ପାଟନା: ବିହାରର କଟିହାରରେ ବିଜୁଳି ବିଭାଗ ବିରୋଧରେ ଆନ୍ଦୋଳନ ବେଳେ ଆନ୍ଦୋଳନକାରୀଙ୍କ ଉପରେ ଗୁଳି ଚଳାଇଛି ପୋଲିସ । ଏଥିରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ବିଦ୍ୟୁତ ଯୋଗାଣ ଦାବିରେ ବିଭାଗୀୟ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବା ପାଇଁ ହଜାର ହଜାର ଆନ୍ଦୋଳନକାରୀ ଏକାଠି ହୋଇଥିଲେ । ଏହି ସମୟରେ ପୋଲିସ ସହ ସେମାନଙ୍କର ସଂଘର୍ଷ ହୋଇଥିଲା । ଫଳରେ ପୋଲିସ ଗୁଳି ଚଳାଇବା ଆରମ୍ଭ କରିଥିଲା । ପ୍ରାୟ ୩ ଆନ୍ଦୋଳନକାରୀଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ଅନ୍ୟ କିଛି ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି । ସୂଚନା ଅନୁସାରେ, କଟିହାର ଜିଲ୍ଲାର ବାରସୋଇସ୍ଥିତ ବିଜୁଳି ବିଭାଗ ଏସଡିଓ କାର୍ଯ୍ୟାଳୟ ସମ୍ମୁଖରେ ବିଦ୍ୟୁତ ଯୋଗାଣ ଦାବିରେ ବିକ୍ଷୋଭକାରୀ ଏକାଠି ହୋଇଥିଲେ । ମରାମତି କାର୍ଯ୍ୟ ପାଇଁ ସକାଳ ୫ଟାରୁ ୧୧ଟା ପର୍ଯ୍ୟନ୍ତ ବିଦ୍ୟୁତ୍ ଯୋଗାଣ ବ୍ୟାହତ ହେବାକୁ ସେମାନେ ବିରୋଧ କରି ବିଭାଗୀୟ କାର୍ଯ୍ୟାଳୟରେ ବିରୋଧ ପ୍ରଦର୍ଶନ କରିବା ପାଇଁ ଆସିଥିଲେ ।
ଏହି ସମୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ପୋଲିସ୍ ସହ ସେମାନଙ୍କ ସଂଘର୍ଷ ହେବା ସହ ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପୋଲିସ ଏକାଧିକ ରାଉଣ୍ଡ ଗୁଳି ଚଳାଇଥିଲା । ଏଥିରେ ଆନ୍ଦୋଳନକାରୀ ଛତ୍ରଭଙ୍ଗ ଦେଇଥିଲେ । ପୋଲିସ ଗୁଳିରେ ୩ ଜଣ ଆନ୍ଦୋଳନକାରୀଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ଭାବେ ସୂଚନା ମିଳିଛି । ପୋଲିସ ଗୁଳିରେ ପ୍ରାଣ ହରାଇଥିବା ମୃତକଙ୍କ ସମ୍ପର୍କରେ ପ୍ରଶାସନ କିଛି ସ୍ପଷ୍ଟ କରିନଥିବା ବେଳେ ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶିତ ସୂଚନା ଅନୁସାରେ, ସେମାନେ ବେସାଲ୍ ଗାଁର ବାସିନ୍ଦା ୩୪ ବର୍ଷୀୟ ଖୁରସିଦ ଆଲାମ, ଚାପଖୋଡ଼ ପଞ୍ଚାୟତର ୩୨ ବର୍ଷୀୟ ନୟାଜ ଆଲାମ ଏବଂ ଅନ୍ୟ ଜଣେ ମୃତକଙ୍କ ପରିଚୟ ସ୍ପଷ୍ଟ ହୋଇପାରିନି । ପୋଲିସ କିମ୍ବା ସ୍ଥାନୀୟ ପ୍ରଶାସନିକ ଅଧିକାରୀ ପୋଲିସ ଗୁଳିରେ ଆନ୍ଦୋଳନକାରୀଙ୍କ ମୃତ୍ୟୁ ହେବା ସୂଚନା ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହାନ୍ତି ।