ୍ଧିଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଗଲାକାଟି ହତ୍ୟା କରାଯାଇ ଥିବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଯୁବତୀଙ୍କ ପରିଚୟ ମଧ୍ୟ ମିଳି ପାରି ନାହିଁ । କିଏ ଓ କେଉଁ କାରଣରୁ ଏଭଳି ନିର୍ମମ ଭାବେ ଗଳା କାଟି ହତ୍ୟା କଲା ତାହାକୁ ନେଇ ଘଟଣା ସମ୍ପର୍କରେ ପୁଲିସ ଛାନଭିନ ଆରମ୍ଭ କରିଛି ।