ଭୁବନେଶ୍ୱର: ବାହାରେ ଦେଖିବାକୁ ଡ୍ୟାନ୍ସ ବାର୍ । ହେଲେ ଭିତରେ ଚାଲିଥିଲା ଜୁଆ ଆଡ୍ଡା । ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଥିବା ପେଣ୍ଟାଗନ୍ ବାର୍ରେ ଏଭଳି ବେଆଇନ କାମ ଚାଲିଥିଲା । ଶଟ୍ଡାଉନ୍କୁ ବେଖାତିର କରି ବାର୍ ମାଲିକ ଜୁଆ ଆଡ୍ଡା ଚଲାଇଥିଲେ । ଘଟଣାସ୍ଥଳରୁ ପୋଲିସ ୨ଲକ୍ଷ ୫୩ହଜାର ଟଙ୍କା ଜବତ କରିଛି । ଏହାସହ ୪ଜଣ ଯୁବତୀଙ୍କ ସମେତ ୧୩ଜଣଙ୍କୁ କାବୁ କରି ଥାନାକୁ ନେଇଛି । ପରେ ସେମାନଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଥିବା ଲକ୍ଷ୍ମୀସାଗର ଥାନା ପୋଲିସ ପକ୍ଷରୁ ସୂଚନା ମିଳିଛି । ଅନ୍ୟପକ୍ଷେ ବାର୍ରେ ଜୁଆ ଆଡ୍ଡା ସମେତ ସେକ୍ସ ରାକେଟ୍ ଚାଲୁଥିବା ମଧ୍ୟ ଚର୍ଚ୍ଚା ହେଉଛି ।
ଏହି ବାର୍ରେ ସେକ୍ସ ରାକେଟ୍ ଚାଲୁଥିବା ନେଇ ସ୍ଥାନୀୟଲୋକେ ଦାବି କରୁଥିବାବେଳେ ପୋଲିସ ଜୁଆ ଆଡ୍ଡା ବୋଲି କହୁଛି । ତେବେ ହୋଟେଲରୁ ୪ଜଣ ଯୁବତୀ ଉଦ୍ଧାର ହେବା ପରେ ସେକ୍ସ ରାକେଟ୍ କଥାକୁ ମଧ୍ୟ ଭୁଲ୍ ଦର୍ଶାଇ ହେବନାହିଁ । ତେବେ ଏହି ଯୁବତୀମାନେ କିଏ? ଏମାନଙ୍କ ଘର କେଉଁଠି? କେବେ ଠାରୁ ଏଠାରେ ରହିଲେଣି? ଏସମ୍ପର୍କରେ ପୋଲିସ ପକ୍ଷରୁ କୌଣସି ସୂଚନା ମିଳିପାରି ନାହିଁ । ସୂଚନା ଅନୁଯାୟୀ, ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ପେଣ୍ଟାଗାନ୍ ବାର୍ ରହିଛି । ଶନିବାର ଶଟ୍ଡାଉନ ସତ୍ତ୍ୱେ ଏହା ଖୋଲା ରହିଥିଲା । ଏମିତିକି ଭିତରେ ଏକାଧିକ ଯୁବକ ଓ ଯୁବତୀ ଜୁଆ ଖେଳୁଥିବା ପୋଲିସ ଖବର ପାଇଥିଲା । ପରେ ସେଠାରେ ପୋଲିସ ଟିମ୍ ଚଢ଼ଉ କରି ଟଙ୍କା ଜବତ କରିଥିଲେ । ପୋଲିସକୁ ଦେଖି ଯୁବକମାନେ ହଡ଼ବଡ଼ ହୋଇଯାଇଥିଲେ । ଏମିତିକ ଯୁବତୀମାନେ ଛାଡ଼ିଦେବାକୁ ନେହୁରା ହୋଇଥିଲେ । ପୋଲିସ ଟିମ୍ ସମସ୍ତଙ୍କୁ କାବୁ କରି ଥାନାକୁ ଆଣିଥିଲା । ଥାନାରେ ସେମାନଙ୍କୁ ପଚରାଉଚରା ଜାରି ରହିଛି । ଏହାସହ ବାର୍ ମାଲିକଙ୍କୁ ମଧ୍ୟ ପୋଲିସ ପଚରାଉଚରା ଚଳାଇଛି ।