ଭୁବନେଶ୍ୱର : ମହିଳାଙ୍କ ଅଭିଯୋଗକୁ ଗୁରୁତ୍ୱ ଦେବାକୁ ଉଭୟ ସରକାର ଏବଂ ପୁଲିସ ବିଭାଗର ବଡ ବଡ ଅଧିକାରୀମାନେ କହୁଥିଲେ ମଧ୍ୟ ଥାନା ସ୍ତରରେ ସ୍ଥିତି ସମ୍ପୁର୍ଣ୍ଣ ଅଲଗା ଥିବା ଦେଖିôବାକୁ ମିଳିଛି । ଅଭିଯୋଗକୁ ଗୁରୁତ୍ୱ ଦେବା ଦୂରର କଥା ପୁଲିସ ଅଭିଯୋଗ ଶୁଣୁ ନ ଥିବା ଅଭିଯୋଗ କରିଛନ୍ତିି ଜଣେ ଦଳିତ ମହିଳା । ନ୍ୟାୟପାଇଁ ଥାନା ବାରମ୍ବାର ଦୌଡୁଥିଲେ ମଧ୍ୟ ତାଙ୍କ ଅଭିଯୋଗକୁ ଗ୍ରହଣ କରାଯାଉନାହିଁ । ଏପରି ଅବ୍ୟବସ୍ଥା ଦେଖିବାକୁ ମିଳିଛି ମଞ୍ଚେଶ୍ୱର ଥାନାରେ । ଜଣେ ଦଳିତ ମହିଳାଙ୍କ ସ୍ୱାମୀ ୯ ଦିନହେଲା ନିଖୋଜ ଅଛନ୍ତି, ଏନେଇ ସେ ଗତ ୧୪ ତାରିଖରେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣୁନାହାନ୍ତି । ବାରମ୍ବାର ଥାନାକୁ ଆସୁଥିଲେ ମଧ୍ୟ କିନ୍ତୁ କିଛି ସୁଫଳ ମିଳୁନଥିବାରୁ ଆତ୍ମହତ୍ୟା କରିବାକୁ କହିଛନ୍ତି ମହିଳା ଜଣଙ୍କ । ସୂଚନା ଅନୁଯାୟୀ, ଫୁଲବାଣୀର ଚାନ୍ଦିନୀ ନାଏକ ଜଣେ ଦଳିତ ମହିଳା । ସେ ବର୍ଷକ ତଳେ ସେଠାକାର ବିନୟ ସାହୁଙ୍କୁ କୋର୍ଟରେ ବିବାହ କରିଥିଲେ । ପରେ ୪ମାସ ହେବ ଉଭୟ ଚକେଇସିଆଣୀ ସାଇମନ୍ଦିର ନିକଟରେ ରହି ଆସୁଥିଲେ । ବିନୟ ଏକ ଘରୋଇ ସଂସ୍ଥାରେ ସୁରକ୍ଷା କର୍ମୀଭାବେ କାମ କରୁଥିଲେ । କିନ୍ତୁ ଗତ ୮ତାରିଖରେ କାମକୁ ଯାଇଥିବାବେଳେ ଘରକୁ ଫେରି ନଥିଲେ । ସେହିଦିନ ରାତି ୧୧ଟା ପର୍ଯ୍ୟନ୍ତ ସେ ସ୍ୱାମୀଙ୍କ ସହ କଥା ହୋଇଥିଲେ । କିନ୍ତୁ ପରଦିନ ଘରକୁ ନଆସିବାରୁ ସନ୍ଦେହ ବଢିଥିଲା । ଗତ ୧୪ରେ ଚାନ୍ଦିନୀ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ । ଏନେଇ ସେ ବାରମ୍ବାର ଥାନାକୁ ଯାଉଥିଲେ ମଧ୍ୟ ପୋଳିସ ଅଣଦେଖା କରୁଥିବା ସେ କହିଛନ୍ତି ।